ଝାରପଡ଼ା ଜେଲ୍‌ରେ ପୁଣି କଏଦୀଙ୍କ ମୃତ୍ୟୁ: କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଉତ୍ତେଜନା
1 min read

ଝାରପଡ଼ା ଜେଲ୍‌ରେ ପୁଣି କଏଦୀଙ୍କ ମୃତ୍ୟୁ: କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଉତ୍ତେଜନା

ଭୁବନେଶ୍ୱର, ୧୯-୧୦-୨୦୨୪(ପିପିଏସ ) : ଝାରପଡ଼ା ସ୍ବତନ୍ତ୍ର କାରାଗାରରେ ପୁଣି ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ଗତ ୯ବର୍ଷ ଭିତରେ ୧୧ କଏଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜିର ଘଟଣାକୁ ନେଇ ପୁଣି ବିବାଦ ଭିତରକୁ ଆସିଛି ଏହି ଜେଲ୍‌।  ଆଜି ହଠାତ୍ ମୃତ୍ୟୁର ଶିକାର ହୋଇଥିବା ବିଚାରାଧୀନ କଏଦୀ ହେଲେ ନୂଆପଲ୍ଲୀ ବେହେରାସାହିରେ ରହୁଥିବା ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ବିଦ୍ୟାଧର ଗୁରୁ(୪୮)। ଗଞ୍ଜେଇ ଚାଲାଣ ଅଭିଯୋଗରେ ସେ ଗିରଫ ହୋଇ ଜେଲ୍‌ ହାଜତରେ ଥିଲେ। କିନ୍ତୁ ଏନେଇ ଆଜି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ବିଳମ୍ବିତ ମୃତ୍ୟୁ ଖବରକୁ ନେଇ ପରିବାର ଲୋକଙ୍କ ସନ୍ଦେହ ବଢ଼ିଥିଲା ଏବଂ ହତ୍ୟା ଅଭିଯୋଗ କରି ସେମାନେ ହସ୍ପିଟାଲ୍‌ରେ ଧାରଣା ଦେଇଥିଲେ। ବିଦ୍ୟାଧରଙ୍କ ମୁଣ୍ଡ ଓ ଶରୀରରେ ଥିବା କ୍ଷତଚିହ୍ନକୁ ନେଇ ପରିବାର ଲୋକେ ଏଭଳି ସନ୍ଦେହ କରିଥିଲେ। ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ ସେଠାରେ ପହଞ୍ଚି ଧାରଣାରେ ବସିଥିବା ପରିବାର ଲୋକଙ୍କୁ ବୁଝାସୁଝା କରି‌ବା ପରେ ସ୍ଥିତି ସାମାନ୍ୟ ସୁଧାର ଆସିଥିଲେ ବି ଉତ୍ତେଜନା ଲାଗିରହିଥିଲା। ଫଳରେ ଆଜି ମୃତଦେହ ବ୍ୟବଚ୍ଛେଦ ହୋଇପାରିନାହିଁ। 

ସୂଚନା ମୁତାବକ ବିଦ୍ୟାଧର ପରିବାର ସହ ନୂଆପଲ୍ଲୀ ବେହେରାସାହିରେ ରହୁଥିଲେ। ଗତ ୫ ତାରିଖରେ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଭୁବନେଶ୍ବର ଅବକାରୀ ବିଭାଗ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇଦିଆଯାଇଥିଲା। ଜେଲ୍‌ ପକ୍ଷରୁ ମିଳିଥିବା ସୂଚନାନୁସାରେ ଆଜି ସକାଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ଜେଲ୍‌ କର୍ତ୍ତୃପକ୍ଷ ତାଙ୍କୁ ପ୍ରଥମେ ଜେଲ୍‌ ଡିସ୍‌ପେନ୍‌ସରିରେ ଚିକିତ୍ସା କରାଇଥିଲେ। ମାତ୍ର ଏତିକିବେଳେ ସେ ସେଠାରେ ତଳେ ପଡ଼ିଯାଇଥିଲେ। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବା ଦେଖି ତାଙ୍କୁ ତୁରନ୍ତ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ପଠାଇ ଦିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ହସ୍ପିଟାଲ୍‌ରେ ପହଞ୍ଚି ଶବ ଜବତ କରିଥିଲା। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଶବ ସଂରକ୍ଷଣ ଗୃହକୁ ପଠାଇବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲା। ପରିବାର ଲୋକମାନେ ସେଠାରେ ପହଞ୍ଚିବା ପରେ ଘଟଣା ଭିନ୍ନ ରୂପ ନେଇଥିଲା। 

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ସକାଳ ସାଢ଼େ ୯ଟାରେ ବିଦ୍ୟାଧରଙ୍କ ମୃତ୍ୟୁ ଘଟିଥିଲା। ମାତ୍ର ଜେଲ୍‌ କର୍ତ୍ତୃପକ୍ଷ କି ପୁଲିସ ଏହି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ବହୁ ବିଳମ୍ବରେ ଜଣାଇଥିଲେ। ଅପରାହ୍ଣ ପ୍ରାୟ ୧ଟା ସମୟରେ ବିଦ୍ୟାଧରଙ୍କ ପତ୍ନୀ ରୁନୁ ଗୁରୁଙ୍କୁ ଜେଲ୍‌ କର୍ତ୍ତୃପକ୍ଷ ଫୋନ୍‌ କରି କହିଥିଲେ ଯେ ତାଙ୍କ ସ୍ବାମୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି। ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଛି। ରୁନୁ ଓ ତାଙ୍କ ସମ୍ପର୍କୀୟମାନେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ପହଞ୍ଚିବା ପରେ ପୁଲିସ ତାଙ୍କଠାରୁ ଏକ ଦସ୍ତଖତ ନେଇଥିଲା। ସେ ଚିକିତ୍ସାଧୀନ ସ୍ବାମୀଙ୍କୁ ଦେଖିବାକୁ ଦାବି କରୁଥିବା ବେଳେ ପୁଲିସ ତାଙ୍କୁ ପ୍ରଥମେ ଦସ୍ତଖତ ମାଗିଥିଲା। କିଛି ସମୟ ପରେ ପୁଲିସ କହିଥିଲା ଯେ ବିଦ୍ୟାଧରଙ୍କ ମୃତ୍ୟୁ ଘଟିଛି। ବ୍ୟବଚ୍ଛେଦ ଗୃହ ନିକଟକୁ ଯିବା ପରେ ପରିବାର ଲୋକଙ୍କ ସନ୍ଦେହ ବଢ଼ିଥିଲା।

ବିଦ୍ୟାଧରଙ୍କ ନାକରୁ ରକ୍ତ ବାହାରୁଥିଲା ଏବଂ ମୁଣ୍ଡର ପଛପଟ ଫାଟିଯାଇଥିଲା। ପିଠି ଓ ଶରୀରର ବିଭିନ୍ନ ସ୍ଥାନରେ ମାଡ଼ର ଚିହ୍ନ ଥିଲା। ଏହାକୁ ନେଇ ପରିବାର ଲୋକେ ପ୍ରକୃତ ସତ କ’ଣ ଜାଣିବାକୁ ଅଡ଼ି ବସିଥିଲେ। ବିଦ୍ୟାଧରଙ୍କୁ ପିଟିପିଟି ହତ୍ୟା କରାଯାଇଛି ବୋଲି ସେମାନେ ସିଧାସଳଖ ଅଭିଯୋଗ କରି ଧାରଣାରେ ବସିଥିଲେ। ଜେଲ୍‌ ଭିତରେ କେହି ଦୁର୍ବୃତ୍ତ କିମ୍ବା କର୍ମଚାରୀ ବିଦ୍ୟାଧରଙ୍କୁ ମାଡ଼ ମାରିଛି। ଜେଲ୍‌ କର୍ତ୍ତୃପକ୍ଷ ନିଜ ଦୋଷ ଲୁଚାଇବାକୁ ଯାଇ ମିଛ କହୁଛନ୍ତି ବୋଲି ସ୍ତ୍ରୀ ରୁନୁ ଅଭିଯୋଗ କରିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଓ ଜେଲ୍‌ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ପରେ ବିଦ୍ୟାଧରଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ପଦାକୁ ଆସିବ ବୋଲି ଲକ୍ଷ୍ମୀସାଗର ଥାନା ପୁଲିସ କହିଛି।

Leave a Reply

Your email address will not be published. Required fields are marked *