‘ସ୍ୱାୟତ୍ତ ଶାସନ ଦିବସ’ରେ କଟକରେ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟିତ, ପୁରାତନ ସଭ୍ୟତାର ପ୍ରାଣକେନ୍ଦ୍ର କଟକକୁ ଆଧୁନିକ ସହର କରିବା : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

-ଖାନନଗର ଠାରେ ଗେଲ୍ ଇଣ୍ଡିଆର ‘ଗ୍ୟାସ୍ଚୁଲ୍ଲା ଶବଦାହ କେନ୍ଦ୍ର’ ଲୋକାର୍ପିତ
-ଦରଘାବଜାର ଠାରେ ‘ନେତାଜୀ ସ୍ମାରକୀ ପ୍ରତିଷ୍ଠାନ’ ଉଦ୍ଘାଟନ
-ବକ୍ସିବଜାର ଠାରେ ବକ୍ସି ଜଗବନ୍ଧୁଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତିକୁ ଅନାବରଣ
-କଟକ ଟାଉନ ହଲରେ ‘କଟକ ଆର୍ଟ ଗ୍ୟାଲେରୀ’ ଲୋକାର୍ପିତ

-‘ସୁଭଦ୍ରା ଯୋଜନା’ରେ ପଞ୍ଜୀକରଣ କରୁଥିବା ମା’ ଭଉଣୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ
-ପ୍ରସ୍ତୁତ ହେବ ରେଭେନ୍ସା ବାଳିକା ବିଦ୍ୟାଳୟର ବିକାଶ ପାଇଁ ମାଷ୍ଟରପ୍ଲାନ

କଟକ,୩୧-୦୮-୨୪(ପିପିଏସ) : ଓଡ଼ିଆ ସଂସ୍କୃତିର ପୀଠ ଏବଂ ଓଡ଼ିଆ ସଂଗ୍ରାମର ପେଣ୍ଠସ୍ଥଳୀ ହେଉଛି କଟକ । ରେଭେନ୍ସା ବିଶ୍ୱବିଦ୍ୟାଳୟ, ହାଇକୋର୍ଟ ଏବଂ ବଡ଼ ମେଡିକାଲ କଟକର ଗରିମା ଓ ଅନନ୍ୟ ପରିଚୟକୁ ପ୍ରତିଫଳିତ କରିଆସିଛି । ଏଠାରେ ପାଳିତ ଐତିହାସିକ ‘ବାଲିଯାତ୍ରା’ ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟର ମୂକସାକ୍ଷୀ । ପୁରାତନ ସଭ୍ୟତାର ପ୍ରାଣକେନ୍ଦ୍ର କଟକକୁ ଏକ ଆଧୁନିକ ସହର ଭାବେ ତିଆରି କରିବା ପାଇଁ ଆମ ସମସ୍ତେ ଉଦ୍ୟମ କରିବା ଦରକାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶନିବାର ସ୍ୱାୟତ୍ତ ଶାସନ ଦିବସ ଅବସରରେ କଟକ ମହାନଗର ନିଗମ ତରଫରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଶ୍ରୀ ପ୍ରଧାନ ପ୍ରଥମେ ଖାନନଗର ଠାରେ ଗେଲ୍ ଇଣ୍ଡିଆ ଦ୍ୱାରା ନିର୍ମିତ ‘ଗ୍ୟାସଚୁଲା ଶବଦାହ କେନ୍ଦ୍ର’ର ଲୋକାର୍ପଣ କରିଥିଲେ । ପରେ ବକ୍ସି ବଜାର ଠାରେ ପାଇକ ବିଦ୍ରୋହର କର୍ଣ୍ଣଧାର ତଥା ମହାନ୍ ସ୍ୱାଧୀନତା ସଂଗ୍ରାମୀ ବିପ୍ଳବୀ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତିକୁ ଅନାବରଣ କରିଥିଲେ । ଓଡ଼ିଆ ବଜାର ସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଦରଘା ବଜାର ଠାରେ ‘ନେତାଜୀ ସ୍ମାରକୀ ପ୍ରତିଷ୍ଠାନ’କୁ ମଧ୍ୟ ଉଦ୍ଘାଟନ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଟାଉନ୍ ହଲରେ ଏକ ଅତ୍ୟାଧୁନିକ୍ ଆର୍ଟ ଗ୍ୟାଲେରୀକୁ ମଧ୍ୟ ଶ୍ରୀ ପ୍ରଧାନ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ସ୍ୱାୟତ୍ତ ଶାସନ ଦିବସରେ ଖାନନଗରରେ କଟକ ମହାନଗର ନିଗମ ସହଯୋଗରେ ଗେଲ୍ ଇଣ୍ଡିଆ ଦ୍ୱାରା ନିର୍ମିତ ‘ଗ୍ୟାସ୍ଚୁଲା ଶବଦାହ କେନ୍ଦ୍ର’ ପରିବେଶକୁ ସୁରକ୍ଷିତ ରଖିବ । କଟକରେ ଶବଦାହ ପାଇଁ ହେଉଥିବା ଅସୁବିଧା ଦୂରହେବ ।

ସେହିପରି ବକ୍ସିବଜାର ଠାରେ ଐତିହାସିକ ପାଇକ ବିଦ୍ରୋହର ମହାନ ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କ ଉନ୍ମୋଚିତ ପ୍ରତିମୂର୍ତ୍ତି ଓଡ଼ିଆ ଜାତିର ବୀରତ୍ୱର ପ୍ରତୀକ ଭାବେ ଦଣ୍ଡାୟମାନ ହୋଇରହିବ । ଏହାବ୍ୟତିତ ନେତାଜୀଙ୍କ ଜନ୍ମସ୍ଥାନ ପରିସରରେ ଭବ୍ୟ ‘ନେତାଜୀ ସ୍ମାରକୀ ପ୍ରତିଷ୍ଠାନ’ ମହାନାୟକ ସୁଭାଷ ଚନ୍ଦ୍ର ବୋଷଙ୍କ ବିଚାର ଓ ଆଦର୍ଶକୁ ଯୁଗ ଯୁଗ ଧରି ବଞ୍ଚାଇ ରଖିବ । ସ୍ୱତନ୍ତ୍ରତା ସଂଗ୍ରାମର ମହାନାୟକ ତଥା ଓଡ଼ିଶା ମାଟିର ବରପୁତ୍ର ନେତାଜୀ ଆଗାମୀ ଯୁବପିଢ଼ି ପାଇଁ ସର୍ବଦା ପ୍ରେରଣାର ସାରଥି ହୋଇରହିବେ । ସେହିପରି କଟକ ଟାଉନହଲ ଠାରେ ‘କଟକ ଆର୍ଟ ଗ୍ୟାଲେରୀ’ ପ୍ରତିଷ୍ଠା ପ୍ରଶଂସନୀୟ । ଆମର କଳା, ସଂସ୍କୃତି, ସ୍ଥାପତ୍ୟ ଓ ଇତିହାସ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ । କଟକ ଭଳି ଐତିହ୍ୟସମ୍ପନ୍ନ ସହରରେ ଏହି ଅତ୍ୟାଧୁନିକ ଗ୍ୟାଲେରୀରେ ପ୍ରଦର୍ଶିତ ସୃଜନଶୀଳ ଚିତ୍ରକଳା, ଫଟୋଚିତ୍ର ଓ କଳାତ୍ମକ ସାମଗ୍ରୀ କଳାପ୍ରେମୀଙ୍କୁ ଆକୃଷ୍ଟ କରିବା ସହ କଳାର ବିକାଶରେ ବିଶେଷ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ମହାନଦୀ ଅବବାହିକାର ପ୍ରମୁଖ ସହର କଟକ । ସବୁ ଓଡ଼ିଆଙ୍କ ପାଇଁ କଟକ ଏକ ସ୍ମରଣୀୟ କେନ୍ଦ୍ର । କଟକ ଭାଇଚାରାର ସହର । ଏକ ବ୍ୟବସାୟିକ କେନ୍ଦ୍ର । କଟକର ସଂସ୍କାର ମୋ ଧମନୀରେ ଅଛି । ଓଡ଼ିଶାରେ କଟକର ସ୍ଥାନ ଅନନ୍ୟ । କାରଣ କଟକ ନ ବଢିଲେ ଓଡ଼ିଶାର ଉନ୍ନତି ହେବ ନାହିଁ । କଟକ ସହର ସୁନ୍ଦର ଓ ସ୍ୱଚ୍ଛ ସହର ହେଉ । ସହରର ସାମଗ୍ରିକ ବିକାଶ ଆମର ଦାୟିତ୍ୱ । ଇଣ୍ଡୋନେସିଆର ବାଲି ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ଐତିହାସିକ ‘ବାଲିଯାତ୍ରା’ ସମ୍ପର୍କରେ ବର୍ଣ୍ଣନା କରିଥିଲେ, ଯାହା ବାଲିଯାତ୍ରାର ପ୍ରସିଦ୍ଧି ବଢାଇଛି । ଓଡ଼ିଶାର ପର୍ବପର୍ବାଣୀ ସହ ବାଲିଯାତ୍ରାର ଆହୁରି ପ୍ରଚାରପ୍ରସାର କରିବା ଦିଗରେ ପ୍ରୟାସ କରିବା ନେଇ ସେ ଆଶ୍ୱାସନା ଦେଇଛନ୍ତି ।
ଉଲ୍ଲେଖନୀୟ ଯେ, ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ କଟକ ଠାରେ ‘ସୁଭଦ୍ରା ଯୋଜନା’ରେ ପଞ୍ଜୀକରଣ କରୁଥିବା ମାତୃଶକ୍ତିଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ । ସେହିପରି କଟକ ରେଭେନ୍ସା ବାଳିକା ବିଦ୍ୟାଳୟ ପରିଦର୍ଶନ କରିବା ସହ ବିଦ୍ୟାଳୟର ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ସହ ମଧ୍ୟ ସେ ଆଲୋଚନା କରିଥିଲେ । ଏହି ଶିକ୍ଷାନୁଷ୍ଠାନର ଐତିହାସିକ ପୃଷ୍ଠଭୂମି ଓ ସ୍ଥାପତ୍ୟକୁ ଦୃଷ୍ଟିରେ ରଖି ବିଦ୍ୟାଳୟର ଭବନ, ଶ୍ରେଣୀଗୃହ, ଛାତ୍ରୀ ନିବାସ ଏବଂ ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ପାଇଁ କଟକ ଜିଲ୍ଲା ପ୍ରଶାସନକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାର ଓ କଟକ ମହାନଗର ନିଗମ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ସାଂସଦ ଭର୍ତ୍ତୃହରି ମହତାବଙ୍କ ସମେତ ରାଜ୍ୟସଭା ସାଂସଦ ଓ କଟକ ଜିଲ୍ଲାର ବିଧାୟକଗଣ, କଟକ ମହାନଗର ନିଗମର ମେୟର, ଡେପୁଟି ମେୟର ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.