କଟକରେ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ
କଟକ: କଟକସ୍ଥିତ ଅଣ୍ଡର୍ ଷ୍ଟାଡିୟମ୍ ପରିସରରେ ରାଜ୍ୟ ବିଜେପିର ଦୁଇଦିନିଆ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି। ବୈଠକକୁ ଉଦ୍ଘାଟନ କରି ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ ଦଳୀୟ ନେତା ଓ କର୍ମକର୍ତ୍ତାଙ୍କୁ ସାଂଗଠନିକ କାର୍ଯ୍ୟ ସମ୍ପର୍କରେ ମାର୍ଗଦର୍ଶନ ଦେଇଛନ୍ତି।
ସରକାରୀ ପଦପଦବିରେ ନିଯୁକ୍ତି ପ୍ରସଙ୍ଗରେ ସରକାରଙ୍କ ନିଷ୍ପତ୍ତି ସମ୍ପୂର୍ଣ୍ଣ ହୋଇଥିବାରୁ ବ୍ୟକ୍ତିଗତ ଆଶା ଓ ଆକାଂକ୍ଷାକୁ ପଛରେ ରଖି ସାଂଗଠନିକ ସ୍ୱାର୍ଥ ପାଇଁ କାମ କରିବାକୁ ଶ୍ରୀ ବଂଶଲ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି। ମନ୍ତ୍ରୀ ଓ ବିଧାୟକମାନେ ମଧ୍ୟ କର୍ମକର୍ତ୍ତାଙ୍କ ସହ ନିୟମିତ ସମ୍ପର୍କରେ ରହିବା ସହ ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କ ସହ ଯୋଡ଼ି ହୋଇ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ଦଳୀୟ ସୂତ୍ର ଅନୁସାରେ, ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ସହ ସମବାୟ ନିର୍ବାଚନକୁ ମଧ୍ୟ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯିବ। ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ଦଳ ପ୍ରତି ସାଧାରଣ ଲୋକଙ୍କ ଆଶା ବଢ଼ିଛି। ଏହି ଆଶାକୁ ସମୟୋଚିତ ଭାବେ ପୂରଣ କରିବା ସହ ଲୋକଙ୍କ ନିକଟରେ ରହି କାମ କରିବାକୁ କର୍ମକର୍ତ୍ତାମାନଙ୍କୁ ଶ୍ରୀ ବଂଶଲ ପରାମର୍ଶ ଦେଇଛନ୍ତି।
ବରିଷ୍ଠ ନେତା ତଥା ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ବୈଠକ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିଜେପିରେ ସାଂଗଠନିକ ବୈଠକ ଏକ ନିୟମିତ ଓ ପାରମ୍ପରିକ ପ୍ରକ୍ରିୟା। ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ରାଷ୍ଟ୍ରୀୟ, ପ୍ରଦେଶ ଓ ଜିଲ୍ଲାସ୍ତରରୁ ଆରମ୍ଭ କରି ତୃଣମୂଳ ସ୍ତର ପର୍ଯ୍ୟନ୍ତ ଏଭଳି ବୈଠକ ଅନୁଷ୍ଠିତ ହୋଇଥାଏ। ସରକାର ଗଠନ ଓ ନୂଆ କାର୍ଯ୍ୟକାରିଣୀ ପରେ ଏଥର ବୈଠକକୁ ଅଧିକ ବ୍ୟାପକ କରାଯାଇଛି।

ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ କେବଳ ସ୍ଥାୟୀ ବା ନିୟମିତ ସଦସ୍ୟ ନୁହେଁ, ଦଳର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦ, ସମସ୍ତ ଦଳୀୟ ବିଧାୟକ ଓ ପ୍ରମୁଖ କର୍ମକର୍ତ୍ତାଙ୍କୁ ସାମିଲ କରାଯାଇଛି। ବାରବାଟୀର ଐତିହାସିକ ଦୁର୍ଗ ପରିସରରେ ଏହି ବୈଠକ ଅନୁଷ୍ଠିତ ହେଉଥିବାରୁ ଏହାର ଏକ ବିଶେଷ ରାଜନୈତିକ ମହତ୍ତ୍ୱ ରହିଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି।
ଦୁଇଦିନିଆ ବୈଠକକୁ ମୋଟ ୧୦ଟି ଅଧିବେଶନରେ ବିଭକ୍ତ କରାଯାଇଛି। ପ୍ରଥମ ଦିନରେ ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯିବା ସହ ପୂର୍ବ ବୈଠକର ବିବରଣୀ ଅନୁମୋଦନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ସଫଳତା ଓ ଓଡ଼ିଶାରେ ଏହାର ପ୍ରଭାବ ଉପରେ ଧନ୍ୟବାଦ ପ୍ରସ୍ତାବ ମଧ୍ୟ ଆଗତ ହେବ।
ସନ୍ଧ୍ୟା ଅଧିବେଶନରେ ସାଂସଦ ଓ ବିଧାୟକମାନଙ୍କ ସହ ସ୍ୱତନ୍ତ୍ର ଆଲୋଚନା ହୋଇ ସରକାରଙ୍କ କାର୍ଯ୍ୟକାରିତା ଓ ନିର୍ବାଚିତ ପ୍ରତିନିଧିଙ୍କ ଆଶା-ଆକାଂକ୍ଷା ଉପରେ ମତବିନିମୟ କରାଯିବ। ରବିବାର ସକାଳେ ଜିଲ୍ଲା ସଭାପତି ଓ ଜିଲ୍ଲା ପ୍ରଭାରୀମାନଙ୍କ ସହ କେନ୍ଦ୍ରୀୟ ଓ ପ୍ରାଦେଶିକ ଅଧିକାରୀମାନେ ବୈଠକ କରି ସାଂଗଠନିକ ରିପୋର୍ଟ ନେବେ। ପରବର୍ତ୍ତୀ ଅଧିବେଶନରେ କେନ୍ଦ୍ରୀୟ ଓ ପ୍ରାଦେଶିକ ପ୍ରସଙ୍ଗ ସହ ସାମ୍ପ୍ରତିକ ଘଟଣାବଳୀ ଉପରେ ଆଲୋଚନା ହୋଇ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହେବ।
ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ, ରାଜ୍ୟ ସଭାପତିଙ୍କ ସମ୍ବୋଧନ ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବି.ଏଲ୍. ସନ୍ତୋଷଙ୍କ ଉଦ୍ଯାପନୀ ଅଭିଭାଷଣ ସହ ଦୁଇଦିନିଆ ବୈଠକ ଶେଷ ହେବ।
