ତପ୍ତପାଣିରେ ସ୍ୱର୍ଣ୍ଣିମ ଅଧ୍ୟାୟ ଗଞ୍ଜାମ-ଗଜପତି ସୀମାନ୍ତରେ ରାଷ୍ଟ୍ରପତିଙ୍କ ଐତିହାସିକ ଗସ୍ତ; ମା’ କନ୍ଧୁଣୀ ଦେବୀ ଓ ଶ୍ରୀ ନୀଳକଣ୍ଠେଶ୍ଵରଙ୍କ ଆଶୀର୍ବାଦ ଭିକ୍ଷା
ଦିଗପହଣ୍ଡି, ୪।୮: ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟଭରା ପୂର୍ବଘାଟ ପର୍ବତମାଳାର କୋଳରେ ଅବସ୍ଥିତ ତଥା ଗଞ୍ଜାମ-ଗଜପତି ଜିଲା ସୀମାନ୍ତର ପ୍ରସିଦ୍ଧ ଶୈବ ଓ ଶାକ୍ତ ପୀଠ ଏବଂ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ‘ତପ୍ତପାଣି’ ଆଜି ଏକ ନୂତନ ତଥା ସ୍ୱର୍ଣ୍ଣିମ ଇତିହାସର ସାକ୍ଷୀ ହୋଇଛି। ଦେଶର ପ୍ରଥମ ନାଗରିକ ତଥା ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଏହି ପବିତ୍ର ଉଷ୍ମ ପ୍ରସ୍ରବଣ ପୀଠ ଗସ୍ତ କରି ଏକ ଅବିସ୍ମରଣୀୟ ଅଧ୍ୟାୟର ସୂତ୍ରପାତ କରିଛନ୍ତି। ତପ୍ତପାଣିର ପ୍ରକୃତିଦତ୍ତ ଔଷଧୀୟ ଗୁଣସମ୍ପନ୍ନ ଗନ୍ଧକଯୁକ୍ତ ଉଷ୍ମ ପ୍ରସ୍ରବଣ ଏବଂ ସ୍ଥାନୀୟ ଆଦିବାସୀ ଓ ଜନଜାତିଙ୍କ ଅତୁଟ ଆସ୍ଥାର ପ୍ରତୀକ ମା’ କନ୍ଧୁଣୀ ଦେବୀଙ୍କ ପୀଠ ପରିଦର୍ଶନ କରିବାରେ ସେ କେବଳ ଦେଶର ପ୍ରଥମ କାର୍ଯ୍ୟରତ ରାଷ୍ଟ୍ରପତି ନୁହଁନ୍ତି, ବରଂ ଏହି ବିଶେଷ ଗସ୍ତ ସମଗ୍ର ସ୍ଥାନୀୟ ଅଞ୍ଚଳ ଓ ଜନଜାତି ସମ୍ପ୍ରଦାୟ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ ପାଲଟିଛି।
ମଙ୍ଗଳବାର ଅପରାହ୍ଣ ପ୍ରାୟ ୧ଟା ସମୟ। ଶ୍ରାବଣ ମାସର ଝିପିଝିପି ବର୍ଷା ସାଙ୍ଗକୁ ତପ୍ତପାଣିର ଘଞ୍ଚ ସବୁଜିମା ଓ ମନୋରମ ପରିବେଶ ମଧ୍ୟରେ ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର କାଭାଲକେଡ୍ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପାନ୍ଥନିବାସରେ ପହଞ୍ଚିଥିଲା। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଗଞ୍ଜାମ ଓ ଗଜପତି ଉଭୟ ଜିଲା ପ୍ରଶାସନ ଏବଂ ପୋଲିସ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଥିଲା। ପାନ୍ଥନିବାସରେ ପହଞ୍ଚିବା ପରେ ସେ କିଛି ସମୟ ବିଶ୍ରାମ ନେଇଥିଲେ। ଏହାପରେ ସେ ଏକ ସ୍ୱତନ୍ତ୍ର ପରିଧାନ (ସୁଟ୍) ପିନ୍ଧି ଉଷ୍ମ ପ୍ରସ୍ରବଣରୁ ପାଇପ୍ ଯୋଗେ ଆସୁଥିବା ସ୍ୱାସ୍ଥ୍ୟପ୍ରଦ ତଥା ଗନ୍ଧକଯୁକ୍ତ ଗରମ ପାଣିରେ ସ୍ନାନ କରିଥିଲେ। ତପ୍ତପାଣିର ଏହି ନୈସର୍ଗିକ ଉଷ୍ମ ଜଳରେ ସ୍ନାନ କଲେ ଅନେକ ଶାରୀରିକ ବ୍ୟାଧି ଦୂର ହେବା ସହ ଶରୀର ସୁସ୍ଥ ରହେ ବୋଲି ଯେଉଁ ଲୋକବିଶ୍ୱାସ ରହିଛି, ତାହାକୁ ରାଷ୍ଟ୍ରପତିଙ୍କ ଏହି ସ୍ନାନ ନୀତି ଅଧିକ ସୁଦୃଢ଼ କରିଛି।
ସ୍ନାନ ପର୍ବ ଶେଷ ହେବା ପରେ ମନ୍ଦିର ଅଭିମୁଖେ ବାହାରିଥିଲେ ରାଷ୍ଟ୍ରପତି। ଏହି ସମୟରେ ଏକ ଅପୂର୍ବ ଆଧ୍ୟାତ୍ମିକ ତଥା ସାଂସ୍କୃତିକ ପରିବେଶ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଅଞ୍ଚଳର ଜନଜାତି ସମ୍ପ୍ରଦାୟର ଶତାଧିକ ଉତ୍ସାହିତ କଳାକାରମାନେ ନିଜର ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ ଢୋଲ, ମାଦଳ ଏବଂ ପାରମ୍ପରିକ ବାଦ୍ୟର ତାଳେ ତାଳେ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରି ରାଷ୍ଟ୍ରପତିଙ୍କୁ ପାଛୋଟି ଆଣିଥିଲେ। ବାଦ୍ୟର ତାଳେ ତାଳେ ସ୍ଥାନୀୟ ସଂସ୍କୃତି ସହ ଏକାକାର ହୋଇ ରାଷ୍ଟ୍ରପତି ଉଷ୍ମ ପ୍ରସ୍ରବଣ କୁଣ୍ଡ ନିକଟରେ ବିରାଜମାନ ସ୍ଥାନୀୟ ଅଞ୍ଚଳର ଇଷ୍ଟଦେବୀ ମା’ କନ୍ଧୁଣୀ ଦେବୀଙ୍କ ମନ୍ଦିରରେ ପହଞ୍ଚିଥିଲେ।
ଏହି ଐତିହାସିକ ଗସ୍ତ ସମୟରେ ମହାମହିମ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରପତିଙ୍କ ସହଯୋଗୀ ଭାବେ ଉପସ୍ଥିତ ରହି ଉତ୍ସବର ଗରିମା ବୃଦ୍ଧି କରିଥିଲେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଆଖପାଖ ପଞ୍ଚାୟତର ବହୁ ଲୋକଙ୍କ ସମାଗମ ହୋଇଥିଲା, ଯାହା ଏକ ମହୋତ୍ସବର ଭ୍ରମ ସୃଷ୍ଟି କରୁଥିଲା। ମନ୍ଦିର ପରିସର ଶୁଭ ଶଙ୍ଖଧ୍ୱନି, ଘଣ୍ଟଘଣ୍ଟା ନାଦ ଏବଂ ବେଦଜ୍ଞ ବ୍ରାହ୍ମଣଙ୍କ ବୈଦିକ ମନ୍ତ୍ରୋଚ୍ଚାରଣରେ ଏକ ପବିତ୍ର ତଥା ଭକ୍ତିମୟ ପରିବେଶରେ ପ୍ରକମ୍ପିତ ହୋଇଉଠିଥିଲା। ପାରମ୍ପରିକ ଆଦିବାସୀ ରୀତିନୀତି ଅନୁଯାୟୀ ମନ୍ଦିରର ମୁଖ୍ୟ ପୂଜକ ଓ ସେବାୟତମାନେ ଅତ୍ୟନ୍ତ ଶ୍ରଦ୍ଧା, ଭକ୍ତି ଓ ଆନ୍ତରିକତାର ସହ ମା’ଙ୍କ ଆଶୀର୍ବାଦ ସ୍ୱରୂପ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ।
ପବିତ୍ର ନୀତିକାନ୍ତି ଏବଂ ବିଧିବିଧାନ ଅନୁଯାୟୀ ରାଷ୍ଟ୍ରପତି ମା’ କନ୍ଧୁଣି ଦେବୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ପୂଜାର୍ଚ୍ଚନା କରିଥିଲେ। ସେ ଦେଶର ଉତ୍ତରୋତ୍ତର ଉନ୍ନତି, ଶାନ୍ତି, ସମୃଦ୍ଧି, ଅଖଣ୍ଡ ଏକତା ଏବଂ ସର୍ବସାଧାରଣଙ୍କ ମଙ୍ଗଳ କାମନା କରି ମା’ଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହାପରେ ସେ ନିକଟସ୍ଥ ପ୍ରାଚୀନ ଶ୍ରୀ ନୀଳକଣ୍ଠେଶ୍ଵର ମହାଦେବଙ୍କ ମନ୍ଦିର ଦର୍ଶନ କରିଥିଲେ ଏବଂ ସେଠାରେ ଆୟୋଜିତ ଦିବ୍ୟ ଆଳତିରେ ଭକ୍ତିଭାବ ସହକାରେ ଅଂଶଗ୍ରହଣ କରି ଆଶିଷ ଭିକ୍ଷା କରିଥିଲେ।
ଦର୍ଶନ ଓ ପୂଜାର୍ଚ୍ଚନା ପରେ ଜିଲା ପ୍ରଶାସନ ଏବଂ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବେ ଆୟୋଜିତ ଏକ ସୁସଜ୍ଜିତ ମଞ୍ଚରେ ରାଷ୍ଟ୍ରପତି ସ୍ଥାନୀୟ ବିଭିନ୍ନ ସାଂସ୍କୃତିକ ଦଳ ଦ୍ୱାରା ପରିବେଷିତ ପାରମ୍ପରିକ ଲୋକନୃତ୍ୟ ଓ ଗୀତ ଉପଭୋଗ କରିଥିଲେ। ଜଣେ ଆଦର୍ଶ ଶିକ୍ଷୟିତ୍ରୀ ଭାବରେ ନିଜର ଅତୀତର ଅନୁଭୂତିକୁ ସ୍ମରଣ କରି ରାଷ୍ଟ୍ରପତି ସେଠାରେ ଉପସ୍ଥିତ ଥିବା କୁନି କୁନି ପିଲା ଏବଂ ଛାତ୍ରୀମାନଙ୍କୁ ନିକଟକୁ ଡାକି ସ୍ନେହଭରା ଆଳାପ କରିଥିଲେ ଏବଂ ଅତି ଆଦରରେ ନିଜ ହାତରେ ସେମାନଙ୍କୁ ଚୋକଲେଟ୍ ବାଣ୍ଟିଥିଲେ।
ଏହି ବିଶାଳ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ୍, ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ (ଏସ.ପି.) ଡା. ଶ୍ରବଣା ବିବେକ ଏମ., ଗଞ୍ଜାମ ଏସ.ପି. ହରିଶ୍ ବି. ସି., ଆସିକା ଲୋକସଭା ସାଂସଦ ଅନିତା ଶୁଭଦର୍ଶନୀ, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ସାନଖେମୁଣ୍ଡି ବ୍ଲକ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ଏବଂ ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ ଗଞ୍ଜାମ ଓ ଗଜପତି ଜିଲାର ବହୁ ସଂଖ୍ୟକ ଉଚ୍ଚପଦସ୍ଥ ପ୍ରଶାସନିକ ଏବଂ ପୋଲିସ ଅଧିକାରୀ ଉପସ୍ଥିତ ରହି ସୁପରିଚାଳନା କରିଥିଲେ।
ସମସ୍ତ କାର୍ଯ୍ୟକ୍ରମ ଶେଷ ହେବା ପରେ ରାଷ୍ଟ୍ରପତି ତପ୍ତପାଣି ପାନ୍ଥ ନିବାସରେ ମଧ୍ୟାହ୍ନ ଭୋଜନ ଗ୍ରହଣ କରିଥିଲେ। ସେଠାରେ କିଛି ସମୟର ବିଶ୍ରାମ ପରେ ଅପରାହ୍ଣ ପ୍ରାୟ ୪ଟା ସମୟରେ ତାଙ୍କର କାଭାଲକେଡ୍ ତପ୍ତପାଣିରୁ ବାହାରିଥିଲା। ଠିକ୍ ସାଢେ ୪ଟାରେ ରାଷ୍ଟ୍ରପତିଙ୍କ ଶୋଭାଯାତ୍ରା ଦିଗପହଣ୍ଡି ସହର ଅତିକ୍ରମ କରି ଭାୟା ବ୍ରହ୍ମପୁର ଦେଇ ଗୋପାଳପୁର ଅଭିମୁଖେ ଯାତ୍ରା କରିଥିଲା।
ଏହି ଅବିସ୍ମରଣୀୟ ଦିବସ ଅବସରରେ ମା’ କନ୍ଧୁଣି ଦେବୀଙ୍କ ମୁଖ୍ୟ ପୂଜକ ପ୍ରଶାନ୍ତ କୁମାର ଜାନୀ ଅତ୍ୟନ୍ତ ଭାବବିହ୍ୱଳ ତଥା ଆନନ୍ଦିତ ହୋଇ ନିଜର ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, “ଦେଶର ସର୍ବୋଚ୍ଚ ପ୍ରତିନିଧି ମହାମହିମ ରାଷ୍ଟ୍ରପତିଙ୍କୁ ଆମର ପ୍ରାଚୀନ ପରମ୍ପରା ଅନୁଯାୟୀ ଶଙ୍ଖଧ୍ୱନି, ଘଣ୍ଟନାଦ ଓ ବୈଦିକ ରୀତିନୀତିରେ ସ୍ୱାଗତ କରିବା ଆମ ପାଇଁ ପରମ ସୌଭାଗ୍ୟର ବିଷୟ। ମା’ କନ୍ଧୁଣି ଦେବୀଙ୍କ ପବିତ୍ର ପୀଠର ଇତିହାସରେ ଏହା ନିଶ୍ଚିତ ରୂପେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ହୋଇ ରହିବ।” ରାଷ୍ଟ୍ରପତିଙ୍କ ଏହି ଐତିହାସିକ ଗସ୍ତ କେବଳ ସମଗ୍ର ଅଞ୍ଚଳରେ ଏକ ଉତ୍ସବର ମାହୋଲ ସୃଷ୍ଟି କରିନାହିଁ, ବରଂ ଓଡ଼ିଶାର ସମୃଦ୍ଧ ଜନଜାତି ସଂସ୍କୃତି, ପରମ୍ପରା ଏବଂ ତପ୍ତପାଣି ଭଳି ଏକ ଅନନ୍ୟ ଧାର୍ମିକ ଓ ପ୍ରାକୃତିକ ପର୍ଯ୍ୟଟନ କ୍ଷେତ୍ରକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏକ ବିଶାଳ ପରିଚୟ ପ୍ରଦାନ କରିବାରେ ବେଶ୍ ସହାୟକ ହୋଇପାରିଛି।
