ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ!
ଭୁବନେଶ୍ୱର (ପିପିଏସ୍): ଆସନ୍ତା ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି ଜୋରଦାର କରିଥିବା ନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ସୂଚନା ଦେଇଛନ୍ତି।
ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଆସନ୍ତା ଅକ୍ଟୋବର ୨୪ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଘରକୁ ଘର ସର୍ଭେ କରାଯିବ। ସର୍ଭେ ପରେ ଭୋଟର ତାଲିକାକୁ ନେଇ ଆପତ୍ତି ଓ ଅଭିଯୋଗ ଗ୍ରହଣ କରାଯିବ। ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ।
ତେବେ ବର୍ତ୍ତମାନ ରାଜ୍ୟରେ ଜନଗଣନା ପ୍ରକ୍ରିୟା ଚାଲିଥିବାରୁ ଏହା ଶେଷ ହେବା ପରେ ନିର୍ବାଚନ ନେଇ ଚୂଡ଼ାନ୍ତ ଘୋଷଣା କରାଯିବ। ଅର୍ଥାତ୍ ମାର୍ଚ୍ଚ ୫ ତାରିଖ ପରେ ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି।
ସୂଚନାଯୋଗ୍ୟ, ବର୍ତ୍ତମାନର ପଞ୍ଚାୟତଗୁଡ଼ିକର କାର୍ଯ୍ୟକାଳ ଆସନ୍ତା ଫେବ୍ରୁଆରୀରେ ଶେଷ ହେଉଛି। ଜନଗଣନା ପାଇଁ ପଞ୍ଚାୟତ ନିର୍ବାଚନ ମାସେ ବିଳମ୍ବିତ ହେବାର ସମ୍ଭାବନା ଥିବା ବେଳେ ଏପ୍ରିଲ୍ରେ ନିର୍ବାଚନ ହେବା ନେଇ ଆଲୋଚନା ଚାଲିଛି।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତ ସ୍ତରରେ ଭୋଟ ଗ୍ରହଣ କରାଯିବ। ନିର୍ବାଚନ ପ୍ରସ୍ତୁତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଭୋଟର ତାଲିକା ସଂଶୋଧନ ଓ ଚୂଡ଼ାନ୍ତ ପ୍ରକାଶନ ଉପରେ ରାଜ୍ୟ ନିର୍ବାଚନ କମିଶନ ଗୁରୁତ୍ୱ ଦେଉଛି।
