ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ସଙ୍କଟରେ; ଅଣ୍ଡା ଠାରୁ ପନିପରିବା ସବୁ ଆକାଶ ଛୁଆଁ
ଅସ୍ତରଙ୍ଗ, ୨୦/୦୭: ଥାଳିରେ ଭାତ, ଡାଲି ଆଉ ସାଙ୍ଗରେ ଗୋଟେ ଅଣ୍ଡା କି ପୋଷଣ ଲଡୁ। ରାଜ୍ୟ ସରକାରଙ୍କ ଏହି “ପୋଷଣ” ସ୍ୱପ୍ନ ଏବେ ବଜାର ଦର ଆଗରେ ମଳିନ ପଡୁଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ମଧ୍ୟାହ୍ନ ଭୋଜନ ଯୋଜନା ଏବେ ବଡ ସଙ୍କଟ ଦେଇ ଗତି କରୁଛି।
ଅସ୍ତରଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧୀନରେ ମୋଟ ୧୩ ସାଧନ କେନ୍ଦ୍ର ରହିଛି। ଏଥିରେ ୧୩୧ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହ ୨୨ଟି ଉଚ୍ଚ ବିଦ୍ୟାଳୟରହିଛି। ଅର୍ଥାତ ମୋଟ ୧୫୩ଟି ସ୍କୁଲରେ ହଜାର ହଜାର ପିଲା ପ୍ରତିଦିନ ମଧ୍ୟାହ୍ନ ଭୋଜନ ଖାଉଛନ୍ତି। କିନ୍ତୁ ବର୍ତମାନ ସ୍ଥିତି ହେଲା – ପାଚିକା ଙ୍କ କପାଳରେ ଚିନ୍ତାର କାରଣ।
ବର୍ତମାନ ସରକାର ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପାଇଁ ୧୧ଟଙ୍କା ୧୫ପଇସା ଓ ଷଷ୍ଠ ରୁ ଅଷ୍ଟମ ପାଇଁ ୧୪ଟଙ୍କା ୭୪ପଇସା ଦେଉଛନ୍ତି। ନବମ ଓ ଦଶମ ପାଇଁ ୧୩ଟଙ୍କା ରୁ କ୍ରମଶଃ ବୃଦ୍ଧି।ଏହି ଟଙ୍କାରେ ସପ୍ତାହକୁ ୩ଟି ଅଣ୍ଡା ଓ ୩ଟି ମାଣ୍ଡିଆ ଲଡୁ ମଧ୍ୟ ଦେବାକୁ ହେବ।

©prajatantra
କିନ୍ତୁ ବଜାର ରେ ଚିତ୍ର ଅଲଗା। ଗୋଟେ ଅଣ୍ଡା ଦର ୯ଟଙ୍କା ଟପିଗଲାଣି। ଆଳୁ, ପିଆଜ ଦର ବୃଦ୍ଧି ଶହ କଞ୍ଚା ପନିପରିବା ସବୁ ୫୦ଟଙ୍କା ଉପରେ। ଡାଲି, ତେଲ, ମସଲା ଦର ମଧ୍ୟ ଆକାଶ ଛୁଇଁଲାଣି।୧୧ଟଙ୍କା ୧୫ପଇସା ରେ ଡାଲି, ପରିବା, ତେଲ, ଇନ୍ଧନ ସାରି ଆଉ ଅଣ୍ଡା କେମିତି ଦେବୁ? ଗୋଟେ ଅଣ୍ଡାରେ ୯ ଟଙ୍କା ଚାଲିଯାଉଛି” ବୋଲି କହିଲେ ଜଣେ ପାଚିକା। ଏହି ଚାପ ଯୋଗୁଁ ଅସ୍ତରଙ୍ଗ ବ୍ଲକର ଅନେକ ବିଦ୍ୟାଳୟରେ ସୋମବାର ଅଣ୍ଡା ବନ୍ଦ କରିଦିଆଯାଇଛି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି।ଅନେକ ଶିକ୍ଷକ ସଫେଇ ଦେଇ କହିଥିଲେ ଶ୍ରାବଣ ମାସ ସୋମବାର ପିଲା ଅଣ୍ଡା ଖାଇବେ ନାହିଁ, କିନ୍ତୁ ଫଳ ମଧ୍ୟ ଦେଇ ନଥିଲେ।ଅର୍ଥାତ ସପ୍ତାହରେ ୩ ଅଣ୍ଡା ଦେବାର ନିର୍ଦ୍ଦେଶ ଥାଇ ବି ପିଲାମାନେ ୨କିମ୍ବା ୧ ଅଣ୍ଡାରେ ସନ୍ତୁଷ୍ଟ ହେଉଛନ୍ତି।
ଅଙ୍ଗନବାଡି କେନ୍ଦ୍ର ରେ ମଧ୍ୟ ସେହି ସମାନ ଅବସ୍ଥା ଅସ୍ତରଙ୍ଗ ସିଡିପିଓ କାର୍ଯ୍ୟାଳୟ ଅଧୀନରେ ୧୭୮ଟି ଅଙ୍ଗନବାଡି କେନ୍ଦ୍ର ରହିଛି। ସେଠାରେ ମଧ୍ୟ ଅଣ୍ଡା ଦର ବୃଦ୍ଧି ଯୋଗୁଁ ଅଙ୍ଗନବାଡି କର୍ମୀମାନେ ଚିନ୍ତାରେ ପଡିଛନ୍ତି। ଅଙ୍ଗନବାଡି ପାଇଁ ହାର ଆହୁରି କମ୍ ୬ଟଙ୍କା ୧୯ପଇସା ରୁ ୬ଟଙ୍କା ୭୮ପଇସା । ସେହି ଟଙ୍କାରେ ରାସନ ସହ ଗରମ ଖାଦ୍ୟ ଦେବା କଷ୍ଟକର ହୋଇପଡିଛି।ପ୍ରଶ୍ନ ଉଠୁଛି – ପୋଷଣ କେଉଁଠି?
ସରକାର କହୁଛନ୍ତି ପ୍ରାଥମିକ ପିଲାଙ୍କୁ ୪୫୦କ୍ୟାଲୋରି + ୧୨ଗ୍ରାମ୍ ପ୍ରୋଟିନ, ଉଚ୍ଚ ପ୍ରାଥମିକ କୁ ୭ଶହ କ୍ୟାଲୋରି + ୨୦ଗ୍ରାମ ପ୍ରୋଟିନ ଦରକାର। କିନ୍ତୁ ଦର ବୃଦ୍ଧି ଯୋଗୁଁ ସ୍କୁଲ କର୍ତୃପକ୍ଷ ପରିବା ଓ ଡାଲି ପରିମାଣ କମାଇବାକୁ ବାଧ୍ୟ ହେଉଛନ୍ତି।
ଶିକ୍ଷକ ଓ ଅଭିଭାବକଙ୍କ ଦାବୀ – ମଧ୍ୟାହ୍ନ ଭୋଜନ ହାରକୁ ତୁରନ୍ତ ସଂଶୋଧନ କରାଯାଉ। ନହେଲେ ପୋଷଣ ଯୋଜନା କାଗଜରେ ହିଁ ସୀମିତ ରହିଯିବ।
ପ୍ରଶ୍ନ ଗୋଟିଏ – ଯେତେବେଳେ ଗୋଟେ ଅଣ୍ଡାର ଦାମ୍ ହିଁ ୯ଟଙ୍କା , ସେତେବେଳେ ୧୧ଟଙ୍କା ୧୫ପଇସା ରେ ଗୋଟେ ପିଲାର ପେଟ ଓ ପୋଷଣ ଦୁଇଟି ଯାକ କେମିତି ପୂରିବ?
