ସମ୍ଭାବ୍ୟ ବାତ୍ୟା ଆଶଙ୍କା: ୫ଟି ଜିଲ୍ଲାରେ ଅକ୍ଟୋବର ୨୮ ଓ ୨୯ରେ ସ୍କୁଲ-କଲେଜ ବନ୍ଦ, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
1 min read

ସମ୍ଭାବ୍ୟ ବାତ୍ୟା ଆଶଙ୍କା: ୫ଟି ଜିଲ୍ଲାରେ ଅକ୍ଟୋବର ୨୮ ଓ ୨୯ରେ ସ୍କୁଲ-କଲେଜ ବନ୍ଦ, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର :ମହାବାତ୍ୟାର ଭୟବହତାକୁ ୨୭ ବର୍ଷ ବିତି ଯାଇଥିଲେ ମଧ୍ୟ ୧୯୯୯ ଅକ୍ଟୋବର ୨୯ର ସେହି କଳାଦିନର ସ୍ମୃତି ଆଜି ବି ଓଡ଼ିଶାବାସୀଙ୍କ ମନରୁ ଲିଭି ନାହିଁ। ବର୍ତ୍ତମାନ ପୁନର୍ବାର ଅକ୍ଟୋବର ଶେଷ ସପ୍ତାହରେ ଆସୁଥିବା ସମ୍ଭାବ୍ୟ ବାତ୍ୟାକୁ ନେଇ ଉପକୂଳ ଓ ଦକ୍ଷିଣ ଓଡ଼ିଶାବାସୀଙ୍କ ମନରେ କୋଉଠି ନା କୋଉଠି ଭୟ ଓ ଚିନ୍ତା ଘର କରିଛି। ଏହି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି।

ବାତ୍ୟାର ଗତିପଥ ଏବଂ ଆକଳନ: ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁଯାୟୀ, ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଅବପାତ ଏବଂ ପରେ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସ୍ପଷ୍ଟ କରିଛନ୍ତି। ଏହି ବାତ୍ୟାର ନାମ ‘ଅର୍ଣ୍ଣବ’ ରହିବ ବୋଲି ସୂଚନା ମିଳିଛି।

ପ୍ରଶାସନିକ ପ୍ରସ୍ତୁତି ଓ ଛୁଟି ନିର୍ଦ୍ଦେଶ:ସମ୍ଭାବ୍ୟ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। ଏଥିସହିତ ପ୍ରଭାବିତ ହେବାକୁ ଥିବା ୫ଟି ଜିଲ୍ଲାରେ ଆଗାମୀ ଅକ୍ଟୋବର ୨୮ ଏବଂ ୨୯ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି। ରାଜସ୍ୱ ମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରୀମାନେ ସ୍ଥିତି ଉପରେ କଡ଼ା ନଜର ରଖିବା ସହ ଜରୁରୀକାଳୀନ ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା ହାତକୁ ନେଇଛନ୍ତି।

Leave a Reply

Your email address will not be published. Required fields are marked *