ଆସନ୍ତାକାଲି ଛାତ୍ର ସଂସଦ ନିର୍ବାଚନ, ୮ ବର୍ଷ ପରେ କ୍ୟାମ୍ପସରେ ଭୋଟ୍‌
1 min read

ଆସନ୍ତାକାଲି ଛାତ୍ର ସଂସଦ ନିର୍ବାଚନ, ୮ ବର୍ଷ ପରେ କ୍ୟାମ୍ପସରେ ଭୋଟ୍‌

ଭୁବନେଶ୍ୱର: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଆସନ୍ତାକାଲି (ଗୁରୁବାର) ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ନିର୍ବାଚନୀ ଉତ୍ସାହ ବୃଦ୍ଧି ପାଇଛି। ପ୍ରାର୍ଥୀମାନେ ନିଜ ସପକ୍ଷରେ ମତଦାନ ପାଇଁ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରୁଥିବା ବେଳେ କ୍ୟାମ୍ପସରେ ଛାତ୍ର ସମସ୍ୟା, ଭିତ୍ତିଭୂମିର ବିକାଶ, ସୁରକ୍ଷା ଓ ଛାତ୍ର କଲ୍ୟାଣ ଭଳି ପ୍ରସଙ୍ଗ ଗୁରୁତ୍ୱ ପାଇଛି। ୨୦୧୭ରେ ଶେଷ ଥର ପାଇଁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା। ଚଳିତ ବର୍ଷ ଏହା ପୁନର୍ବାର ଆରମ୍ଭ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

ଉଚ୍ଚଶିକ୍ଷା ବିଭାଗର ତଥ୍ୟ ଅନୁଯାୟୀ, ରାଜ୍ୟର ୩୫୯ଟି ଉଚ୍ଚଶିକ୍ଷାନୁଷ୍ଠାନରେ ମୋଟ ୬,୮୯୧ ଜଣ ପ୍ରାର୍ଥୀ ବିଭିନ୍ନ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଥିରେ ୩୪୬ଟି କଲେଜ ଓ ୧୩ଟି ବିଶ୍ୱବିଦ୍ୟାଳୟ ରହିଛି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ, ଅକ୍ଟୋବର ୧୫ ତାରିଖ ସକାଳ ୮ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମତଦାନ ହେବ। ଏହାପରେ ଭୋଟ୍‌ ଗଣତି ଓ ଫଳାଫଳ ଘୋଷଣା କରାଯିବ। ଅକ୍ଟୋବର ୧୬ ତାରିଖରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନେ ଶପଥ ଗ୍ରହଣ କରିବେ।

ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଏବଂ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପଦକ୍ଷେପ ନେଇଛନ୍ତି। ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନୀ ଖର୍ଚ୍ଚ ସୀମା ୫ ହଜାର ଟଙ୍କା ରଖାଯାଇଛି। ନିୟମ ଅନୁଯାୟୀ, ପ୍ରାର୍ଥୀଙ୍କ ପାଇଁ ଅତି କମ୍‌ରେ ୭୫ ପ୍ରତିଶତ ଉପସ୍ଥାନ ସହ ଅନ୍ୟାନ୍ୟ ଯୋଗ୍ୟତା ସର୍ତ୍ତ ପୂରଣ କରିବା ଆବଶ୍ୟକ। ନିର୍ବାଚନ ପ୍ରକ୍ରିୟାରେ ଶୃଙ୍ଖଳା ରକ୍ଷା କରିବା ସହ କୌଣସି ପ୍ରକାର ଗଣ୍ଡଗୋଳରୁ ଦୂରେଇ ରହିବାକୁ ପ୍ରଶାସନ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *