୧୦ କୋଟି କରଜ ପାଇଁ ଜୀବନ ହାରିଲେ ଦମ୍ପତି
ଆତ୍ମହତ୍ୟା ପୂର୍ବରୁ ସେଲ୍ଫି ଉଠାଇଲେ, ଚିଠି ଲେଖିଲେ…
ନୂଆଦିଲ୍ଲୀ/ଭୁବନେଶ୍ୱର : ୧୩-୦୮-୨୪ (ପିପିଏସ ): କରଜ କାରଣରୁ ଚିନ୍ତିତ ରହି ଉତ୍ତର ପ୍ରଦେଶର ସହାରନପୁରରେ ଜଣେ ଯୁବ ବ୍ୟବସାୟୀ ନିଜ ପତ୍ନୀଙ୍କ ସହ ସୋମବାର ଗଙ୍ଗା ନଦୀକୁ ଡେଇଁ ଆତ୍ମହତ୍ୟା କରି ଥିବା ଖବର ମିଳିଛି । ୩୫ ବର୍ଷୀୟ ସୌରଭ ଓ ତାଙ୍କ ପତ୍ନୀ ମୋନା ହାଥୀପୁଲରେ ନଦୀକୁ ଡେଇଁବା ପୂର୍ବରୁ ସେଲଫି ନେବା ପରେ ଫଟୋକୁ ନିଜ ପରିବାର ସଦସ୍ୟଙ୍କ ନିକଟକୁ ଶେୟାର କରିଥିଲେ ।
ରାନୀପୁର ଥାନା ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ସୌରଭଙ୍କର ଏକ ଗହଣା ଦୋକାନ ରହିଛି । ଦମ୍ପତି ସୋମବାର ଦିନ ହିଁ ବାଇକ ଯୋଗେ ହରିଦ୍ୱାରରେ ପହଞ୍ଚି ଥିଲେ।
ଘଟଣା ବିଷୟରେ ଖବର ପାଇ ପୁଲିସ ଖୋଜାଖୋଜି ଆରମ୍ଭ କରିବା ପରେ ଯୁବକଙ୍କ ମୃତଦେହ ମିଳିଥିଲା । ତାଙ୍କ ପକେଟରେ ଥିବା ପର୍ସରୁ ତାଙ୍କ ପରିଚୟ ମିଳିବା ପରେ ଘଟଣା ବିଷୟରେ ଜଣାପଡିଥିଲା । ମାତ୍ର ମହିଳାଙ୍କ ମୃତଦେହ ଏଯାଏଁ ଜବତ ହୋଇ ନାହିଁ । ତାଙ୍କୁ ଖୋଜାଖୋଜି ଜାରି ରହିଛି।
ତଦନ୍ତ ପରେ ଜଣାପଡିଥିଲା, ସୌରଭଙ୍କ ଉପରେ ୧୦ କୋଟି ଟଙ୍କାର କରଜ ଥିଲା । ଦମ୍ପତିଙ୍କ ଦୁଇ ଶିଶୁ ରହିଛନ୍ତି । ଆତ୍ମହତ୍ୟା କରିବା ପୂର୍ବରୁ ୨ ଶିଶୁଙ୍କୁ ଅଜା ଆଈଙ୍କ ନିକଟରେ ଛାଡିଥିଲେ।ଆତ୍ମହତ୍ୟା କରିବା ପୂର୍ବରୁ ସୌରଭ ଓ ତାଙ୍କ ପତ୍ନୀଙ୍କ ଦ୍ୱାରା ଲେଖା ଯାଇଥିବା ଓ ଦସ୍ତଖତ ହୋଇଥିବା ଏକ ଚିଠି ଜବତ କରାଯାଇଥିବା ପୁଲିସ କହିଛି । କରଜରେ ଫସି ରହିଥିବାରୁ ଏଥିରୁ ବାହାରିବାର କୌଣସି ଉପାୟ ନଥିବାରୁ ଜୀବନ ଶେଷ କରିବାକୁ ଯାଉଛୁ ବୋଲି ଚିଠିରେ ଲେଖିଛନ୍ତି ।
ଚିଠିରେ ନିଜ ଦୋକାନ ଓ ଘର ପିଲାଙ୍କ ନାମରେ କରି ଅଜା ଆଈଙ୍କ ପାଖରେ ଛାଡିଥିବା କହିଛନ୍ତି । ସୌରଭ ମୃତ୍ୟୁ ପୂର୍ବରୁ ନିଜ ଦୋକାନରେ କାମ କରୁଥିବା ଜଣେ କର୍ମଚାରୀଙ୍କ ଅଡିଓ ପଠାଇଥିଲେ ଯେ ଆମେ ହରିଦ୍ୱାରରେ ଅଛୁ ଓ ମରିବାକୁ ଯାଉଛୁ । ପୁଲିସ ପକ୍ଷରୁ ଏହି ସୂଚନା ମିଳିଛି ।