ଉପମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା : ଶେଷ ହିତାଧିକାରୀ ପର୍ଯ୍ୟନ୍ତ ଚାଲିବ ସୁଭଦ୍ରା ପଞ୍ଜୀକରଣ

ଭୁବନେଶ୍ୱର ୦୭-୦୯-୨୦୨୪(ପିପିଏସ) : ସୁଭଦ୍ରା ଯୋଜନା ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ବଡ଼ ଘୋଷଣା କରିଛନ୍ତି । ଶନିବାର ସୁଭଦ୍ରା ରଥର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସାମିଲ ହୋଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଶେଷ ହିତାଧିକାରୀ ପର୍ଯ୍ୟନ୍ତ ସୁଭଦ୍ରା ପଞ୍ଜୀକରଣ ଚାଲିବ। ଧୈର୍ଯ୍ୟ ରଖନ୍ତୁ, ଖୁବ୍‌ଶୀଘ୍ର ସୁଭଦ୍ରା ଯୋଜନା ସମସ୍ତଙ୍କ ପାଖରେ ପହଞ୍ଚିବ । ଏହାର କୌଣସି ସୀମା ନାହିଁ, ଶେଷ ହିତାଧିକାରୀ ଯାଏ ପଞ୍ଜୀକରଣ ଚାଲିବ। ଏଥିପାଇଁ ଗହଳି ନ କରି ଅପେକ୍ଷା କରନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟି ଏବଂ ଆମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ରାଜ୍ୟର ୧ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ଆପଣମାନେ ରାତି ଅନିଦ୍ରା ନ ହୋଇ ଗହଳି ନ କରି ଅପେକ୍ଷା କରନ୍ତୁ । ସୁଭଦ୍ରା ସଚେତନତା ରଥ ଆସନ୍ତା ୧୬ ତାରିଖ ଯାଏ ବୁଲି ସଚେତନତା ସୃଷ୍ଟି କରିବ । ରାଜ୍ୟବ୍ୟାପୀ ଗାଁଠୁ ସହର ପର୍ଯ୍ୟନ୍ତ ଏହି ସଚେତନତା ରଥ ବୁଲିବ। ବର୍ଷକୁ ୨ଟି କିସ୍ତିରେ ୫ ହଜାର ଲେଖାଏ ୧୦ ହଜାର ଟଙ୍କା ମିଳିବ । ଏହା ୫ ବର୍ଷରେ ୫୦ ହଜାର ଟଙ୍କା ପ୍ରତ୍ୟେକ ହିତାଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.