ବିଶ୍ୱର ସର୍ବଶ୍ରେଷ୍ଠ ଫେସନ ସୋ ଲଣ୍ଡନରେ  ପ୍ରଦର୍ଶିତ ହେବ ହାବସପୁରୀ ପାଟ ଓ ସମ୍ବଲପୁରୀ ବସ୍ତ୍ର
1 min read

 ବିଶ୍ୱର ସର୍ବଶ୍ରେଷ୍ଠ ଫେସନ ସୋ ଲଣ୍ଡନରେ  ପ୍ରଦର୍ଶିତ ହେବ ହାବସପୁରୀ ପାଟ ଓ ସମ୍ବଲପୁରୀ ବସ୍ତ୍ର

ଭବାନୀପାଟଣା/ଜୁନାଗଡ଼, ୨୨/୭: ବିଶ୍ୱର ସର୍ବଶ୍ରେଷ୍ଠ ଫ୍ୟାସନ ସୋ “ଲଣ୍ଡନ ଫ୍ୟାଶନ ୱିକ୍” ପାଇଁ ଡିଜାଇନ ଚୟନ ପ୍ରକିୟା ଆରମ୍ଭ ହୋଇଛି। ଏଥିରେ ବିଭିନ୍ନ ଦେଶର ବଡ଼ ବଡ଼ ଡିଜାଇନର ମାନଙ୍କ ପ୍ରସ୍ତୁତ ଡିଜାଇନମାନ ଭାଗ ନେଇଥିଲା। ସେଥିମଧ୍ୟରୁ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଚୈଗୁଡା ଗ୍ରାମର ଆନ୍ତର୍ଜାତୀୟ ଫ୍ୟାସନ ଡିଜାଇନର୍ ସୁଜିତ୍ ମେହେରଙ୍କ ହାବସପୁରୀ ପାଟ ଶାଢ଼ୀ ପ୍ରଦର୍ଶିତ ପାଇଁ ଚୟନ ହୋଇଛି।

ଆସନ୍ତା ନଭେମ୍ବର ୨୧/୨୨ ତାରିଖରେ ନୋଭୋଟେଲ ଲଣ୍ଡନ ହାମର୍‌ସ୍ମିଥ୍ ଠାରେ ଏହି ଫ୍ୟାଶନ ୱିକ୍ ଅନୁଷ୍ଠିତ ହେବ। ଏଥିରେ ଭାରତ ପକ୍ଷରୁ ସୁଜିତ ପ୍ରତିନିଧିତ୍ୱ କରି ଓଡ଼ିଶାର ପ୍ରଥମ ହସ୍ତତନ୍ତ ଭାବରେ ନିଜର ସ୍ପେଶାଲ୍ କଲେକ୍ସନ ହାବସପୁରୀ ଶାଢ଼ୀ ପ୍ରଦର୍ଶନ କରିବେ।ଯାହାକୁ ନେଇଁ କଳାହାଣ୍ଡି ଜିଲାରେ ଖୁସିର ଲହରୀ ଦେଖାଦେଇଛି। 

ପ୍ରକାଶ ଯେ, ସୁଜିତ ପାରମ୍ପରିକ ଭାରତୀୟ ହସ୍ତତନ୍ତକୁ ଆଧୁନିକ ଲକ୍ସୁରୀ (ବିଲାସପୂର୍ଣ୍ଣ)ଫ୍ୟାଶନରେ ରୂପାନ୍ତରିତ କରିବା ପାଇଁ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କରିଛନ୍ତି। ସେ ନିଜର ଲେବଲ୍ ‘ତିଳୋତ୍ତମା’ ମାଧ୍ୟମରେ ସମ୍ବଲପୁରୀ ଏବଂ ହାବସପୁରୀ ବସ୍ତ୍ରର ପୁନରୁଦ୍ଧାର ପାଇଁ କାର୍ଯ୍ୟ କରିବା ସହ ଶତାଧିକ କାରିଗର ଓ ବୁଣାକାରଙ୍କ ପାଇଁ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି।

ତାଙ୍କର ଚିନ୍ତାଧାରା, “ମୁଁ କେବଳ ଡିଜାଇନ କରେ ନାହିଁ, ମୁଁ ଏକ ସାମାଜିକ କାରଣ ପାଇଁ ଡିଜାଇନ କରେ” ଏଭଳି ଏକ ବ୍ରାଣ୍ଡକୁ ପ୍ରତିପାଦିତ କରେ ଯାହା ଐତିହ୍ୟ, କାରିଗରୀ ଏବଂ ନୂତନତାକୁ ଆଧୁନିକ ବିଳାସିତା ସହ ସଂଯୋଗ କରିଥାଏ।ଇଣ୍ଡିଆ ଫ୍ୟାଶନ ୱିକ୍ ଲଣ୍ଡନ ଭାରତୀୟ ଡିଜାଇନର ଶ୍ରେଷ୍ଠତାକୁ ଉତ୍ସବ ଭାବେ ପାଳନ କରୁଥିବା ଏକ ପ୍ରମୁଖ ଆନ୍ତର୍ଜାତୀୟ ପ୍ଲାଟଫର୍ମ ଭାବେ ନିଜର ସୁନାମ ଅର୍ଜନ କରିଛି। ଏହା ବିଶ୍ୱସ୍ତରୀୟ କ୍ରେତା, ଗଣମାଧ୍ୟମ, ସେଲିବ୍ରିଟି ଏବଂ ଫ୍ୟାଶନ ପ୍ରେମୀମାନଙ୍କୁ ଏକାଠି କରିବା ସହ ଭାରତର ଫ୍ୟାଶନ ଶିଳ୍ପର ସୃଜନଶୀଳତା, କାରିଗରୀ ଏବଂ ସାଂସ୍କୃତିକ ସମୃଦ୍ଧତାକୁ ପ୍ରଦର୍ଶନ କରିଥାଏ। ସୁଜିତ୍ ମେହେରଙ୍କ ଏହି ଅଂଶଗ୍ରହଣ ଏହି ଇଭେଣ୍ଟର ପ୍ରତିବଦ୍ଧତାରେ ଆଉ ଏକ ମାଇଲଖୁଣ୍ଟ ସଦୃଶ, ଯାହା ଏଭଳି ଡିଜାଇନର୍‌ମାନଙ୍କୁ ଉପସ୍ଥାପିତ କରେ ଯାହାଙ୍କ କାର୍ଯ୍ୟ କେବଳ ସୌନ୍ଦର୍ଯ୍ୟଗତ ଭାବେ ଅନୁପ୍ରାଣିତ କରେ ନାହିଁ, ବରଂ ପାରମ୍ପରିକ କାରିଗରୀର ସଂରକ୍ଷଣ ମାଧ୍ୟମରେ ଏକ ଅର୍ଥପୂର୍ଣ୍ଣ ସାମାଜିକ ପ୍ରଭାବ ମଧ୍ୟ ସୃଷ୍ଟି କରିଥାଏ ବୋଲି ଲଣ୍ଡନ ଫ୍ୟାଶନ ୱିକ୍ ପକ୍ଷରୁ ଚୟନ ଏହି ବିଜ୍ଞପ୍ତିରୁ ଜଣାପଡିଛି।

ଏ ନେଇଁ ଆନ୍ତର୍ଜାତୀୟ ଫ୍ୟାସନ ଡିଜାଇନର୍ ସୁଜିତ୍ ମେହେରଙ୍କୁ ପଚାରିବାରୁ ବିଶ୍ୱର ସର୍ବଶ୍ରେଷ୍ଠ ଫ୍ୟାସନ ସୋ “ଲଣ୍ଡନ ଫ୍ୟାଶନ ୱିକ୍” ରେ ଓଡିଶାରୁ ପ୍ରଥମ ହସ୍ତତନ୍ତ ଭାବରେ ହାବସପୁରୀ ପାଟ ଶାଢ଼ୀ ପ୍ରଦର୍ଶିତ ହେବ। ଯାହା ଜିଲା ତଥା ରାଜ୍ୟ ପାଇଁ ଗୌରବର ବିଷୟ ବୋଲି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *