ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଙ୍କୁ ଉଥାଇନେଲା ପୋଲିସ୍।
ନୂଆଦିଲ୍ଲୀ, ୨୧/୭: ଛାତ୍ରଛାତ୍ରୀଙ୍କ ସମସ୍ୟା ଓ ନ୍ୟାୟ ଦାବିରେ ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି ପ୍ରବଳ ରାଜନୈତିକ ଉତ୍ତେଜନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରୀ ବାସଭବନ ‘୭ ଲୋକ କଲ୍ୟାଣ ମାର୍ଗ’ ବାହାରେ ଧାରଣା ଦେଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କ ସମେତ ବହୁ ବିରୋଧୀ ନେତାଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି। ସମସ୍ତ ନେତାଙ୍କୁ ପୋଲିସ ବସ୍ରେ ବସାଇ ପ୍ରଦର୍ଶନ ସ୍ଥଳରୁ ଅନ୍ୟତ୍ର ନେଇଯାଇଛି।
ସତ୍ୟାଗ୍ରହ ଆଗରେ ସରକାରଙ୍କ ଶକ୍ତି ଫିକା।
ପୋଲିସ କାର୍ଯ୍ୟାନୁଷ୍ଠାନ ପରେ କେନ୍ଦ୍ର ସରକାରଙ୍କ ଉପରେ ତୀବ୍ର ବର୍ଷିଛନ୍ତି ରାଇବରେଲି ସାଂସଦ ରାହୁଲ ଗାନ୍ଧୀ। ସେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ସରକାର ନିଜର ସମସ୍ତ ବଳ ଓ ଶକ୍ତି ପ୍ରୟୋଗ କରିନେବା ପରେ ବି ଛାତ୍ରଛାତ୍ରୀଙ୍କ ନ୍ୟାୟ ପାଇଁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଅଟକିବ ନାହିଁ। “ଆମକୁ ଗିରଫ କରନ୍ତୁ କିମ୍ବା ଜେଲ୍ ପଠାନ୍ତୁ, କୌଣସି ଫରକ ପଡ଼ିବ ନାହିଁ। ମୋଦୀ ସରକାରଙ୍କ କ୍ଷମତା ଓ ଅହଙ୍କାରଠାରୁ ଆମ ସତ୍ୟାଗ୍ରହର ଶକ୍ତି ବହୁତ ବଡ଼। ଆମ ପିଲାମାନଙ୍କ ଉପରେ ହୋଇଥିବା ଅତ୍ୟାଚାରର ହିସାବ ସରକାରଙ୍କୁ ଦେବାକୁ ହିଁ ପଡ଼ିବ,” ବୋଲି ରାହୁଲ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ସକାଳେ ବିରୋଧୀ ନେତାମାନେ ଏକାଠି ହୋଇ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଚେଷ୍ଟା କରିଥିଲେ। ଧାରଣାସ୍ଥଳରେ ‘ପ୍ରଧାନମନ୍ତ୍ରୀ ଇସ୍ତଫା ଦିଅନ୍ତୁ’, ‘ଗୁଣ୍ଡାଗର୍ଦ୍ଦି ଚାଲିବ ନାହିଁ’ ଏବଂ ‘ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦିଅନ୍ତୁ’ ଭଳି ସ୍ଲୋଗାନରେ କମ୍ପିଥିଲା ପୂରା ଅଞ୍ଚଳ। ଏହି ଆନ୍ଦୋଳନରେ ସପା ମୁଖ୍ୟ ଅଖିଲେଶ ଯାଦବ ମଧ୍ୟ ସକ୍ରିୟ ଭାବେ ସାମିଲ ହୋଇ ସରକାରଙ୍କୁ ଘେରିଥିଲେ। ତେବେ ସ୍ଥିତି ଅନିୟନ୍ତ୍ରିତ ହେବା ପୂର୍ବରୁ ପୋଲିସ ଚରଣଜିତ୍ ସିଂହ ଚନ୍ନି, ସୁଖଜିନ୍ଦର ସିଂହ ରନ୍ଧାୱା ଏବଂ ଶଶିକାନ୍ତ ସେନ୍ଥିଲଙ୍କ ଭଳି ବରିଷ୍ଠ କଂଗ୍ରେସ ସାଂସଦମାନଙ୍କୁ ମଧ୍ୟ ହେପାଜତକୁ ନେଇଛି।
**ସଂସଦରେ ସ୍ୱର ଚାପି ଦିଆଯାଉଛି: ପ୍ରିୟଙ୍କା ଗାନ୍ଧୀ**
ସରକାର ଛାତ୍ରଛାତ୍ରୀଙ୍କ ପ୍ରସଙ୍ଗରେ ନିଜର ଦାୟିତ୍ୱରୁ ଓହରି ଯାଉଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଏହାର ନୈତିକ ଦାୟିତ୍ୱ ନେଇ ତୁରନ୍ତ ଇସ୍ତଫା ଦେବା ଉଚିତ ବୋଲି ରାହୁଲ ଦାବି କରିଛନ୍ତି। ଅନ୍ୟପଟେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ବିରୋଧୀ ଦଳ ସଂସଦରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବାକୁ ଚାହୁଁଥିଲେ ମଧ୍ୟ ସରକାର ସେମାନଙ୍କୁ କହିବାକୁ ସୁଯୋଗ ଦେଉନାହାନ୍ତି। ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ଚାପିବା ପାଇଁ ପୋଲିସର ଦମନମୂଳକ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରି ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।

