ସମାଜର ଦୁର୍ବଳଶ୍ରେଣୀଙ୍କୁ ସେବା ବର୍ତ୍ତମାନର ଆହ୍ୱାନ : ପ୍ରଫେସର ସାନ୍ୟାଲ୍

  • ସ୍ୱରାଜ ଆଶ୍ରମ ପରିଦର୍ଶନ କଲେ ହରିଜନ ସେବକ ସଂଘ ରାଷ୍ଟ୍ରୀୟ ସଭାପତି
  • ବର୍ଷକ ମଧ୍ୟରେ ପ୍ରସ୍ତୁତ ହେବେ ୧ହଜାର ‘ଗାନ୍ଧୀ ସେବକ’
  • ଦିଲ୍ଲୀ ମୁଖ୍ୟାଳୟରେ ପାଳନ ହେବ ଡକ୍ଟର ମହତାବଙ୍କ ୧୨୫ତମ ଜୟନ୍ତୀ
  • ‘ଗାଁ ଓ ବସ୍ତିରେ ସେବାପାଇଁ ଏକ ଘଣ୍ଟା ଅଭିଯାନ’ର ଶୁଭାରମ୍ଭ

କଟକ,୧୪-୦୯-୨୦୨୪ (ପିପିଏସ୍) : ମହାତ୍ମାଗାନ୍ଧୀଙ୍କ ଦ୍ୱାରା ୧୯୩୨ରେ ପ୍ରତିଷ୍ଠିତ ‘ହରିଜନ ସେବକ ସଂଘ’ର ରାଷ୍ଟ୍ରୀୟ ସଭାପତି ପ୍ରଫେସର ଡକ୍ଟର ଶଙ୍କର କୁମାର ସାନ୍ୟାଲ୍ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଓଡ଼ିଶାରେ ଗାନ୍ଧୀ ବିଚାରଧାରାକୁ ଆଗେଇନେବାକୁ ଆହ୍ୱାନ ଦେଇଛନ୍ତି । କଟକର ଐତିହାସିକ ସ୍ୱରାଜ ଆଶ୍ରମ ପରିଦର୍ଶନ କରି ପ୍ରଫେସର ସାନ୍ୟାଲ୍ ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଆଗମନ ଏବଂ ଗାନ୍ଧିଜୀଙ୍କ ସହ ଓଡ଼ିଶାର ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ତାଙ୍କୁ ‘ହରିଜନ ସେବକ ସଂଘ’ କଟକ ମହାନଗର ଶାଖା ପକ୍ଷରୁ ସ୍ୱାଗତ କରାଯାଇଥିଲା ।

ଗାନ୍ଧିବାଦୀ ବିଶ୍ୱଜିତ ସୂର୍ଯ୍ୟବଂଶୀଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପ୍ରଫେସର ସାନ୍ୟାଲ୍ ବକ୍ତବ୍ୟରଖି ଗାନ୍ଧିଜୀ କାହିଁକି ହରିଜନ ସେବକ ସଂଘ ଗଠନ କରିଥିଲେ ଏବଂ ବର୍ତ୍ତମାନର ସମୟରେ ଆମେ କିଭଳି ଗାନ୍ଧିଜୀଙ୍କ ବିଚାର ଓ କାର୍ଯ୍ୟକୁ ଆଗକୁ ନେଇପାରିବା ସେ ସମ୍ପର୍କରେ କହିଥିଲେ । ସମାଜର ଦୁର୍ବଳଶ୍ରେଣୀ ତଥା ଶେଷଧାଡ଼ିର ମଣିଷଙ୍କ ସେବା ହିଁ ବର୍ତ୍ତମାନର ଆହ୍ୱାନ ବୋଲି କହିଥିଲେ ପ୍ରଫେସର ସାନ୍ୟାଲ୍ । ଅବସରପ୍ରାପ୍ତ ବିଚାରପତି ରତିକାନ୍ତ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଗୁରୁକଲ୍ୟାଣ ମହାପାତ୍ର, ଯୁବ ଗାନ୍ଧିବାଦୀ ଡକ୍ଟର ବିଶ୍ୱଜିତ୍, ସଂଘର ରାଜ୍ୟ ଉପ ସଭାପତି ପ୍ରବୀର ମହାନ୍ତି ଏବଂ ୨୨ ଦିଗଭାଗ ସଂକୀର୍ତ୍ତନ ମଣ୍ଡଳୀର କାର୍ଯ୍ୟକାରୀ ସର୍ବାଧିକାରୀ ସୁବାସଚନ୍ଦ୍ର ସାହୁ ପ୍ରମୁଖ ଓଡ଼ିଶାରେ ଗାନ୍ଧିଜୀଙ୍କ ପ୍ରଦର୍ଶିତ କାର୍ଯ୍ୟଗୁଡ଼ିକ କିଭଳି ଆଗେଇ ନେଇହେବ ସେଥିପାଇଁ ବକ୍ତବ୍ୟ ରଖିଥିଲେ । ଅଧିକରୁ ଅଧିକ ଯୁବ, ଛାତ୍ର ଓ ମହିଳାଙ୍କୁ ‘ଗାନ୍ଧୀ ସେବକ’ କରିବାକୁ ମତ ପ୍ରକାଶ ପାଇଥିଲା ।

‘ହରିଜନ ସେବକ ସଂଘ’ର ରାଜ୍ୟ ସାଧାରଣ ସମ୍ପାଦକ ଆର୍ଯ୍ୟଭଟ୍ଟ ମହାନ୍ତି ଏବଂ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତରାୟ ସଙ୍ଗଠନର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଥିଲେ । ‘ହରିଜନ ସେବକ ସଂଘ’ ଓଡ଼ିଶା ଶାଖାପକ୍ଷରୁ ଏକବର୍ଷ ମଧ୍ୟରେ ୧ହଜାର ‘ଗାନ୍ଧୀ ଓ ସର୍ବୋଦୟ ସେବକ’ଙ୍କୁ ପ୍ରସ୍ତୁତ କରିବା, ରାଜ୍ୟବ୍ୟାପୀ ଗାନ୍ଧିଜୀଙ୍କ ୧୦୦ ପ୍ରତିମୂର୍ତ୍ତି ସ୍ଥାପନ ଏବଂ ଅସ୍ପୃଶ୍ୟତା ଆନେ୍ଦାଳନର ଅଗ୍ରଣୀ ନେତୃତ୍ୱ ତଥା ଗାନ୍ଧୀ ଅନୁଗାମୀ ଉକ୍ରଳକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନପାଇଁ ପ୍ରଦେଶ ଶାଖାପକ୍ଷରୁ ରାଷ୍ଟ୍ରୀୟ ସଭାପତିଙ୍କୁ ଅବଗତ କରାଯାଇଥିଲା । ଡକ୍ଟର ମହତାବ ଅନେକ ବର୍ଷଧରି ‘ହରିଜନ ସେବକ ସଂଘ’ର ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇଥିବାରୁ ଅନୁଷ୍ଠାନ ତାଙ୍କର ଜୟନ୍ତୀକୁ ଉଭୟ ଦିଲ୍ଲୀ ମୁଖ୍ୟାଳୟ ଏବଂ ଓଡ଼ିଶାରେ ପାଳନ କରିବ ବୋଲି ରାଷ୍ଟ୍ରୀୟ ସଭାପତି ଘୋଷଣା କରିଥିଲେ । ସେବାକାର୍ଯ୍ୟ ନିମନ୍ତେ ଶ୍ରୀଜଗନ୍ନାଥ ଚାରିଟେବୁଲ୍ ଟ୍ରଷ୍ଟ ଓ କଲ୍ୟାଣୀ ଚାରିଟେବୁଲ୍ ଟ୍ରଷ୍ଟକୁ ସମ୍ମାନିତ କରାଯାଇଥିଲା ।

ଏହି ଅବସରରେ ଡକ୍ଟର ଦ୍ୱୀପାୟନ ପଟ୍ଟନାୟକ, ମହାନଗର ସଭାପତି ପ୍ରଦୀପ କୁମାର ସାହୁ, କୋଷାଧ୍ୟକ୍ଷ ବିଜୟ ପଣ୍ଡା, ବିକାଶ ପୁହାଣ, ରାଷ୍ଟ୍ରୀୟ ଯୁବା ସଙ୍ଗଠନର ମାନସ ପଟ୍ଟନାୟକ, ସର୍ବୋଦୟ ସଙ୍ଗଠକ ରବି ମହାନ୍ତି, ଅଶ୍ୱିନୀ ମହାନ୍ତି, ଅମରେଶ ସ୍ୱାଇଁ, ମନୋରଞ୍ଜନ ବେହେରା, ପ୍ରିୟଦର୍ଶିନୀ ନାୟକ, ରବୀନ୍ଦ୍ର ବେହେରା, ମନୋଜ ନାୟକ, ଶଙ୍କର ପ୍ରଧାନ, ଅରବିନ୍ଦ ବେହେରା, ଅଜୟ ବେହେରା, ମଳୟ ପରିଜା, ଆଇନଜୀବୀ ଅଂଶୁମାନ ଲେଙ୍କା, ସମ୍ବିତ ମହାପାତ୍ର, ବାଉରୀବନ୍ଧୁ ସ୍ୱାଇଁ, ସାରଙ୍ଗପାଣି ଷଡ଼ଙ୍ଗୀ, ଶିଶିରଚନ୍ଦ୍ର ଦାସ, ବିଶ୍ୱଜିତ ସ୍ୱାଇଁ ଏବଂ ଅମିତାଭ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.