ତ୍ରିପୁରା ବିପକ୍ଷରେ ଗୋଟିଏ ବି ବଲ୍ ଖେଳିପାରି ନଥିବା ଓଡ଼ିଶା ସୁବିଧାରେ ୧ ପଏଣ୍ଟ ପାଇ ଖାତା ଖୋଲିଥିଲା।
ବାରବାଟୀ ଷ୍ଟାଡିୟମ୍ରେ ଜମ୍ମୁ କାଶ୍ମୀର ବିପକ୍ଷରେ ଅସଲ ପରୀକ୍ଷାର ସମ୍ମୁଖୀନ ହେବ ଗୋବିନ୍ଦ ପୋଦ୍ଦାରଙ୍କ ଦଳ।
କଟକ,୧୮-୧୦-୨୦୨୪(ପିପିଏସ) : ବାରବାଟୀ ଲଢେଇ। ରଣଜୀ ଟ୍ରଫିର ଉଦଘାଟନୀ ମ୍ୟାଚରେ ୫ ୱିକେଟ ଅକ୍ତିଆର କଲେ ସୁମିତ ଶର୍ମା। ହୋମଗ୍ରାଉଣ୍ଡ ବାରବାଟୀ ଷ୍ଟାଡିଅମରେ ରଚିଲେ ରେକର୍ଡ। ଜମୁ କଶ୍ମୀର ବିପକ୍ଷରେ ସେ ଏହି ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଶୁକ୍ରବାର ଠାରୁ ବାରବାଟୀ ଷ୍ଟାଡିଅମରେ ଆରମ୍ଭ ହୋଇଥିବା ଓଡିଶା ଓ ଜମ୍ମୁ କଶ୍ମୀର ମ୍ୟାଚରେ ଭ୍ରମଣକାରୀ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା। ପ୍ରଥମ ପାଳିରେ ଓପନର ଅଭିନବ ପୁରୀ ଓ ସୌରଭ କନୋଜିଆ ଦୁଇ ଅଙ୍କ ଛୁଇଁବା ପୂର୍ବରୁ ଓଡ଼ିଶାର ପେସ ଆଟାକ ଆଗରେ ହାର ମାନିଥିଲେ। କେବଳ ଅବଦୁଲ ସାମଦଙ୍କ ଧୂଆଁଧାର ୧୨୭ ରନର ଶତକୀୟ ପାଳି ଜମ୍ମୁ କଶ୍ମୀରକୁ ୨୭୦ ରନରେ ପହଞ୍ଚାଇଥିଲା।ଓଡିଶା ପକ୍ଷରୁ ଆଜି ରଣଜୀ ପଦାର୍ପଣ କରିଥିବା ସୁମିତ ପ୍ରଥମ ମ୍ୟାଚରେ ହିଁ ୫ ୱିକେଟ ଅର୍ଜନ କରି ବିପକ୍ଷ ଦଳକୁ ବ୍ୟାକଫୁଟକୁ ଆଣିଥିଲେ। ସେହିପରି ରାଜେଶ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ ୨ଟି ଲେଖାଏଁ ୱିକେଟ ନେଇ ଜାମ୍ମୁ କଶ୍ମୀରର ବଡ଼ ସ୍କୋରକୁ ଅଟକାଇବାରେ ସଫଳ ହୋଇଥିଲେ। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଏକ ୱିକେଟ ସହ ପ୍ରଥମ ପାଳିରେ 15 ରନ କରିଛି ଓଡିଶା। ଶାନ୍ତନୁ ମିଶ୍ର ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିବା ପରେ ଅନୁରାଗ ଷଡ଼ଙ୍ଗୀ ଓ ସନ୍ଦୀପ ପଟ୍ଟନାୟକ ପିଚରେ ଅପରାଜିତ ରହିଛନ୍ତି।
ଓଡ଼ିଶା ଦଳ: ଗୋବିନ୍ଦ ପୋଦ୍ଦାର (ଅଧିନାୟକ), ବିପ୍ଲବ ସାମନ୍ତରାୟ, ସୂର୍ଯ୍ୟକାନ୍ତ ପ୍ରଧାନ, ଅନୀଲ ପରିଡ଼ା, କାର୍ତ୍ତିକ ବିଶ୍ବାଳ, ରାଜେଶ ଧୂପର, ସନ୍ଦୀପ ପଟ୍ଟନାୟକ, ଦେବବ୍ରତ ପ୍ରଧାନ, ରାଜେଶ ମହାନ୍ତି, ହର୍ଷିତ ରାଠୋଡ଼, ସୁନୀଲ ରାଉଳ, ସ୍ବସ୍ତିକ ସାମଲ, ଅନୁରାଗ ଷଡ଼ଙ୍ଗୀ, ଶାନ୍ତନୁ ମିଶ୍ର, ସୁମିତ ଶର୍ମା, ଆଶୀର୍ବାଦ ସ୍ବାଇଁ, ତରଣୀ ସା’।
ଜମ୍ମୁ କାଶ୍ମୀର ଦଳ: ପାରସ୍ ଡୋଗ୍ରା (ଅଧିନାୟକ), ଶୁଭମ୍ ଖଜୁରିଆ, ଅବଦୁଲ ସମାଦ, ଅଭିନବ ପୁରୀ, ଶୁଭମ୍ ପୁନ୍ଦିର, ଅବିଦ୍ ମୁସ୍ତାକ, ବିଭ୍ରାନ୍ତ ଶର୍ମା, ରସିକ ସଲାମ, ରୋହିତ ଶର୍ମା (କନିଷ୍ଠ), ଉମ୍ରାନ ମଲ୍ଲିକ, ଯୁଦ୍ଧବୀର ସିଂହ, ଆକ୍ବିବ୍ ନବି, ଅହମଦ ବନ୍ଦେ, ସାହିଲ ଲୋଟରା, ଶିବାଂଶ ଶର୍ମା।