1 min read

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ଅକୱାନ୍’

୧୮ରୁ ଓଡ଼ିଶାରେ ବର୍ଷା, ୧୯ରୁ ୨୧ ଯାଏଁ ପ୍ରଭାବ ବଢ଼ିବା ଆଶଙ୍କା

ଭୁବନେଶ୍ୱର: ବଙ୍ଗୋପସାଗରରେ ଘନୀଭୂତ ହେଉଛି ସମ୍ଭାବ୍ୟ ବାତ୍ୟା ‘ଅକୱାନ୍‌’। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇଛି। ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ନଭେମ୍ବର ୧୬ରେ ସାମୁଦ୍ରିକ ଝଡ଼ ଏବଂ ୧୭ ତାରିଖରେ ଭୀଷଣ ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ନଭେମ୍ବର ୧୮ରୁ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ୧୯ରୁ ୨୧ ତାରିଖ ମଧ୍ୟରେ ବର୍ଷାର ପ୍ରଭାବ ଅଧିକ ରହିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆକଳନ କରିଛି।

ଆଇଏମ୍‌ଡିର ପୂର୍ବାନୁମାନ ଅନୁଯାୟୀ, ନଭେମ୍ବର ୧୮ରେ ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ଓ ଝଟକା ପବନ ହୋଇପାରେ। ୧୯ରୁ ୨୧ ତାରିଖ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବା ସହ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହି ସମୟରେ ଝଡ଼ବର୍ଷା ଓ ପବନର ବେଗ ବଢ଼ିପାରେ।

ବର୍ତ୍ତମାନ ଅବପାତଟି ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ରହିଛି। ଏହା କ୍ରମଶଃ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଅଧିକ ଶକ୍ତିଶାଳୀ ହେବା ସହ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି। ତେବେ ବାତ୍ୟାର ଗତିପଥ ଓ ସମ୍ଭାବ୍ୟ ସ୍ଥଳଭାଗ ପ୍ରବେଶ ସ୍ଥାନ ନେଇ ଏଯାଏଁ ସ୍ପଷ୍ଟ ଆକଳନ କରାଯାଇନାହିଁ। ପାଣିପାଗ ବିଭାଗ ସ୍ଥିତି ଉପରେ ନଜର ରଖିଛି।

Leave a Reply

Your email address will not be published. Required fields are marked *