ଅରୁଣାଚଳ ସୀମାନ୍ତର ଦୁଇଟି ସେକ୍ଟରର ସ୍ଥିତି ଅତି ସମ୍ବେଦନଶୀଳ
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ବିଭିନ୍ନ ସୀମାନ୍ତ ଅଞ୍ଚଳରେ ଭାରତ ଓ ଚାଇନା ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗି ରହିଥିବା ଜଣାପଡ଼ିଥିବା ପରେ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସୀମାନ୍ତ ଅସଫିଲା ଓ ଲଙ୍ଗଜୁ ସ୍ଥିତି ବର୍ତ୍ତମାନ ଅତ୍ୟନ୍ତ ସମ୍ବେଦନଶୀଳ ରହିଛି। ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)କୁ ନେଇ ଭାରତ ଓ ଚାଇନା ମଧ୍ୟରେ ଭାବନା ଭିନ୍ନଭିନ୍ନ ରହିଥିବାରୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି। କିନ୍ତୁ ତୃଣମୂଳ ସ୍ତରରେ ସ୍ଥିତି ସ୍ଥିର ଓ ନିୟନ୍ତ୍ରଣ ମଧ୍ୟରେ ରହିଥିବା ପ୍ରତିରକ୍ଷା ସୂତ୍ରରୁ ଜଣାପଡ଼ିଛି। ଅରୁଣାଚଳ ପ୍ରଦେଶର ତାକସିଙ୍ଗ ସର୍କଲ ମଧ୍ୟରେ ଏହି ଦୁଇ ଅଞ୍ଚଳ ରହିଛି। ଏଠାରେ ଭାରତ ଓ ଚାଇନା ସୈନ୍ୟମାନେ ପ୍ୟାଟ୍ରୋଲିଂ ଅପରେସନ ବେଳେ ମୁହାଁମୁହିଁ ହେଉଥିବାରୁ ପର୍ଯ୍ୟାୟକ୍ରମେ ଉତ୍ତେଜନା ଦେଖିବାକୁ ମିଳୁଛି। ଏହି ମୁହାଁମୁହିଁ ସ୍ଥିତି ଯୋଗୁ ଉକ୍ତ ଦୁଇ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଉପରେ ନିୟମିତ ନଜର ରଖିବାକୁ ପଡ଼ୁଛି। ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲେ ହେଁ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ହିଂସାତ୍ମକ ସ୍ଥିତି ସୃଷ୍ଟି ହୋଇନାହିଁ। ସେଠାରେ ନିୟୋଜିତ କମାଣ୍ଡର ସଂଯମତା ରକ୍ଷା କରି ସ୍ଥିତିକୁ ନିୟନ୍ତ୍ରଣ ମଧ୍ୟରେ ରଖିଥିବା କୁହାଯାଇଛି।
ପ୍ରତିରକ୍ଷା ସୂତ୍ରରେ ଆହୁରି କୁହାଯାଇଛି ଯେ ମୁହାଁମୁହିଁ ସ୍ଥିତିକୁ ଦୂରେଇ ରଖିବା ପାଇଁ ଦୁଇ ଦେଶ ପକ୍ଷରୁ ସାମରିକ ବ୍ୟବସ୍ଥା ମାଧ୍ୟମ ଦ୍ୱାରା ଯୋଗାଯୋଗ କରାଯାଉଛି। ଫ୍ଲାଗ ମିଟିଂ ଠାରୁ ଆରମ୍ଭ କରି ହଟଲାଇନ ଯୋଗାଯୋଗ ବ୍ୟବସ୍ଥା ଦ୍ୱାରା ସ୍ଥିତିର ମୁକାବିଲା କରାଯାଉଛି ସ୍ଥାନୀୟ ଉତ୍ତେଜନାକୁ ହ୍ରାସ କରିବା ଓ ସ୍ଥିତିକୁ ଅଧିକ ବିଗାଡ଼ିବାକୁ ନ ଦେବା ପାଇଁ ଦୁଇ ଦେଶ ଏପରି ପଦକ୍ଷେପ ନେଉଛନ୍ତି। ଉତ୍ତର-ପୂର୍ବାଞ୍ଚଳରେ କର୍ପସ କମାଣ୍ଡର ସ୍ତରରେ ଗୋଟିଏ ଆଲୋଚନା ବି କରାଯାଇଛି। ଅଧିକାରୀମାନଙ୍କ କହିବା କଥା ଯେ ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ଉଭୟ ପକ୍ଷ ମଧ୍ୟରେ ନିରନ୍ତର ଯୋଗାଯୋଗ ଓ ଆଲୋଚନା ହେବା ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ଯେଉଁ ଅଞ୍ଚଳଗୁଡ଼ିକରେ ଏଲଏଏସିକୁ ନେଇ ଭାରତ ଓ ଚାଇନାର ଭିନ୍ନ ଭିନ୍ନ ଧାରଣା ରହିଛି, ସେଠାରେ ଏହାର ଗୁରୁତ୍ୱ ଅଧିକ। ଦୁର୍ଗମ ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବାହିନୀର ନିରନ୍ତର ଉପସ୍ଥିତି ସହିତ ଭିତ୍ତିଭୂମି ଓ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତିକରଣ ପାଇଁ ମଧ୍ୟ ପ୍ରୟାସ ଜାରି ରହିଛି। ଏହି ବିକାଶମୂଳକ ପଦକ୍ଷେପଗୁଡ଼ିକ ମଧ୍ୟରେ ସବୁ ଋତୁରେ ଯାତାୟାତ ଉପଯୋଗୀ ରାସ୍ତା, ସେତୁ, ଟେଲି ଯୋଗାଯୋଗ ନେଟୱର୍କ ଓ ନାଗରିକ ସୁବିଧାର ବିକାଶ ସାମିଲ ରହିଛି। ଏହାଦ୍ୱାରା ସୁରକ୍ଷା କର୍ମୀଙ୍କ ସହ ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ଉପକୃତ ହେବେ।
