ଏସ୍‌ସିବିରେ ଦ୍ଵିତୀୟ ଯକୃତ ପ୍ରତିରୋପଣ ସଫଳ
1 min read

ଏସ୍‌ସିବିରେ ଦ୍ଵିତୀୟ ଯକୃତ ପ୍ରତିରୋପଣ ସଫଳ

କଟକ/୦୯-୦୯-୨୦୨୪(ପିପିଏସ) : ଏସ ସି ବି ମେଡିକାଲ କଲେଜ ହସ୍ପିଟାଲରେ ଆଜି ଦ୍ଵିତୀୟ ଯକୃତ ପ୍ରତିରୋପଣ ସଫଳ ହୋଇଛି । ନୟାଗଡ ଅଞ୍ଚଳର ୩୯ ବର୍ଷୀୟ ମାନସ ମୁଦୁଲିଙ୍କ ଶରୀରରେ ଅସ୍ତ୍ରୋପଚାର କରାଯାଇ ଯକୃତ ପ୍ରତିରୋପଣ କରାଯାଇଛି । ତାଙ୍କ ପତ୍ନୀ ଛବି ମଲ୍ଲିକ ଯକୃତ ଦାନ କରିଛନ୍ତି । ଏସ ସି ବି ମେଡିକାଲର ଯକୃତ ପ୍ରତିରୋପଣ ବିଭାଗ ଅସ୍ତ୍ରୋପଚାର କକ୍ଷରେ ଏହି ଅସ୍ତ୍ରୋପଚାର ସମ୍ପନ୍ନ ହୋଇଛି ।

ପ୍ରଫେସର ଡା ବାଲକ୍ରିଷ୍ଣନ ମେନନଙ୍କ ନେତୃତ୍ୱରେ ଏ ଆଇ ଜି ହାଇଦ୍ରାବାଦରୁ ଆସିଥିବା ୪ ଜଣିଆ ଡାକ୍ତରୀ ଦଳଙ୍କ ସହ କଟକ ଏସ ସି ବି ମେଡିକାଲ କଲେଜ ହସ୍ପିଟାଲର ଯକୃତ ପ୍ରତିରୋପଣ ବିଭାଗର ଡାକ୍ତରୀ ଦଳ ଉପସ୍ଥିତ ରହି ଅସ୍ତ୍ରୋପଚାର କରିଛନ୍ତି । ଅସ୍ତ୍ରୋପଚାର ପରେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ସେମାନଙ୍କୁ ଉକ୍ତ ବିଭାଗର ଆଇ ସି ୟୁ ରେ ରଖାଯାଇଛି । ଏସ ସି ବି ମେଡିକାଲ କଲେଜ ଅଧିକ୍ଷକ ପ୍ରଫେସର ଡା ଲୁସି ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିବାବେଳେ ଅତରିକ୍ତ ଅଧିକ୍ଷକ ଡା ମନୋଜ କୁମାର ପଟନାୟକ ଏବଂ କୁଳ ସଚିବ ଡା ଅବିନାଶ ରାଉତ ସମସ୍ତ କାର୍ଯ୍ୟର ପ୍ରତ୍ୟକ୍ଷ ଭାବେ ତଦାରଖ କରିଥିଲେ । ଯକୃତ ପ୍ରତିରୋପଣ କାର୍ଯ୍ୟରେ ସମସ୍ତ ବିଭାଗୀୟ ମୁଖ୍ୟ ହେପାଟୋଲୋଜି, ହେମାଟୋଲୋଜି, ରେଡ଼ିଓଲୋଜି, ଟ୍ରାନ୍ସଫ୍ୟୁଜନ ମେଡ଼ିସିନ, ନିଶ୍ଚେତକ ବିଭାଗ ଏବଂ ସର୍ଜରୀ ବିଭାଗ ପକ୍ଷରୁ ସହଯୋଗ କରାଯାଇଥିଲା । ସମ୍ପୃକ୍ତ ରୋଗୀ ମାନସ ଗତ ୩ ମାସ ହେବ ଏସ ସି ବି ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏହା ହେଉଛି ଏସ ସି ବି ମେଡିକାଲ କଲେଜ ହସ୍ପିଟାଲରେ ଦ୍ଵିତୀୟ ଯକୃତ ପ୍ରତିରୋପଣ । ଗତ ଏପ୍ରିଲ ୩ ତାରିଖରେ କଟକର ଜଣେ ରୋଗୀଙ୍କର ସଫଳ ଯକୃତ ପ୍ରତିରୋପଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *