ଝାଡ଼ାବାନ୍ତିରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ

  • ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚେପଟିଆମ୍ବା ଗ୍ରାମରେ ଝାଡ଼ାବାନ୍ତି ଜନିତ ମୃତ୍ୟୁ ଚିନ୍ତା ବଢ଼ାଉଛି।
  • ଏହି ଗାଁରେ ଶନିବାର ରାତିରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି।
  • ପୂର୍ବରୁ ଏହି ଗାଁରେ ୩ ଜଣ ମହିଳା ଓ ଜଣେ ପୁରୁଷ ଜୀବନ ହାରିଛନ୍ତି।

ନବରଙ୍ଗପୁର/ଭୁବନେଶ୍ୱର, ୧୫-୦୯-୨୦୨୪(ପିପିଏସ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚେପଟିଆମ୍ବା ଗ୍ରାମର ଜଣେ ମହିଳାଙ୍କ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ଅବସ୍ଥାରେ ଶନିବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ପୂର୍ବରୁ ଏହି ଗ୍ରାମର ଦୁଇ ଜଣ ମହିଳା ଓ ଜଣେ ଯୁବକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଛି। 

ସୂଚନା ପ୍ରକାରେ ଚେପଟିଆମ୍ବା ଗ୍ରାମର ଡାଳ ଜାନୀ ଗତ ୬ ତାରିଖ ଦିନ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର ହୋଇଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ ଡ଼ାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାଳ ଜାନୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଯୋଗୁଁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ କିଛି ଦିନ ଚିକିତ୍ସିତ ହେବା ପରେ ମଧ୍ୟ ସ୍ୱାସ୍ଥ୍ୟବସ୍ଥା ସ୍ଥିର ନହେବା ଯୋଗୁଁ କୋରାପୁଟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାଳ ଜାନୀ ଚିକିତ୍ସିତ ହେଉଥିଲେ।ତେବେ କୋରାପୁଟ ଡାକ୍ତରଖାନାରେ ମଧ୍ୟ ସ୍ବାସ୍ଥ୍ୟବସ୍ଥା ଠିକ ହୋଇ ପାରୁ ନଥିବା ଯୋଗୁଁ ପରିବାର ଲୋକଙ୍କୁ ବ୍ରହ୍ମପୁର ଡକ୍ଟରଖାନା ନେବା ପାଇଁ କହିଥିଲେ। ପରିବାର ଲୋକଙ୍କ ସଚେତନତା ଅଭାବ ସହ ଆର୍ଥିକ ଅଭାବ ଯୋଗୁଁ କାହାକୁ ନଜଣାଇ ଗତ ୧୩ ତାରିଖ ଦିନ ବେସରକାରୀ ଗାଡ଼ି ଯୋଗେ ଡାଳ ଜାନୀଙ୍କୁ ଚେପଟିଆମ୍ବା ନେଇ ଆସିଥିଲେ।ଚେପଟିଆମ୍ବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଡାକ୍ତର ସନ୍ତୋଷ ପ୍ରଧାନ ଓ ସ୍ୱାସ୍ଥ୍ୟ କର୍ମଚାରୀ ଜାଣିବା ପରେ ପରିବାର ଲୋକଙ୍କୁ ବୁଝାସୁଝା କରି ଡାଳ ଜାନୀଙ୍କୁ ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି ହେବା ପରେ ସ୍ୱାସ୍ଥ୍ୟ ଅଧିକାରୀ ଅରବିନ୍ଦ ପଣ୍ଡା ଓ କର୍ମଚାରୀମାନେ ପରିବାର ଲୋକଙ୍କୁ ଉନ୍ନତ ଚିକିତ୍ସା ପାଇଁ ବାହାରକୁ ନେବା ପାଇଁ ବୁଝାଇ ଥିଲେ। ପରିବାର ଲୋକ ଡାଳ ଜାନୀଙ୍କୁ ବାହାରକୁ ନେବା ପାଇଁ ରୋକଠୋକ ମନା କରିଦେଇଥିଲେ। ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ଅବସ୍ଥାରେ ଶନିବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଥିଲା। ରାତ୍ର ସମୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆମ୍ବୁଲାନ୍ସ ଯୋଗେ ମୃତ ଶରୀରକୁ ଚେପଟିଆମ୍ବା ପଠାଯାଇଥିଲା।ଆଜି ସକାଳୁ ଗ୍ରାମ ଶ୍ୱଶାନରେ ଶେଷକୃତ ସମ୍ପନ୍ନ ହୋଇଥିଲା।

Leave A Reply

Your email address will not be published.