ରାଜ୍ୟରେ ଆଉ ୫ ଦିନ ଧୂଆଁଧାର ବର୍ଷା: ଘୂର୍ଣ୍ଣିବଳୟ ପ୍ରଭାବରେ ଅଶାନ୍ତ ପାଣିପାଗ
ଭୁବନେଶ୍ଵର, ୨୨/୭: ଓଡ଼ିଶାରେ ଜାରି ରହିଛି ମୌସୁମୀ ବର୍ଷାର ତାଣ୍ଡବ। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ଏକ ସକ୍ରିୟ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସହିତ ଦୁଇଟି ମୌସୁମୀ ଟ୍ରଫ୍-ଲାଇନ୍ (Trough lines) ର ପ୍ରଭାବ ଯୋଗୁଁ ରାଜ୍ୟର ବିଭିନ୍ନ ଭାଗରେ ବର୍ଷା ପ୍ରକୋପ ବୃଦ୍ଧି ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ବର୍ଷା ଜାରି ରହିବ।ତେବେ ବର୍ତ୍ତମାନ ସୁଦ୍ଧା କୌଣସି ସମ୍ଭାବ୍ୟ ଲଘୁଚାପ ନେଇ ସୂଚନା ଦିଆଯାଇ ନଥିଲେ ହେଁ, ପ୍ରବଳ ବର୍ଷା ଓ ଘଡ଼ଘଡ଼ିକୁ ଦୃଷ୍ଟିରେ ରଖି ଏକାଧିକ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି।

ସ୍ୱାଭାବିକଠାରୁ ୧୩ ପ୍ରତିଶତ ଅଧିକ ବର୍ଷା ରେକର୍ଡ ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଏପର୍ଯ୍ୟନ୍ତ ସ୍ୱାଭାବିକଠାରୁ ୧୩ ପ୍ରତିଶତ ଅଧିକ ବର୍ଷା ହୋଇସାରିଛି। ଗତକାଲି (ମଙ୍ଗଳବାର) ମଧ୍ୟ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା।
ଅତି ପ୍ରବଳ ବର୍ଷା ହୋଇଥିବା ଜିଲ୍ଲା: ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଏବଂ ନୂଆପଡ଼ା।
ବ୍ୟାପକ ବର୍ଷା ଅନୁଭୂତ ହୋଇଥିବା ଜିଲ୍ଲା: ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଦେବଗଡ଼, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ବୌଦ୍ଧ, ସୋନପୁର, ବଲାଙ୍ଗୀର, କନ୍ଧମାଳ, ନୟାଗଡ଼, କଳାହାଣ୍ଡି, ଗଞ୍ଜାମ ଓ ନବରଙ୍ଗପୁର।
