କାନ୍ଥ ପଡ଼ି ଜେଜେମା ମୃତ : ବୋହୁ ସହିତ ୭ ମାସର ନାତୁଣୀ ଗୁରୁତର
ସୁବର୍ଣ୍ଣପୁର/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ) : ସୁବର୍ଣ୍ଣପୁର ଜିଲା ଲଛିପୁର ଥାନା ଅର୍ନ୍ତଗତ ସହରାପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ଘର କାନ୍ଥ ପଡି ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ମୃତକ ଲାଲଚନ ଦୀପଙ୍କ ପତ୍ନୀ ସୁରୁବାଳି ଦୀପ ବୋଲି ଜଣାପଡିଛି। ସୂଚନା ଅନୁସାରେ ଲାଲଚନଙ୍କ ୩ ପୁଅ ସୁରେନ, ବିପିନ ଓ ଅମର ଦାଦନ ଶ୍ରମିକ ଭାବେ ତାମିଲନାଡୁରେ କାମ କରୁଛନ୍ତି । ଗାଁରେ ବୃଦ୍ଧ ଦମ୍ପତି ତିନି ବୋହୂ ଓ ନାତି ନାତୁଣୀଙ୍କ ସହ ରହୁଥିଲେ। ଶନିବାର ରାତିରେ ପରିବାର ଲୋକେ ଖାଇସାରି ଘରେ ଶୋଇଥିଲେ । ରାତି ପ୍ରାୟ ୧୧ଟା ୩୦ରେ ଅଚାନକ ମାଟି ଘର କାନ୍ଥ ଭୁଷୁଡି ପଡ଼ିଥିଲା । ଏଥିରେ ବୃଦ୍ଧା ସୁରୁବାଲି, ମଝିଆଁ ବୋହୂ ଵେବି ଓ ବେବିଙ୍କ ଶିଶୁକନ୍ୟା ଗୁରୁତର ଭାବେ ଆହତ ହୋଇଥିଲେ। ପରିବାର ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ନାଇକେନପାଲି ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ବୃଦ୍ଧା ସୁରୁବାଲିଙ୍କୁ ମୃତ ଘୋଷଣା କରିଥିଲେ। ବେବି ଓ ୭ ମାସର ଶିଶୁକନ୍ୟାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରଯାଇଛି । ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ସେପଟେ ମୃତାହତଙ୍କ ପରିବାର ଲୋକ ଅତି ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।