ଭୁବନେଶ୍ୱର,୧-୦୯-୨୪(ପିପିଏସ) : ଫେସବୁକରେ ପ୍ରେମ କରି ଫସିଲେ ଆଉଜଣେ ମହିଳା ମହିଳା । ନକଲି ପୋଲିସ ଇନ୍ସପେକ୍ଟରଙ୍କ ପ୍ରେମରେ ପଡ଼ି ବିବାହ କଲେ । ଏବେ ସତ କଥା ଜାଣିବା ପରେ ଆସି ପ୍ରକୃତ ପୋଲିସ ପାଖରେ କରିଛନ୍ତି ଅଭିଯୋଗ । ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଖଣ୍ଡଗିରି ଥାନା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।
ଅଭିଯୁକ୍ତ ଜଣକ ଭଦ୍ରକ ଜିଲାର ବାସିନ୍ଦା ସୁବାଷ ଚନ୍ଦ୍ର କଅଁର ବୋଲି ଜଣାପଡିଛି । ଖବର ଅନୁଯାୟୀ, ପୋଲିସ ଇନ୍ସପେକ୍ଟର ମନୋଜ କୁମାର ମିଶ୍ର ଭାବେ ରାଉରକେଲାରେ ପୋଷ୍ଟିଂ ହୋଇଥିବା ସୁବାଷ ନିଜକୁ ପରିଚିତ କରାଇ ଫେସବୁକରେ ଜଣେ ମହିଳାଙ୍କୁ ପ୍ରସ୍ତାବ ଦେଇଥିଲେ ଏବଂ ପରେ ତାଙ୍କୁ ବିବାହ କରିଥିଲେ । ସେ ବିବାହ ପରେ ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ଭଡା ଘରେ ତାଙ୍କୁ ରଖିଥିଲେ ।
ତେବେ ମହିଳା ଜଣକ ସୁବାଷଙ୍କ କାରର ରେଜିଷ୍ଟ୍ରେସନ ନମ୍ବରରୁ ତାଙ୍କ ସ୍ୱାମୀଙ୍କ ମିଛ ବିଷୟରେ ଜାଣିଥିଲେ । ଏ ସମ୍ପର୍କରେ ମହିଳାଙ୍କ ଅଭିଯୋଗ ପରେ ଖଣ୍ଡଗିରି ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ମାମଲାର ତଦନ୍ତ ବେଳେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଥିଲା । ଏହି ବିବାହ ପୂର୍ବରୁ ଅଭିଯୁକ୍ତ ଅନ୍ୟ ଦୁଇଜଣଙ୍କୁ ମଧ୍ୟ ବିବାହ କରିଥିବା ପୋଲିସ କହିଛି ।