ଏଣିକି ଟ୍ରାଫିକ୍‌ ଜାମ୍‌ରୁ ମିଳିବ ମୁକ୍ତି, ଭୁବନେଶ୍ୱରକୁ ଘେରିବ ୧୨୯ କିମିର ରିଙ୍ଗ୍‌ରୋଡ୍
1 min read

ଏଣିକି ଟ୍ରାଫିକ୍‌ ଜାମ୍‌ରୁ ମିଳିବ ମୁକ୍ତି, ଭୁବନେଶ୍ୱରକୁ ଘେରିବ ୧୨୯ କିମିର ରିଙ୍ଗ୍‌ରୋଡ୍

ଭୁବନେଶ୍ୱର (ପିପିଏସ୍): ଏଣିକି ଟ୍ରାଫିକ୍‌ ଜାମ୍‌ରୁ ମିଳିବ ମୁକ୍ତି। ରାଜଧାନୀ ଭୁବନେଶ୍ୱରକୁ ଘେରିବ ୧୨୯ କିଲୋମିଟର ଲମ୍ବା ରିଙ୍ଗ୍‌ରୋଡ୍‌। ରାଜଧାନୀର ଟ୍ରାଫିକ୍‌ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବାକୁ ରାଜ୍ୟ ସରକାର ଏହି ମେଗା ପ୍ରକଳ୍ପ ହାତକୁ ନେଇଛନ୍ତି।

ଏନେଇ ଆଜି ଲୋକସେବା ଭବନରେ ପୂର୍ତ୍ତମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ରିଙ୍ଗ୍‌ରୋଡ୍‌ର ଆଲାଇନ୍‌ମେଣ୍ଟ ମଧ୍ୟ ସ୍ଥିର କରାଯାଇଛି। ଏହି ପ୍ରକଳ୍ପକୁ ନେଇ ଖୁବ୍‌ଶୀଘ୍ର କାମ ଆରମ୍ଭ ହେବା ନେଇ ଆଶା ପ୍ରକାଶ ପାଇଛି।

ରାଜଧାନୀ ଭୁବନେଶ୍ୱରରେ ଯାତାୟାତ ସମୟରେ ସବୁଠାରୁ ବଡ଼ ସମସ୍ୟା ପାଲଟିଥିବା ଟ୍ରାଫିକ୍‌ ଜାମ୍‌ରୁ ମୁକ୍ତି ଦେବା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ। କେବଳ ଗଳିକନ୍ଦି ନୁହେଁ, ରାଜ୍ୟ ରାଜପଥ ଠାରୁ ଆରମ୍ଭ କରି ଜାତୀୟ ରାଜପଥ ପର୍ଯ୍ୟନ୍ତ ବିଭିନ୍ନ ରାସ୍ତାରେ ଗାଡ଼ି ଚଳାଚଳ ଚାପ କମାଇବାରେ ରିଙ୍ଗ୍‌ରୋଡ୍‌ ସହାୟକ ହେବ।

ପ୍ରସ୍ତାବିତ ୧୨୯ କିମି ରିଙ୍ଗ୍‌ରୋଡ୍‌ କ୍ୟାପିଟାଲ୍‌ ରିଜିଅନ୍‌ ରିଙ୍ଗ୍‌ରୋଡ୍‌ ସହ ଯୋଡ଼ି ହେବ। ଏହା ଫଳରେ ରିଙ୍ଗ୍‌ରୋଡ୍‌ର ମୋଟ ଲମ୍ବ ପ୍ରାୟ ୨୧୯ କିଲୋମିଟର ହେବ। ଏହି ବିଶାଳ ସଡ଼କ ନେଟୱର୍କ ଭୁବନେଶ୍ୱର ସହ କଟକ, ପୁରୀ, ପିପିଲି, ଖୋର୍ଦ୍ଧା ଓ ଚୌଦ୍ୱାର ଭଳି ପ୍ରମୁଖ ଅଞ୍ଚଳକୁ ଯୋଡ଼ିବ।

ରିଙ୍ଗ୍‌ରୋଡ୍‌ ନିର୍ମାଣ ହେଲେ ସହର ଭିତରକୁ ନ ପଶି ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ଗାଡ଼ି ଯାତାୟାତ କରିପାରିବ। ଏହାଦ୍ୱାରା ଭୁବନେଶ୍ୱର ସହର ଭିତରେ ଭାରୀ ଯାନ ଓ ବାହାର ଜିଲ୍ଲାର ଗାଡ଼ି ଚଳାଚଳ ଚାପ ହ୍ରାସ ପାଇବା ସହ ଯାତ୍ରା ସମୟ ମଧ୍ୟ କମିବ।

ରିଙ୍ଗ୍‌ରୋଡ୍‌ ବ୍ୟତୀତ ଆଉ ଦୁଇଟି ଏଲିଭେଟେଡ୍‌ ରାସ୍ତାକୁ ମଧ୍ୟ ଗ୍ରୀନ୍‌ ସିଗ୍‌ନାଲ୍‌ ମିଳିଛି। କଳିଙ୍ଗ ଷ୍ଟୁଡିଓ ଛକରୁ ନୂଆଗାଁ ଏବଂ ରଘୁନାଥପୁରରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ଏହି ଦୁଇଟି ଏଲିଭେଟେଡ୍‌ ରାସ୍ତା ନିର୍ମାଣ ହେବ। ଏଥିପାଇଁ ଖୁବ୍‌ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବା ସହ ଅକ୍ଟୋବର ପ୍ରଥମ ସପ୍ତାହ ପୂର୍ବରୁ ଫାଉଣ୍ଡେସନ୍‌ ଷ୍ଟୋନ୍‌ ପଡ଼ିବ ବୋଲି ପୂର୍ତ୍ତମନ୍ତ୍ରୀ କହିଛନ୍ତି।

ଏହା ସହ ବାରଙ୍ଗ–ପଳାଶୁଣୀ ଓ ସୁନ୍ଦରପଦା–ଜଟଣୀ ଭଳି ରାସ୍ତାର ଆଲାଇନ୍‌ମେଣ୍ଟ ମଧ୍ୟ ସ୍ଥିର କରାଯାଇଛି। ଅନ୍ୟପଟେ ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାର ମାଟି ପରୀକ୍ଷା କାମ ଜାରି ରହିଛି। ଖୁବ୍‌ଶୀଘ୍ର ଏହାର ଟେଣ୍ଡର କରାଯିବ ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ରାଜଧାନୀର ଦ୍ରୁତ ବିକାଶ ଓ ବଢ଼ୁଥିବା ଯାନବାହନ ସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ସଡ଼କ ପ୍ରକଳ୍ପଗୁଡ଼ିକୁ ଗୁରୁତ୍ୱ ଦିଆଯାଉଛି। ରିଙ୍ଗ୍‌ରୋଡ୍‌ ଓ ଏଲିଭେଟେଡ୍‌ ରାସ୍ତାଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ଭୁବନେଶ୍ୱରର ଟ୍ରାଫିକ୍‌ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିବା ସହ ଯାତ୍ରୀମାନଙ୍କୁ ଟ୍ରାଫିକ୍‌ ଜାମ୍‌ରୁ ଅନେକ ମାତ୍ରାରେ ମୁକ୍ତି ମିଳିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *