ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ : ଜେଲ୍ ଅଧୀକ୍ଷକଙ୍କୁ ବାନ୍ଧିଲା ଭିଜିଲାନ୍ସ

  • ୨୦୦୧ ରେ ଆସିଷ୍ଟାଣ୍ଟ ଭାବେ ଆରମ୍ଭ କରିଥିଲେ ଚାକିରି
  • ଭୁବନେଶର ଝାରପଡ଼ାରେ ୧.୬୪ କୋଟି ଟଙ୍କାର ୪ମହଲା କୋଠା
  • ବଲାଙ୍ଗୀରରେ ୨ଟି ପ୍ଲଟ – ଢେଙ୍କାନାଳ ମହିଷାପାଟରେ ପ୍ଲଟ
  • ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର,ବ୍ୟାଙ୍କ ଓ ପୋଷ୍ଟାଲ ଡିପୋଜିଟ ୬.୨୪ ଲକ୍ଷ

କେନ୍ଦୁଝର/ଭୁବନେଶ୍ୱର ୦୭-୦୯-୨୦୨୪(ପିପିଏସ) : ଝାରପଡା ଜେଲର ପୂର୍ବତନ ସୁପରିଟେଣ୍ଡେଣ୍ଟ ତଥା କେନ୍ଦୁଝର ଜେଲର ବର୍ତ୍ତମାନ ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟରତ ସତ୍ୟ ପ୍ରକାଶ ସ୍ବାଇଁଙ୍କୁ ଭିଜିଲାନ୍ସ ଗିରଫ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ଜେଲ ସୁପରିଟେଣ୍ଡେଣ୍ଟ ସତ୍ୟପ୍ରକାଶଙ୍କ ନାଁରେ ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଏକ ମାମଲା ହୋଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପରେ ଭିଜିଲାନ୍ସ ପକ୍ଷରୁ ଶୁକ୍ରବାର ଏକକାଳୀନ ୭ଟି ସ୍ଥାନରେ ଚଢାଉ କରାଯାଇଥିଲା । କେନ୍ଦୁଝରରେ ଥିବା ଅଫିସ ସହ ସରକାରୀ ବାସଭବନ, ଲକ୍ଷ୍ମୀସାଗରରେ ଥିବା ବାସଭବନ, ଶ୍ୱଶୁର ଘର, ଖଣ୍ଡଗିରି ସିଦ୍ଧିବିହାର ବାସଭବନ, ଝାରପଡା ଜେଲ ପୁରୁଣା କ୍ୱାର୍ଟର୍ସ, ଭଦ୍ରକରେ ଥିବା ପୈତୃକ ଘରେ ଚଢ଼ାଉ ବେଳେ ଘର ଓ ପ୍ଲଟ ଦେଖି କାବା ହୋଇଛି ଭିଜିଲାନ। ଏହା ଚଢ଼ାଉରେ ୧୨ ଜଣ ଡିଏସପି,୧୧ ଜଣ ଇନ୍ସପେକ୍ଟର ସମେତ ଅନ୍ୟାନ କର୍ମଚାରୀ ସାମିଲ ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଚଢାଉ ବେଳେ ଭିଜିଲାନ୍ସ ଟିମ ସତ୍ୟପ୍ରକାଶଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଖୋଜି ବାହାର କରିଛି। ଏହାସହ ଦାମୀ ମଦ ମଧ୍ୟ କିଛି ଘରୁ ମିଳିବାରୁ ପ୍ରମାଣ ପାଇଛି ଭିଜିଲାନ୍ସ ।

ଭିଜିଲାନ୍ସ ରିପୋର୍ଟ ଅନୁଯାୟୀ ଭୁବନେଶର ଝାରପଡ଼ାରେ ୪ ମହଲା ବିଶିଷ୍ଟ କୋଠା । ୩୩୦୦ ବର୍ଗ ଫୁଟରରେ ହୋଇଥିବା ଏହି କୋଠାର ଦାମ ପ୍ରାୟ ୧.୬୪ କୋଟି ଟଙ୍କା ବୋଲି ଭିଜିଲାନ୍ସ ଟିମ ଜାଣିବାକୁ ପାଇଛି । ସେହିପରି ଭୁବନେଶର, ବଲାଙ୍ଗୀର, ଢେଙ୍କାନାଳରେ ମୂଲ୍ୟବାନ ଘର ଡିହ ପ୍ଲଟ, ଭୁବନେଶର ଧଉଳିରେ ପ୍ଲଟ, ବଲାଙ୍ଗୀରରେ ୨ଟି ପ୍ଲଟ, ଢେଙ୍କାନାଳ ମହିଷାପାଟରେ ପ୍ଲଟର ସନ୍ଧାନ ପାଇଛି ଭିଜିଲାନ୍ସ । ଏହାସହ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର,ବ୍ୟାଙ୍କ ଓ ପୋଷ୍ଟାଲ ଡିପୋଜିଟରେ ଥିବା ୬.୨୪ ଲକ୍ଷ, ଗୋଟିଏ ଲେଖାଏଁ କାର ଓ ବାଇକ ,୧୪.୪୬ ଲକ୍ଷ ଟଙ୍କାର ଘରୋଇ ସାମଗ୍ରୀ ଠାବ କରିଛି।

ତେବେ ତଦନ୍ତ ଚାଲିଥିବାରୁ ସମ୍ପତ୍ତି ପରିମାଣ ବଢିବାର ସମ୍ଭାବନ ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ୨୦୦୧ ରେ କୁଚିଣ୍ଡା ସବ ଜେଲର ଆସିଷ୍ଟାଣ୍ଟ ଭାବେ ସତ୍ୟପ୍ରକାଶ ସାଇଁ ଚାକିରି ଆରମ୍ଭ କରିଥିଲେ । ଗତ ଜୁନରେ ଝାରପଡାରୁ ବଦଳି ହୋଇ କେନ୍ଦୁଝର ଜିଲା କାରାଗାରର ସୁପରିଟେଣ୍ଡେଣ୍ଟ ଭାବେ ନିଯୁକ୍ତି ପାଇଥିଲେ। ଜେଲରେ କଏଦୀଙ୍କୁ ଭିଆଇପି ଟ୍ରିଟମେଣ୍ଟ ଦେବା ପାଇଁ ଲକ୍ଷାଧିକ ଟଙ୍କା ଟଙ୍କା ନେବା ଓ ଜେଲ ଭିତରେ ଅନ୍ତେବାସୀଙ୍କୁ ନିଶା ଚାଲାଣରେ ଭଳି ସାଙ୍ଘାତିକ ଅଭିଯୋଗ ସତ୍ୟପ୍ରକାଶଙ୍କ ନାଁରେ ପିଟିସନ ଫାଇଲ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.