ମଣିପୁରରେ ପୁଣି ଫୁଟିଲା ଗୁଳି : ମା’ ମୃତ, ଝିଅ ଆହତ
1 min read

ମଣିପୁରରେ ପୁଣି ଫୁଟିଲା ଗୁଳି : ମା’ ମୃତ, ଝିଅ ଆହତ

ଇମ୍ଫାଲ/ଭୁବନେଶ୍ୱର,୧-୦୯-୨୪(ପିପିଏସ) : ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ସୃଷ୍ଟି ହିଂସା ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁରରେ ପୁଣି ଚାଲିଛି ଗୁଳି। ଆଜି ହିଂସାର ଫାଇଦା ନେଇ କିଛି ସନ୍ଦିଗ୍ଧ ବିଦ୍ରୋହୀ ଗୁଳି ମାଡ଼ କରିଛନ୍ତି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ୧୨ ବର୍ଷୀୟ ଝିଅ ଗୁରୁତର ଆହତ ହୋଇଛନ୍ତି। ଘଟଣାରେ ଦୁଇ ଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ। କିନ୍ତୁ ସେମାନେ ଏବେ ବିପଦ ମୁକ୍ତ ରହିଛନ୍ତି।

ପୁଲିସ୍‌ ସୂତ୍ର ଅନୁସାରେ, ଡ୍ରୋନ ଦ୍ୱାରା ପକା ଯାଇଥିବା ବୋମାରୁ ଗୋଟିଏ ଶାର୍ପନେଲ ଜଣେ ପୁଲିସ୍‌ ଅଧିକାରୀଙ୍କ ଗୋଡ଼ରେ ମାଡ଼ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଅସ୍ତ୍ର ଖଚିତ ଦୁଇ ଡ୍ରୋନ ମଧ୍ୟରୁ ଗୋଟିଏରୁ ଏପରି ହମଲା ହୋଇଛି। ଦିନ ପ୍ରାୟ ୨.୩୫ ମିନିଟରେ ପଶ୍ଚିମ ଇମ୍ଫାଲ ନିକଟ ନାଖୁଜାଙ୍ଗ ଗାଁରେ ଗୁଳି ମାଡ଼ ଆରମ୍ଭ ହୋଇଥିଲା। ଉକ୍ତ ଅଞ୍ଚଳରେ ଥିବା ଗୋଟିଏ ଘର ଉପରେ ଡ୍ରୋନ ଦ୍ୱାରା ବୋମା ପକା ଯାଇଥିଲା। ଏହା ଦେଖି ଲୋକମାନେ ଜୀବନ ବିକଳରେ ଦୌଡ଼ି ଥିବା ମଧ୍ୟ ଦାବି କରିଛନ୍ତି। ଏହି ସମୟରେ କିଛି ଲୋକ ସେମାନଙ୍କ ଉପରକୁ ଗୁଳି ମାଡ଼ ମଧ୍ୟ କରିଥିଲେ। ଏଥିରେ ଜଣେ ୩୧ ବର୍ଷୀୟ ମହିଳା ଓ ତାଙ୍କ ୧୨ ବର୍ଷୀୟ ଝିଅ ଆହତ ହୋଇଥିଲେ। ସେମାନଙ୍କୁ ରିମ୍ସକୁ ଅଣାଯାଇଥିଲେ ହେଁ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ।

ଏବେ ହସ୍ପିଟାଲରେ ୧୨ ବର୍ଷୀୟ ଝିଅର ଚିକିତ୍ସା ଚାଲିଛି। ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି।

Leave a Reply

Your email address will not be published. Required fields are marked *