ପାକିସ୍ତାନରେ ପୁଣି ହିନ୍ଦୁ ମନ୍ଦିର ଭଙ୍ଗା ଅଭିଯୋଗ; ଧାର୍ମିକ ସ୍ଥଳର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ
1 min read

ପାକିସ୍ତାନରେ ପୁଣି ହିନ୍ଦୁ ମନ୍ଦିର ଭଙ୍ଗା ଅଭିଯୋଗ; ଧାର୍ମିକ ସ୍ଥଳର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ଇସଲାମାବାଦ: ପାକିସ୍ତାନରେ ହିନ୍ଦୁ ସଂଖ୍ୟାଲଘୁ ଓ ସେମାନଙ୍କ ଧାର୍ମିକ ସ୍ଥଳକୁ ନେଇ ପୁଣି ଏକ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ପଞ୍ଜାବ ପ୍ରଦେଶର ନାରୋୱାଲ ଜିଲ୍ଲାରେ ପ୍ରାୟ ୧୦୦ରୁ ୧୨୫ ବର୍ଷ ପୁରୁଣା ଏକ ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି।

ସ୍ଥାନୀୟ ଲୋକ ଓ ସଂଖ୍ୟାଲଘୁ ସଂଗଠନଗୁଡ଼ିକର ଅଭିଯୋଗ ଅନୁସାରେ, ମନ୍ଦିର ଥିବା ଜମିକୁ ନିକଟସ୍ଥ ଏକ ମଦ୍ରାସାର ଜମି ସହ ମିଶାଇବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ତେବେ ପାକିସ୍ତାନ ସରକାରଙ୍କ ପକ୍ଷରୁ ଭିନ୍ନ ଦାବି କରାଯାଇଛି। ବର୍ଷା ଯୋଗୁଁ ମନ୍ଦିରର ଢାଞ୍ଚା ଦୁର୍ବଳ ହୋଇ ଭୁଶୁଡ଼ି ପଡ଼ିଥିବା ସରକାରୀ ପକ୍ଷରୁ କୁହାଯାଇଛି।

ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ଦାବି ଅନୁଯାୟୀ, ମନ୍ଦିର ଭାଙ୍ଗିବା ପରେ ସେଠାରେ ଥିବା ଧାତୁ ସାମଗ୍ରୀ, ଇଟା ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ମଧ୍ୟ ହଟାଇ ଦିଆଯାଇଛି। ଏହାକୁ ନେଇ ଘଟଣାର ନିରପେକ୍ଷ ତଦନ୍ତ ଦାବି ଜୋର ଧରିଛି।

ଅଭିଯୋଗ ଅନୁସାରେ, ମନ୍ଦିର ନିକଟସ୍ଥ ଜମିକୁ ପୂର୍ବରୁ ଏକ ମଦ୍ରାସାକୁ ଲିଜ୍‌ ଦିଆଯାଇଥିଲା। ପରେ ଲିଜ୍‌ ଟଙ୍କା ପ୍ରଦାନ ନହେବା ଆଧାରରେ ଏହି ଲିଜ୍‌ ବାତିଲ କରାଯାଇଥିବା ଦାବି ମଧ୍ୟ ରହିଛି। ମନ୍ଦିର ସହ ଜଡ଼ିତ କିଛି ଜମି ଓ ସମ୍ପତ୍ତି ଅନ୍ୟମାନଙ୍କ ଦଖଲରେ ଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି।

ଘଟଣାକୁ ନେଇ ପାକିସ୍ତାନରେ ହିନ୍ଦୁ ଧାର୍ମିକ ସ୍ଥଳର ସୁରକ୍ଷା ଏବଂ ସଂଖ୍ୟାଲଘୁଙ୍କ ଧାର୍ମିକ ଅଧିକାର ଉପରେ ପୁଣିଥରେ ପ୍ରଶ୍ନ ଉଠିଛି। ମନ୍ଦିର ଭାଙ୍ଗିବାର ପ୍ରକୃତ କାରଣ କ’ଣ ଏବଂ ଏଥିପାଇଁ କିଏ ଦାୟୀ—ତାହା ସ୍ପଷ୍ଟ କରିବା ପାଇଁ ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି।

Leave a Reply

Your email address will not be published. Required fields are marked *