ଗେଣ୍ଡାଳିଆଙ୍କ ପ୍ରଜନନ ସ୍ଥଳ ବଂଶଧାରା କୂଳ : କ୍ରମାଗତ ହ୍ରାସ ପାଉଛି ପକ୍ଷୀଙ୍କ ସଂଖ୍ୟା
1 min read

ଗେଣ୍ଡାଳିଆଙ୍କ ପ୍ରଜନନ ସ୍ଥଳ ବଂଶଧାରା କୂଳ : କ୍ରମାଗତ ହ୍ରାସ ପାଉଛି ପକ୍ଷୀଙ୍କ ସଂଖ୍ୟା

ରାୟଗଡ଼ା/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ମୌସୁମୀ ଆସିବା ପୂର୍ବରୁ ଦଳ ଦଳ ହୋଇ ବିଦେଶାଗତ (ସାଇବେରିଆ) ଗେଣ୍ଡାଳିଆ ପକ୍ଷୀଙ୍କ ସୁଅ ଛୁଟେ। ୩ରୁ ୪ମାସ ପର୍ଯ୍ୟନ୍ତ ଅବସ୍ଥାନ ପରେ ଘରକୁ ବାହୁଡ଼ି ଯାଅନ୍ତି। ଗୁଣପୁର ବ୍ଲକ ବଂଶଧାରା ନଦୀ ଅବବାହିକାରେ ପ୍ରତିବର୍ଷ ନିର୍ଦ୍ଦିଷ୍ଟ ସମୟରେ ବିଦେଶାଗତ ପକ୍ଷୀଙ୍କ କଳରବ ‌ଯୋଗୁଁ ଭାଲେରୀ ଅଞ୍ଚଳ ଚିଲିକାର ଭ୍ରମ ସୃଷ୍ଟି କରୁଛି। କିନ୍ତୁ ପରିବର୍ତ୍ତିତ ପରିସ୍ଥିତି ଯୋଗୁଁ ବିଦେଶୀ ପକ୍ଷୀଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଉଛି । ଭ‌ଲେରୀ ଗାଁକୁ ପ୍ରଜନନ କେନ୍ଦ୍ରରେ ପରିଣତ କରିଛନ୍ତି ବିଦେଶୀ ଗେଣ୍ଡାଳିଆ । ୩୫ରୁ ୪୦ବର୍ଷ ହେଲା ତେନ୍ତୁଳି ଗଛକୁ ପ୍ରଜନନ ନିମନ୍ତେ ବ୍ୟବହାର କରୁଛନ୍ତି ବୋଲି ସ୍ଥାନୀୟ ବ୍ୟକ୍ତି ଲୋକନାଥ ମହାପାତ୍ର ପ୍ରକାଶ କରିଛନ୍ତି । ପୂର୍ବରୁ ଦୁଇଟି ତେନ୍ତୁଳି ଗଛକୁ ବାସସ୍ଥଳୀ ରୂପେ ବ୍ୟବହାର କରୁଥିଲେ । ୩ରୁ ୪ବର୍ଷ ତଳେ ଗୋଟିଏ ଗଛ ଉପୁଡ଼ି ଯାଇଥିଲା । ଏହାପରେ ଗୋଟିଏ ଗଛରେ ହିଁ ବିଦେଶାଗତ ପକ୍ଷୀ ଆଶ୍ରୟ ନେଉଛନ୍ତି ବୋଲି ଗୁଣପୁର ବନାଞ୍ଚଳ ଅଧିକାରୀ ଗଙ୍ଗାଧର ମିଶ୍ର ପ୍ରକାଶ କରିଛନ୍ତି । ଗଛ ଭାଙ୍ଗିବା ପରେ ପକ୍ଷୀଙ୍କ ସଂଖ୍ୟା କମିଛି । ଆଗାମୀ ଦିନରେ ଚାରାରୋପଣ କରି ବିଦେଶୀ ପକ୍ଷୀଙ୍କ ନିମନ୍ତେ ନୂଆ ଆଶ୍ରୟସ୍ଥଳ ନିର୍ମାଣ କରାଯିବ ବୋଲି ସୂଚନା ଦେଇଛନ୍ତି । ବଂଶଧାରା ନଦୀ ଅଧିକ ପ୍ରଶସ୍ତ, ଗଭୀର ଓ ଚିର‌ସ୍ରୋତା । ବର୍ଷ ତମାମ ଏଠାରେ ପ୍ରଚୁର ପାଣି ଜମି ରୁହେ। ଜଳବାୟୁ ଦୃଷ୍ଟିରୁ ବିଦେଶୀ ପକ୍ଷୀଙ୍କ ନିମନ୍ତେ ଉପଯୁକ୍ତ ହୋଇଥିବାରୁ ପ୍ରତିବର୍ଷ ସାଇବେରିଆ ଗେଣ୍ଡାଳିଆ ପ୍ରଜନନ ପାଇଁ ଏଠାକୁ ଆସୁଛନ୍ତି । ସ୍ଥାନୀୟ ଲୋକ କମିଟି ଗଠନ କରି ସୁରକ୍ଷା ଦେଉଥିବାରୁ ବେଶ୍‍ ନିରାପଦରେ ଖାଦ୍ୟ ସଂଗ୍ରହ କରନ୍ତି । ଚଳିତବର୍ଷ ମୌସୁମୀର ଆଗମନ ସହ ପକ୍ଷୀ ଏଠାକୁ ଆସିଥିଲେ । ଏବେ ଅଣ୍ଡା ଦେଇ ଛୁଆ ଜନ୍ମ କରୁଛନ୍ତି ।

ଆଉ କିଛି ଦିନ ମଧ୍ୟରେ ସାଇବେରିଆ ଫେରିଯିବେ ବୋଲି ଜଣାପଡ଼ିଛି । ହ୍ରାସ ପାଉଥିବା ସଂଖ୍ୟାକୁ ଦୃଷ୍ଟିରେ ରଖି ବଂଶବିସ୍ତାର ଦିଗରେ ବନ ବିଭାଗ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି । ସେହିପରି ଏଠାକାର ପରିବେଶରେ ଯେପରି କୌଣସି ପ୍ରକାର ପରିବର୍ତ୍ତନ ନହୁଏ ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ପରିବେଶବିତ୍‌ ପରାମର୍ଶ ଦେଇଛନ୍ତି । ନଚେତ ବହିରାଗତ ପକ୍ଷୀଙ୍କ ଆଗମନ ସଂପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ଆଶଙ୍କା କରିଛନ୍ତି । ଚାରିଆଡ଼େ ଜଙ୍ଗଲ ଅବକ୍ଷୟ ସାଙ୍ଗକୁ ପଶୁପକ୍ଷୀଙ୍କ ଶିକାର ବଡ଼ ସମସ୍ୟା ଭାବେ ଉଭା ହୋଇଛି। କିନ୍ତୁ ଭାଲେରୀ ଗ୍ରାମବାସୀ ପରିବେଶ ଏବଂ ପକ୍ଷୀଙ୍କ ସୁରକ୍ଷା ଦାୟିତ୍ବ ନେଇ ଉଦାହରଣ ସୃଷ୍ଟି କରିଛନ୍ତି । ତଥାପି ପକ୍ଷୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ହେଲେ ଏଠାରେ ୱାଚ୍‌ଟାୱାର ଆବଶ୍ୟକ ବୋଲି ଲୋକନାଥ ମହାପାତ୍ର କହିଛନ୍ତି । ସେହିପରି ପକ୍ଷୀଙ୍କୁ ଆକୃଷ୍ଟ ନିମନ୍ତେ ନଦୀ ସଂଲଗ୍ନ ଅଞ୍ଚଳ ପ୍ରତି ଧ୍ୟାନ ଦେବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *