ମା’ହେଲା ବିଜ୍ଲୀ, ବାପା ହେଲା ସମ୍ରାଟ : ନନ୍ଦନକାନନକୁ ଆସିଲେ ୫ନୂଆ ଅତିଥି
ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ଭୁବନେଶ୍ୱର ସହର ଉପକଣ୍ଠ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୃଦ୍ଧି ପାଇଲା ସିଂହ/ସିଂହୀଙ୍କ ସଂଖ୍ୟା। ଗୁରୁବାର ୫ ଶାବକଙ୍କୁ ଜନ୍ମ ଦେଇଛି ସିଂହୀ ବିଜ୍ଲୀ। ସିଂହ ସମ୍ରାଟ ଓ ସିଂହୀ ବିଜ୍ଲୀଙ୍କ ମିଳନରୁ ଏହି ୫ ଶାବକ ଜନ୍ମ ହୋଇଛନ୍ତି। ବିଜ୍ଲୀ ଏବେ ତା’ ନବଜାତ ଶାବକମାନଙ୍କ ଯତ୍ନ ନେଉଛି। ସେମାନଙ୍କୁ ଅଲଗା କରାଯାଇନାହିଁ। ତେଣୁ ଶାବକମାନଙ୍କ ଲିଙ୍ଗ ଚିହ୍ନଟ ହୋଇପାରି ନାହିଁ। ଉଭୟ ମା’ ଓ ଛୁଆଙ୍କ ଉପରେ ସିସିଟିଭି ଜରିଆରେ ନଜର ରଖାଯାଇଛି l
୨୦୨୦ରେ ଇନ୍ଦୋର ଚିଡ଼ିଆଖାନାରୁ ନନ୍ଦନକାନନକୁ ଆସିଥିଲା ବିଜ୍ଲୀ । ତାକୁ ଏବେ ୯ ବର୍ଷ ହୋଇଛି । ସେ ଚତୁର୍ଥ ଥର ପାଇଁ ମା’ ହୋଇଛି । ୨୦୨୧ରେ ସେ ପ୍ରଥମ ଥର ମା’ ହୋଇଥିଲା । ସେତେବେଳେ ସେ ୩ଟି ଶାବକ ଜନ୍ମ ଦେଇଥିଲା । ସେଥିରୁ ଦୁଇଟି ମରି ଯାଇଥିଲେ। କେବଳ ବର୍ଷା ବଞ୍ଚିଥିଲା । ୨୦୨୨ ମାର୍ଚ୍ଚରେ ପୁଣି ମା’ ହୋଇଥିଲା ବିଜ୍ଲୀ । ସେ ଗୋଟିଏ ଛୁଆ ଜନ୍ମ କରିଥିଲା। ସେ ବଞ୍ଚିଛି। ତା’ ନାଁ କାମିନୀ । ୨୦୨୨ରେ ନଭେମ୍ବରରେ ତୃତୀୟ ଥର ପାଇଁ ମା’ ହୋଇଥିଲା ବିଜ୍ଲୀ । ସେଥର ସେ ୫ଟି ଛୁଆ ଜନ୍ମ କରିଥିଲା । ସେଥିରୁ ଗୋଟିଏ ମରି ଯାଇଥିଲା। ବାକି ୪ଟି ବଞ୍ଚିଥିଲେ। ସେଥିରୁ ଦୁଇଟିକୁ ଅଲିପୁର ଚିଡ଼ିଆଖାନାକୁ ପ୍ରଦାନ କରାଯାଇଛି ।