ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରେ ସଂସଦର ଶୀତକାଳୀନ ଅଧିବେଶନ: ଲୋକସଭା ଆସନ ୮୫୦କୁ ବଢ଼ାଇବାକୁ ପ୍ରସ୍ତାବ
ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରେ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାର ସମ୍ଭାବନା ରହିଛି। ଏହି ଅଧିବେଶନରେ ମହିଳା ସଂରକ୍ଷଣ ଲାଗୁ କରିବା ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍ ପାରିତ କରିବାକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ନିର୍ବାଚନମଣ୍ଡଳୀର ସୀମା ପୁନଃନିର୍ଦ୍ଧାରଣ ଜରିଆରେ ଲୋକସଭା ଆସନ ସଂଖ୍ୟା ବର୍ତ୍ତମାନର ୫୪୩ରୁ ସର୍ବାଧିକ ୮୫୦କୁ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି। ଏନେଇ ସଂସଦୀୟ ଅଧିବେଶନର ସମ୍ଭାବ୍ୟ ତାରିଖ ସ୍ଥିର କରିବାକୁ ସରକାରୀ ସ୍ତରରେ ଆଲୋଚନା ଚାଲିଛି।

ପ୍ରସ୍ତାବିତ ବିଲ୍ ଅନୁଯାୟୀ, ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ଲାଗୁ କରିବା ନିମନ୍ତେ ସୀମା ପୁନଃନିର୍ଦ୍ଧାରଣ କରାଯିବ। ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ସରକାରଙ୍କ ଲକ୍ଷ୍ୟ।
ତେବେ ବିଲ୍ ପାରିତ କରିବା ପାଇଁ ଆବଶ୍ୟକ ସାଂସଦଙ୍କ ସମର୍ଥନ ଯୋଗାଡ଼ କରିବା ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ ହେବ। ସମ୍ବିଧାନ ସଂଶୋଧନ ବିଲ୍ ପାରିତ କରିବାକୁ ଲୋକସଭାରେ ଦୁଇ-ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ସମସ୍ତ ୫୪୦ ସଦସ୍ୟ ଭୋଟ୍ ଦେଲେ ବିଲ୍ ସପକ୍ଷରେ ଅତି କମ୍ରେ ୩୬୧ଟି ଭୋଟ୍ ଦରକାର। ବର୍ତ୍ତମାନ ତିନୋଟି ଆସନ ଖାଲି ଥିବାରୁ ଗୃହରେ ମୋଟ୍ ୫୪୦ ସଦସ୍ୟ ଅଛନ୍ତି। ଶାସକ ଏନ୍ଡିଏ ପାଖରେ ୩୨୦ ସଦସ୍ୟ ଥିବାରୁ ବିଲ୍ ପାରିତ କରିବା ପାଇଁ ବିରୋଧୀ ଦଳଗୁଡ଼ିକର ସମର୍ଥନ ଜରୁରୀ ହେବ। ତେବେ ଜଣେ ବରିଷ୍ଠ ସରକାରୀ ଅଧିକାରୀ ଗତ ଗୁରୁବାର ବିଲ୍ଟି ୧୫ରୁ ୧୮ ଭୋଟ୍ ବ୍ୟବଧାନରେ ପାରିତ ହେବ ବୋଲି ଆଶା ପ୍ରକାଶ କରିଥିଲେ।
ଅନ୍ୟପକ୍ଷରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)କୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ବିବାଦ ତୀବ୍ର ହୋଇଛି। ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ବିରୋଧୀ ଦଳଗୁଡ଼ିକ ସଂସଦରେ ପ୍ରତିବାଦ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଫଳରେ ଶୀତକାଳୀନ ଅଧିବେଶନରେ ହଟ୍ଟଗୋଳ ହେବାର ଆଶଙ୍କା ରହିଛି। ଗୃହରେ ଶୃଙ୍ଖଳିତ ଆଲୋଚନା ନ ହେଲେ ସମ୍ବିଧାନ ସଂଶୋଧନ ବିଲ୍ ଉପରେ ଭୋଟ୍ ହେବା ସମ୍ଭବ ନୁହେଁ ବୋଲି ଶାସକ ମେଣ୍ଟର ଜଣେ ସାଂସଦ କହିଛନ୍ତି।
ଏହି ସମୟରେ ଅଗଷ୍ଟ ୧୩ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଥିବା ମୌସୁମୀ ଅଧିବେଶନକୁ ସରକାର ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଶେଷ କରିନାହାନ୍ତି। ନଭେମ୍ବର ୧୫ ସୁଦ୍ଧା ଏହି ଅଧିବେଶନ ୯୪ ଦିନ ଧରି ଜାରି ରହିଛି। ଏହା ୨୦୦୮ରେ ରହିଥିବା ୮୭ ଦିନର ରେକର୍ଡକୁ ଅତିକ୍ରମ କରିଛି। ପୁରୁଣା ଅଧିବେଶନକୁ ଆଗକୁ ବଢ଼ାଇବା ପାଇଁ ଦୁଇ ଦିନର ନୋଟିସ୍ ଯଥେଷ୍ଟ ହୋଇଥିବାବେଳେ ନୂଆ ଅଧିବେଶନ ଡାକିବାକୁ ଅତି କମ୍ରେ ୧୪ ଦିନର ନୋଟିସ୍ ଆବଶ୍ୟକ ହୋଇଥାଏ।
