ବାଲେଶ୍ୱରରୁ ୫ ଓରାଙ୍ଗଉଟାନ୍ ଉଦ୍ଧାର, ଦୀଘାରେ ଅଟକିଛି STF ତଦନ୍ତ
ବାଲେଶ୍ୱର/ଭୁବନେଶ୍ୱର/କୋଲକାତା, (ପିପିଏସ୍): ବାଲେଶ୍ୱର ଭୋଗରାଇରୁ ୫ଟି ଓରାଙ୍ଗଉଟାନ୍ (ବନମଣିଷ) ଉଦ୍ଧାର ଘଟଣାରେ ଏସ୍ଟିଏଫ୍ର ତଦନ୍ତ ଏବେ ଦୀଘାରେ ଅଟକିଛି। ଦୀଘାର ଏକ ହୋଟେଲ ଓ କଲାଗାଡ଼ିକୁ କେନ୍ଦ୍ର କରି ତଦନ୍ତ ଆଗକୁ ବଢ଼ୁଥିବା ବେଳେ ଚୋରାଚାଲାଣରେ ହୋଟେଲ ମାଲିକ ବାପ-ପୁଅଙ୍କ ଭୂମିକା ନେଇ ସନ୍ଦେହ ଘନୀଭୂତ ହୋଇଛି। ତେବେ ଏପର୍ଯ୍ୟନ୍ତ କାହାରି ଗିରଫଦାରି କିମ୍ବା ଅଟକ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ।
ଗତ ୫ ଦିନର ତଦନ୍ତରେ ଏସ୍ଟିଏଫ୍ ୧୫୦ରୁ ଅଧିକ ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି। ଏଥିରୁ ଅନେକ ସନ୍ଦିଗ୍ଧ କାରବାରର ଫୁଟେଜ୍ ସାମ୍ନାକୁ ଆସିଛି। ଦୀଘାର ହୋଟେଲ ଆଗରେ ଥିବା ଦୁଇଟି କାର୍—ଗୋଟିଏ କଳା ଓ ଅନ୍ୟଟି ଧଳା—ଏବଂ ଧଳା କାର୍ରୁ ବଡ଼ ବ୍ୟାଗ୍ ଭଳି ସାମଗ୍ରୀ ହୋଟେଲ ଭିତରକୁ ନିଆଯାଉଥିବା ଦୃଶ୍ୟ ତଦନ୍ତକାରୀଙ୍କ ନଜରକୁ ଆସିଛି। ଅନ୍ୟ ଏକ ସିସିଟିଭି ଫୁଟେଜ୍ରେ ଦୁଇଟି ଯାକ କାର୍ ଦୀଘାର ହୋଟେଲ ଆଗପଛ ହୋଇ ଯାଉଥିବା ଦେଖାଯାଇଛି।
ଏସ୍ଟିଏଫ୍ ଟିମ୍ ଫୁଟେଜ୍ରୁ ଫୁଟେଜ୍ ଯୋଡ଼ି କାର୍ରୁ ହୋଟେଲ ଏବଂ ହୋଟେଲରୁ ଅନ୍ୟ ସ୍ଥାନକୁ ଯାଇଥିବା ବ୍ୟକ୍ତିଙ୍କ ଗତିବିଧି ଯାଞ୍ଚ କରୁଛି। ୫ ଓରାଙ୍ଗଉଟାନ୍ଙ୍କୁ ଚୋରାଚାଲାଣ କରାଯାଇଥିଲା କି ନାହିଁ ଏବଂ ଏହି ଘଟଣାରେ ହୋଟେଲ ମାଲିକ ଓ ତାଙ୍କ ପରିବାରର କୌଣସି ଭୂମିକା ରହିଛି କି, ସେନେଇ ଖୋଳତାଡ଼ ଚାଲିଛି।
ଏହି ମାମଲାରେ ଓଡ଼ିଶା ସମେତ ଓଡ଼ିଶା ବାହାରେ ମଧ୍ୟ ତଦନ୍ତକାରୀ ଟିମ୍ ୧୫୦ରୁ ଅଧିକ ଫୁଟେଜ୍ ଯାଞ୍ଚ କରିଛି। ଦୀଘାର ହୋଟେଲ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦାଙ୍କୁ ପଚରାଉଚରା କରାଯାଇଛି। ମାମଲାରେ କେବଳ ତଦନ୍ତ ନୁହେଁ, କାହାରିକୁ ଗିରଫ କିମ୍ବା ଅଟକ ରଖାଯାଇଛି କି ନାହିଁ, ତାହା ମଧ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।
ଏପଟେ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ୍ଙ୍କୁ ନନ୍ଦନକାନନରେ ରଖାଯାଇଛି। ସେମାନଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଯେପରି ସ୍ୱାଭାବିକ ରହିବ, ସେନେଇ ଆବଶ୍ୟକ ଚିକିତ୍ସା ଓ ଯତ୍ନ ନିଆଯାଉଛି। ମ୍ୟୁଜିକ୍ ଥେରାପି ମାଧ୍ୟମରେ ସେମାନଙ୍କୁ ମନୋରଞ୍ଜନ କରାଯାଉଥିବା ମଧ୍ୟ ଜଣାପଡ଼ିଛି।
ପୂର୍ବରୁ ନନ୍ଦନକାନନରେ ଓରାଙ୍ଗଉଟାନ୍ ରହିଥିବାରୁ ଏଠାକାର ପରିବେଶ ସହ ଏହି ବନ୍ୟପ୍ରାଣୀମାନେ ଧୀରେ ଧୀରେ ଅଭ୍ୟସ୍ତ ହୋଇପାରିବେ ବୋଲି ବିଶେଷଜ୍ଞମାନେ ଆଶାବାଦୀ। ଆଗାମୀ ଦିନରେ ସେମାନଙ୍କ ଦାୟିତ୍ୱରେ ଥିବା କେୟାରଟେକର୍ମାନେ ଓରାଙ୍ଗଉଟାନ୍ଙ୍କ ଯତ୍ନ ନେବା ସହ ବିଶେଷକରି ଛୁଆମାନଙ୍କ ପାଇଁ ମାଆ ଭଳି ଭୂମିକା ନେବେ।
