ଖୁବ୍‌ଶୀଘ୍ର କମିବ ପେଟ୍ରୋଲ ଦର! ୨ରୁ ୩ ଟଙ୍କା କମିବା ସମ୍ଭାବନା
1 min read

ଖୁବ୍‌ଶୀଘ୍ର କମିବ ପେଟ୍ରୋଲ ଦର! ୨ରୁ ୩ ଟଙ୍କା କମିବା ସମ୍ଭାବନା

୨ରୁ ୩ ଟଙ୍କା କମିବା ସମ୍ଭାବନା
ମାର୍ଚ୍ଚ ୧୪ରେ ୨ ଟଙ୍କା କମିଥିଲା
୭୩ ଡଲାର ତଳେ ଅଶୋଧିତ ତେଲ

ଭୁବନେଶ୍ବର/୦୮-୦୯-୨୦୨୪(ପିପିଏସ): ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୭୩ ଡଲାର ତଳକୁ ଏବେ ଖସିଆସିଛି। ଏଥିସହିତ ଆମେରିକା, ଚୀନ ଏବଂ ୟୁରୋପୀୟ ଦେଶଗୁଡ଼ିକରେ ମଧ୍ୟ ଅଶୋଧିତ ତେଲ ଚାହିଦା କମ୍‌ ରହିଛି। ଆଗାମୀ ଅକ୍ଟୋବର ପହିଲାରୁ ଓପେକ୍‌ ପ୍ଲସ ଦେଶଗୁଡ଼ିକ ଅଶୋଧିତ ତେଲ ଉତ୍ପାଦନ ବଢ଼ାଇବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଆସନ୍ତା ୧୮ ତାରିଖରୁ ଜମ୍ମୁ କଶ୍ମୀରରୁ ନିର୍ବାଚନ ହେବ। ସେହିଭଳି ହରିୟାଣାରେ ଅକ୍ଟୋବର ୫ରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଆଗାମୀ ଦିନରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ଭଳି ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଅଛି। ଅଶୋଧିତ ତେଲ ଦର ହ୍ରାସ ଠାରୁ ଆରମ୍ଭ କରି ଅନ୍ୟ ସବୁ ଅନୁକୂଳ ପରିସ୍ଥିତି ବର୍ତ୍ତମାନ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଁ ରହିଛି। ତେଣୁ ସରକାର ଯେକୌଣସି ମୁହୂର୍ତ୍ତରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିପାରନ୍ତି। ଏପରିକି ଦୁଇ ତିନିଦିନ ମଧ୍ୟରେ ଏ ନେଇ ଘୋଷଣା ସରକାର କରିପାରନ୍ତି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଚଳିତବର୍ଷ ଦେଶରେ ଅନୁଷ୍ଠିତ ସାଧାରଣ ନିର୍ବାଚନର କିଛିଦିନ ପୂର୍ବରୁ ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୨ ଟଙ୍କା ହ୍ରାସ କରିଥିଲେ। ତାହା ପରଠାରୁ ଏଥିରେ ସଂଶୋଧନ ଅଣାଯାଇନାହିଁ। ଗୋଟିଏ ପଟେ ତେଲ କମ୍ପାନିଗୁଡ଼ିକ ଲାଭ କରୁଥିବାବେଳେ ଅନ୍ୟପଟେ ଆଗକୁ ନିର୍ବାଚନ ଥିବାରୁ ସରକାର ଯେକୌଣସି ମୁହୂର୍ତ୍ତରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିପାରନ୍ତି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସଂପାଦକ ସଞ୍ଜୟ ଲାଠଙ୍କ କହିବାନୁଯାୟୀ, ତେଲ କମ୍ପାନିଗୁଡ଼ିକ ନିକଟରେ ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ୨ରୁ ୩ ଟଙ୍କା ପର୍ଯ୍ୟନ୍ତ ହ୍ରାସ ଘୋଷଣା ସୁଯୋଗ ରହିଛି। 

କେନ୍ଦ୍ର ସରକାରଙ୍କ ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଅଶୋଧିତ ତେଲ ଦର ବର୍ତ୍ତମାନ ୯ ମାସର ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି। ତେଣୁ ସରକାର ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବା ସଂପର୍କରେ ବିଚାର କରୁଛନ୍ତି।  ଅଶୋଧିତ ତେଲ ଦର ଗତ ଜାନୁଆରି ଠାରୁ ଇତିମଧ୍ୟରେ ସର୍ବନିମ୍ନ ସ୍ତରକୁ କମିଥିବାରୁ ତୈଳ କମ୍ପାନିଗୁଡ଼ିକର ଲାଭରେ ଉନ୍ନତି ଆସିଛି। ତେଣୁ ସେମାନଙ୍କ ପାଇଁ ଗ୍ରାହକଙ୍କୁ ତେଲ ଦରରେ ଗ୍ରାହକଙ୍କୁ ରିହାତି ଦେବାର ସୁଯୋଗ ଆସିଛି। ଆନ୍ତଃମନ୍ତ୍ରିସ୍ତରୀୟ ଆଲୋଚନା ଚାଲିଛି। ଅନ୍ତର୍ଜାତୀୟ ସ୍ତରରେ ଘଟୁଥିବା ଘଟଣା ଉପରେ ତୀଖ୍‌ଣ ନଜର ରଖାଯାଇଛି ବୋଲି ଅଧିକାରୀ ଜଣକ କହିଛନ୍ତି।

ଗୋଲ୍‌ଡମ୍ୟାନ ସାଚ୍ସର ଆକଳନ ଅନୁଯାୟୀ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୭୦ରୁ ୮୫ ଡଲାର ମଧ୍ୟରେ କମିବ ଓ ବଢ଼ିବ। ଇସ୍ରାଏଲ-ଇରାନର ଉତ୍ତେଜନା କାରଣରୁ ଆଗାମୀ ଦିନରେ ଅଶୋଧିତ ତେଲ ଦର ଯଦି ଅଧିକ ବୃଦ୍ଧି ପାଏ ତାହେଲେ ସରକାର ସେତେବେଳେ ପୁଣି ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇବା ଯୁକ୍ତି ଗ୍ରାହକଙ୍କ ନିକଟରେ ରଖିପାରିବେ। ଯଦି ବର୍ତ୍ତମାନ ସରକାର ଦର ନକମାଇବେ ତା’ହେଲେ ଆଗାମୀ ଦିନରେ ଦର ବଢ଼ାଇବା ସମୟରେ ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *