- ବିଜେଡି କର୍ମୀଙ୍କୁ ଖୁସି କରିବାକୁ ଚୟନ ହୋଇଛି ଅନେକ ପ୍ରକଳ୍ପ
* ଅଧା କାମ କରି ପୁରା ବିଲ ନେଇଗଲେ ଠିକାଦାର
* ଏସ୍ଟିମେଟ ଠାରୁ କମ କାମରେ ହୋଇଛି ସମ୍ପୂର୍ଣ୍ଣ ବିଲ - କେନ୍ଦୁଝର,୧୧/୮/୨୪(ପିପିଏସ) : କେନ୍ଦୁଝର ଜିଲ୍ଲାରେ “ଆମ ଓଡିଶା ନବୀନ ଓଡିଶା”ର ଅନେକ ପ୍ରକଳ୍ପ ଅଧପନ୍ତରିଆ ହୋଇ ରହିଥିବାବେଳେ ଅଧିକାଂଶ ପ୍ରକଳ୍ପ ଆରମ୍ଭ ନ ହୋଇ କେବଳ ନାମ ଫଳକରେ ସୀମିତ ରହିଛି । ଅଧିକାଂଶ ପ୍ରକଳ୍ପ ଆରମ୍ଭ ହୋଇନଥିବା ବେଳେ ସରକାର ପରିବର୍ତ୍ତନ ହେବା ପରେ କେଉଁ ଦଳର କର୍ମୀ କାମ କରିବେ ତାହାକୁ ନେଇ ବିବାଦ ଆରମ୍ଭ ହୋଇଛି । ନିର୍ବାଚନ ଫଳାଫଳ ବାହାରିବା ପରେ “ଆମ ଓଡିଶା ନବୀନ ଓଡିଶା” ଯୋଜନା ଅନିଶ୍ଚିତତାରେ ରହିଥିବା ବେଳେ ବିଡିଓ ହାତ ବାନ୍ଧି ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରି ରହିଛନ୍ତି । ଆଦୌ କାମ ଆରମ୍ଭ ହୋଇନଥିବା ପ୍ରକଳ୍ପ ଗୁଡିକ ଏବେ ଶାସକ ଦଳର କର୍ମୀ କାମ କରିବାକୁ ଅଡି ବସିବାରୁ ବିଡିଓ ମାନେ ହରଡଘଣାରେ ପଡିଛନ୍ତି । ଯେଉଁ ପ୍ରକଳ୍ପ ଗୁଡିକ କାମ ଶେଷ ହୋଇ ବିଲ ପଇଠ ହୋଇଛି ତାହାର କାମ ପୁନଃ ଯାଂଚ କରିବାକୁ ଦାବୀ ଉଠିଲାଣି । ବିଶେଷ କରି ଝୁମ୍ପୁରା ଏବଂ ସଦର ବ୍ଲକରେ ଏଷ୍ଟିମେଟ ଠାରୁ କମ କାମ ହୋଇ ବିଲ ଦିଆଯାଇଛି । କାମ ଚାଲିଥିବାବେଳେ ବିଭାଗୀୟ ଯନ୍ତ୍ରୀ କାମର ମାନ ଯାଂଚ କରିନାହାଁନ୍ତି । ଅଧିକାଂଶ ପ୍ରକଳ୍ପରେ କାମ ଆରମ୍ଭ ହେବା ପୂର୍ବରୁ ସୂଚନା ଫଳକ ଲାଗିନାହିଁ । ଯେଉଁଠାରେ କାମର ଆବଶ୍ୟକତା ନାହିଁ ସେଠାରେ ପ୍ରକଳ୍ପ କରାଯାଇଛି । ବିଜେଡି କର୍ମୀଙ୍କୁ ଖୁସି କରିବାକୁ ଅନେକ ପ୍ରକଳ୍ପ ଚୟନ କରାଯାଇଥିବା ଅଭିଯୋଗ ହୋଇଛି । ଯାହାକି ବିଡିଓ ମାନେ କ୍ଷେତ୍ର ପରିଦର୍ଶନ କରିନାହାଁନ୍ତି । ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇଥିବା ବେଳେ ସହକାରୀ ନିର୍ବାହୀ ଯନ୍ତ୍ରୀ ଏବଂ ବିଡିଓ ଏହାର ସଠିକ୍ ତଦାରଖ କରିନଥିବା ଅଭିଯୋଗ ହୋଇଛି । ସାଧାରଣ ଲୋକଙ୍କ ଉନ୍ନତକଳ୍ପେ ତିଆରି ହେବାକୁ ଥିବା ଏହି ପ୍ରକଳ୍ପଗୁଡିକ ଠିକ ସମୟରେ ନ ସରିଲେ ଲୋକେ ଏହାର ଉପକାର ପାଇପାରିବେ ନାହିଁ । ସଠିକ୍ ତଦାରଖ ଅଭାବରୁ ଅନେକ ପ୍ରକଳ୍ପକୁ ସମ୍ପୂର୍ଣ୍ଣ ଦେଖାଇ ଫାଇନାଲ ବିଲ ଠିକାଦାର ନେଇଗଲେଣି । ଗ୍ରାମାଂଚଳରେ ଭିତ୍ତିଭୂମିର ବିକାଶ, ଉନ୍ନୟନ ଓ ଐତିହ୍ୟର ପୁନରୁଦ୍ଧାର ପାଇଁ ନବୀନ ପଟ୍ଟନାୟକଙ୍କ ଶେଷ ପାଳିରେ ଆରମ୍ଭ ହୋଇଥିବା “ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମରେ ଚରମ ବିଫଳତା ଦେଖାଦେବା ସହିତ ବସ୍ତୁତଃ ଏହି ଯୋଜନା ଫଳବତୀ ହୋଇ ନ ଥିବା ଜଣାପଡିଛି । ପୂର୍ବରୁ ଥିବା “ଆମ ଗାଁ ଆମ ବିକାଶ” କାର୍ଯ୍ୟକ୍ରମର ନାମ ପରିବର୍ତ୍ତନ କରାଯାଇ “ଆମ ଓଡିଶା ନବୀନ ଓଡିଶା” କରାଯାଇଥିବାବେଳେ କେନ୍ଦୁଝରରେ ୨୦୨୩ ମସିହା ଅକ୍ଟୋବର ୧୦ ତାରିଖ ଦିନ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଜିଲ୍ଲାକୁ ଏଥିପାଇଁ ୧୩ଗୋଟି ବ୍ଲକରେ ୩୫୬୨ଟି ପ୍ରକଳ୍ପ ମଂଜୁର ହୋଇଥିବା ବେଳେ ମିଶନ ଶକ୍ତି ଗୃହ ନିର୍ମାଣ, ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ, ମନ୍ଦିର ଓ ଐତିହ୍ୟର ପୁନରୁଦ୍ଧାର କାର୍ଯ୍ୟ କରାଯିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା l ଏଥିମଧ୍ୟରୁ ମାତ୍ର ୮୮୦ଟି ପ୍ରକଳ୍ପ ପୁର୍ଣ୍ଣାଙ୍ଗ ହୋଇଥିବାେବେଳ ଅବଶିଷ୍ଟ ୨୬୮୨ଟି ପ୍ରକଳ୍ପ ଶେଷ ହୋଇ ନ ଥିବା ସରକାରୀ ଭାବେ ଜଣାପଡିଛି । କେନ୍ଦୁଝର ସଦର ବ୍ଲକକୁ ଜିଳ୍ଲାର ସର୍ବାଧିକ ୩୨୫ଟି ପ୍ରକଳ୍ପ ମଂଜୁର ହୋଇଥିବାବେଳେ ୧୧୪ଟି ପ୍ରକଳ୍ପ ଶେଷ ହୋଇଥିବାବେଳେ ୨୧୧ଟି ପ୍ରକଳ୍ପ ଶେଷ ହୋଇନାହିଁ । ଯୋଡା ବ୍ଲକରେ ସର୍ବାଧିକ ପ୍ରକଳ୍ପ ଶେଷ ହୋଇ ନ ଥିବାବେଳେ ଏଥିପାଇଁ ଆବଶ୍ୟକୀୟ ଲୋକ କାମ କରିବା ପାଇଁ ଏହି ବ୍ଲକରେ ମିଳୁ ନ ଥିବା କଥା ଜଣାପଡିଛି । ଯୋଡା ବ୍ଲକ ପାଇଁ ୧୫୦ଟି ପ୍ରକଳ୍ପକୁ ମଂଜୁରୀ ଦିଆଯାଇଥିବାବେଳେ ମାତ୍ର ୩୪ଟି ପ୍ରକଳ୍ପ ଶେଷ ହୋଇଛି,୧୧୬ଟି ପ୍ରକଳ୍ପ ଅଧାପନ୍ତରିଆ ଭାବେ ପଡିରହିଛି । ଆନନ୍ଦପୁର ବ୍ଲକରେ ୧୬୫ଟି ପ୍ରକଳ୍ପ ମଂଜୁର ହୋଇଥିବାବେଳେ ୪୬ଟି ପ୍ରକଳ୍ପ କାମ ଶେଷ ହୋଇଛି ଓ ୧୧୯ଟି ପ୍ରକଳ୍ପ କାମ ସରି ନ ଥିବା ଜଣାପଡିଛି । ବାଂଶପାଳ ବ୍ଲକରେ ୨୩୦ଟି ପ୍ରକଳ୍ପ ମଂଜୁର ହୋଇଥିବାବେଳେ ୮୭ଟି ପ୍ରକଳ୍ପ କାମ ଶେଷ ହୋଇଛି ଓ ୧୪୩ଟି ପ୍ରକଳ୍ପ କାମ ସରି ନ ଥିବା ଜଣାପଡିଛି । ଚମ୍ପୁଆ ବ୍ଲକରେ ୨୧୧ ପ୍ରକଳ୍ପ ମଂଜୁର ହୋଇଥିବାବେଳେ ୪୮ଟି ପ୍ରକଳ୍ପ କାମ ଶେଷ ହୋଇଛି ଓ ୧୬୩ଟି ପ୍ରକଳ୍ପ କାମ ସରି ନ ଥିବା ସରକାରୀ ଭାବେ ଜଣାପଡିଛି । ଘଷିପୁରା ବ୍ଲକରେ ୩୩୫ଟି ପ୍ରକଳ୍ପ ମଂଜୁର ହୋଇଥିବାବେଳେ ୯୬ଟି ପ୍ରକଳ୍ପ କାମ ଶେଷ ହୋଇଛି ଓ ୨୩୯ଟି ପ୍ରକଳ୍ପ କାମ ସରି ନ ଥିବା ଜଣାପଡିଛି । ଘଟଗାଁ ବ୍ଲକରେ ୩୧୮ଟି ପ୍ରକଳ୍ପ ମଂଜୁର ହୋଇଥିବାବେଳେ ୮୫ଟି ପ୍ରକଳ୍ପ କାମ ଶେଷ ହୋଇଛି ଓ ୨୩୩ଟି ପ୍ରକଳ୍ପ କାମ ସରି ନ ଥିବା ଜଣାପଡିଛି । ହରିଚନ୍ଦନପୁର ବ୍ଲକରେ ୩୨୬ଟି ପ୍ରକଳ୍ପ ମଂଜୁର ହୋଇଥିବାବେଳେ ୫୪ଟି ପ୍ରକଳ୍ପ କାମ ଶେଷ ହୋଇଛି ଓ ୨୭୨ଟି ପ୍ରକଳ୍ପ କାମ ସରି ନ ଥିବା ଜଣାପଡିଛି । ହାଟଡିହି ବ୍ଲକରେ ୪୫୨ଟି ପ୍ରକଳ୍ପ ମଂଜୁର ହୋଇଥିବାବେଳେ ୭୫ଟି ପ୍ରକଳ୍ପ କାମ ଶେଷ ହୋଇଛି ଓ ୩୭୭ଟି ପ୍ରକଳ୍ପ କାମ ସରି ନ ଥିବା ଜଣାପଡିଛି । ଝୁମ୍ପୁରା ବ୍ଲକରେ ୨୭୧ଟି ପ୍ରକଳ୍ପ ମଂଜୁର ହୋଇଥିବାବେଳେ ୬୨ଟି ପ୍ରକଳ୍ପ କାମ ଶେଷ ହୋଇଛି ଓ ୨୦୯ଟି ପ୍ରକଳ୍ପ କାମ ସରି ନ ଥିବା ଜଣାପଡିଛି । ପାଟଣା ବ୍ଲକରେ ୨୩୯ଟି ପ୍ରକଳ୍ପ ମଂଜୁର ହୋଇଥିବାବେଳେ ୯୧ଟି ପ୍ରକଳ୍ପ କାମ ଶେଷ ହୋଇଛି ଓ ୧୪୮ଟି ପ୍ରକଳ୍ପ କାମ ସରି ନ ଥିବା ଜଣାପଡିଛି । ସାହାରପଡା ବ୍ଲକରେ ୨୩୭ଟି ପ୍ରକଳ୍ପ ମଂଜୁର ହୋଇଥିବାବେଳେ ୫୦ଟି ପ୍ରକଳ୍ପ କାମ ଶେଷ ହୋଇଛି ଓ ୧୮୭ ଟି ପ୍ରକଳ୍ପ କାମ ସରି ନ ଥିବା ଜଣାପଡିଛି । ତେଲକୋଇ ବ୍ଲକରେ ୩୦୩ଟି ପ୍ରକଳ୍ପ ମଂଜୁର ହୋଇଥିବାବେଳେ ୩୮ଟି ପ୍ରକଳ୍ପ କାମ ଶେଷ ହୋଇଛି ଓ ୨୬୫ଟି ପ୍ରକଳ୍ପ କାମ ସରି ନ ଥିବା ଜଣାପଡିଛି । ସାହାରପଡା ଏବଂ ପାଟଣା ବ୍ଳକରେ ଅଧିକାଂଶ ପ୍ରକଳ୍ପ ଅଧପନ୍ତରିଆ ଏବଂ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ସାହାରପଡା ବ୍ଲକରେ କିଛି କନିଷ୍ଠ ଯନ୍ତ୍ରୀ ଦୀର୍ଘ ବର୍ଷ ଧରି ରହିଥିବାରୁ ଅନେକ ଅଭିଯୋଗ ହୋଇଆସୁଛି । ଏ ନେଇ ଆଡିସନାଲ ପିଡି(ଆଡମିନ) ରବିନ୍ଦ୍ର କୁମାର ମଲ୍ଲିକଙ୍କ ସହ ଯୋଗାଯୋଗ କରିବାରୁ ସେ ଏ ସମ୍ପର୍କରେ କିଛି ଜାଣି ନଥିବା କହିଛନ୍ତି । ଏନେଇ ନିରପେକ୍ଷ ତଦନ୍ତ ଦାବି ହୋଇଛି l
The Prajatantra is a prominent Odia-language daily newspaper founded on July 4, 1947, and officially launched as a daily on August 8, 1947. Conceived by Dr. Harekrushna Mahtab, it is headquartered near the High Court in Chandinchowk, Cuttack. As a fierce symbol of struggle against feudalism and orthodoxy, it publishes daily editions, maintains a strong local presence, and runs digital news.The newspaper has played a pivotal role in shaping Odisha's history, championing causes like the amalgamation of princely states, the SRC movement, and the establishment of the capital at Bhubaneswar.
The publication operates under The Prajatantra Prachar Samity, which also produces popular sister publications including:
The Jhankar: A monthly literary journal.
The Meenabazar: A monthly magazine for children.
The Saptahiki: The largest circulated Odia news weekly.