କଢ଼େଇରେ ମହାପ୍ରସାଦ ପ୍ରସ୍ତୁତ ପ୍ରସଙ୍ଗ : ୭ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
1 min read

କଢ଼େଇରେ ମହାପ୍ରସାଦ ପ୍ରସ୍ତୁତ ପ୍ରସଙ୍ଗ : ୭ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ପୁରୀ/ଭୁବନେଶ୍ୱର,୧୩-୦୯-୨୦୨୪ (ପିପିଏସ) : ଶ୍ରୀମନ୍ଦିର ରୋଷ ଘରେ ମାଟି କୁଡୁଆରେ ରନ୍ଧନ ପରମ୍ପରା ଥିବା ବେଳେ ଲୁହା କଢ଼େଇରେ ମହାପ୍ରସାଦ ରୋଷେଇ ହେଉଥିବା ଅଭିଯୋଗ ଆସିବା ପରେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ।

ସୁଆର ମହାସୁଆର ନିଯୋଗ, ରୋଷପାଇକ ନିଯୋଗର ସମ୍ପାଦକ ଏବଂ ରୋଷ ଅମୀନ ରୋଷଘର ପରିଦର୍ଶନ କରି ଲୁହା କଢ଼େଇ ଜବତ କରିବା ସହ ୭ ଦିନ ଭିତରେ କାର୍ଯ୍ୟକାରିତା ରିପୋର୍ଟ ଦାଖଲ କରିବାକୁ କହିଛନ୍ତି ମୁଖ୍ୟ ପ୍ରଶାସକ। ସେହିପରି ପାଟ୍ଟଯୋଶୀ ମହାପାତ୍ର, ତଳିଚ୍ଛ ମହାପାତ୍ର ଏବଂ ଦେଉଳ କରଣ ପ୍ରତିଦିନ ରୋଷଶାଳାକୁ ଯାଇ ତନାଘନା କରି ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଶ୍ରୀମନ୍ଦିର ସଂସ୍କୃତିକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ ପରମ୍ପରା ବିରୋଧୀ କାର୍ଯ୍ୟ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ମହାପ୍ରସାଦ ମାଟି କୁଡୁଆରେ ରୋଷେଇ କରିବାର ପରମ୍ପରା ଥିବା ବେଳେ କିଛି ବର୍ଷ ହେଲା ଲୁହା କଢ଼େଇରେ ମହାପ୍ରସାଦ ରୋଷେଇ କରାଯାଉଥିଲା। ଯାହାକୁ ସୁଆର ଓ ମହାସୁଆର ନିଯୋଗ ବିରୋଧ କରିଥିଲା । ଏ ନେଇ ସୁଆର ଓ ମହାସୁଆର ନିଯୋଗ ତରଫରୁ ଶ୍ରୀମନ୍ଦିର ପ୍ରଶାସନକୁ ମଧ୍ୟ ଚିଠି ମାଧ୍ୟମରେ ଅବଗତ କରାଯାଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ଘଟଣାରେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ମହାମାରୀ କରୋନା ପରେ କୁଡୁଆର ଅଭାବ ଦେଖାଦେବାରୁ ଲୁହା କଢ଼େଇରେ ମହାପ୍ରସାଦ ପ୍ରସ୍ତୁତ କରାଯାଉଥିବା ସୂଚନା ରହିଛି ।

Leave a Reply

Your email address will not be published. Required fields are marked *