ପିଇବା ପାଣି ପାଇଁ ରାସ୍ତାରେ ଧାରଣା; ୮୦ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ସୀତାପୁର ଗ୍ରାମବାସୀ
କଳ୍ୟାଣସିଂହପୁର: ସ୍ୱାଧୀନତାର ପ୍ରାୟ ୮୦ ବର୍ଷ ପରେ ବି ପିଇବା ପାଣି ଭଳି ମୌଳିକ ସୁବିଧା ପାଇଁ ରାସ୍ତାକୁ ଓହ୍ଲାଇବାକୁ ପଡ଼ୁଛି ଗ୍ରାମବାସୀଙ୍କୁ। ଗାଁକୁ ପାନୀୟ ଜଳ ଯୋଗାଣ ଦାବିରେ ଆଜି ରାସ୍ତାରେ ଧାରଣା ଦେଇଛନ୍ତି ଲୋକେ। ପ୍ରଶାସନିକ ବ୍ୟବସ୍ଥାର ଅପାରଗତାର ଏହା ଏକ ସ୍ପଷ୍ଟ ଚିତ୍ର ବୋଲି ଅଭିଯୋଗ ହୋଇଛି।
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅଧୀନ ନାରାୟଣପୁର ପଞ୍ଚାୟତର ସୀତାପୁର ଗ୍ରାମର ଲୋକେ ଆଜି ରାସ୍ତା ଉପରେ ଧାରଣା ଦେଇଥିଲେ। ସୂଚନା ଅନୁଯାୟୀ, ଗ୍ରାମରେ ପ୍ରାୟ ୧୫ଟି ପରିବାରର ୧୦୦ ଜଣ ଲୋକ ବସବାସ କରୁଛନ୍ତି। ସେମାନଙ୍କ ପାଇଁ ଦୁଇଟି ନଳକୂପ ଥିଲେ ମଧ୍ୟ ସେଥିରୁ ପିଇବା ଯୋଗ୍ୟ ପାଣି ବାହାରୁନଥିବା ଅଭିଯୋଗ ହୋଇଛି।
ବାଧ୍ୟ ହୋଇ ଗ୍ରାମବାସୀ ଉକ୍ତ ନଳକୂପର ପାଣି ବ୍ୟବହାର କରୁଥିବାରୁ ଝାଡ଼ାବାନ୍ତି, କିଡ୍ନି ଓ ଚର୍ମ ଭଳି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ରହିଛି। ଦୂଷିତ ଜଳ ଯୋଗୁଁ ରୋଗାକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଗ୍ରାମବାସୀମାନେ ମଧ୍ୟ ଏନେଇ ଚିନ୍ତା ପ୍ରକାଶ କରିଛନ୍ତି।
ଗ୍ରାମର ମୌଳିକ ସମସ୍ୟା ସମ୍ପର୍କରେ ଲୋକେ ଏକାଧିକ ଥର ପଞ୍ଚାୟତ କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି। ହେଲେ ଏପର୍ଯ୍ୟନ୍ତ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।
ସୋମବାର ପୁଣି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ଗ୍ରାମବାସୀ ନିଜ ଅସନ୍ତୋଷ ପ୍ରକାଶ କରିବାକୁ ରାସ୍ତାକୁ ଓହ୍ଲାଇଥିଲେ। କଲ୍ୟାଣସିଂହପୁରରୁ ରାୟଗଡ଼ା ଯାଉଥିବା ମୁଖ୍ୟ ରାସ୍ତାର ୪୫ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ।
ଗ୍ରାମର ମହିଳା ଓ ପୁରୁଷମାନେ ଏକାଠି ହୋଇ ହାଣ୍ଡି, ବାଲଟି ଓ ଡେକ୍ଚି ଧରି ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ। ଏହା ଫଳରେ ରାସ୍ତାରେ ଯାତାୟାତ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା।
ଘଟଣା ସମ୍ପର୍କରେ ଖବର ପାଇ ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀଙ୍କ ନିର୍ଦ୍ଦେଶରେ ପୁଲିସ ଅଧିକାରୀମାନେ ସୀତାପୁର ଛକରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଗ୍ରାମବାସୀ ରାସ୍ତା ଅବରୋଧରୁ ଓହରିଥିଲେ।
ପିଇବା ପାଣି ଭଳି ମୌଳିକ ଅଧିକାର ପାଇଁ ଲୋକଙ୍କୁ ରାସ୍ତାକୁ ଓହ୍ଲାଇବାକୁ ପଡ଼ୁଥିବା ଘଟଣା ଗ୍ରାମୀଣ ବିକାଶର ବାସ୍ତବ ଚିତ୍ରକୁ ନେଇ ପୁଣି ପ୍ରଶ୍ନ ଉଠାଇଛି।
