ଗିରଫ କି ମୃତ୍ୟୁକୁ ନାହିଁ ଭୟ: ଶେଖ ହାସିନା
1 min read

ଗିରଫ କି ମୃତ୍ୟୁକୁ ନାହିଁ ଭୟ: ଶେଖ ହାସିନା

ନୂଆଦିଲ୍ଲୀ/ଢାକା : ଗିରଫ ହେବାର ଭୟ ନାହିଁ, ନିର୍ଯାତନାକୁ ଭୟ ନାହିଁ, ଏପରିକି ମୃତ୍ୟୁର ଆଶଙ୍କା ଥିଲେ ମଧ୍ୟ ବାଂଲାଦେଶ ଫେରିବେ ବୋଲି ଦୃଢ଼ୋକ୍ତି କରିଛନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆୱାମୀ ଲିଗର ମୁଖ୍ୟ ଶେଖ ହସିନା। ଆସନ୍ତା ଡିସେମ୍ବରରେ ସେ ବାଂଲାଦେଶ ଫେରିବେ ବୋଲି ପୁଣିଥରେ ଘୋଷଣା କରିଛନ୍ତି। ତେବେ ଫେରିବାର ନିର୍ଦ୍ଦିଷ୍ଟ ତାରିଖ ସେ ଜଣାଇ ନାହାନ୍ତି। ୨୦୨୪ ଅଗଷ୍ଟରେ ତାଙ୍କ ସରକାରର ପତନ ପରେ ଶେଖ ହାସିନା ବାଂଲାଦେଶ ଛାଡ଼ି ଭାରତରେ ରହୁଛନ୍ତି। ତାଙ୍କୁ ଫେରାଇ ନେବାକୁ ବାଂଲାଦେଶ ସରକାର କ୍ରମାଗତ ଭାବେ ଭାରତକୁ ଅନୁରୋଧ କରିଆସୁଛନ୍ତି। ସୋମବାର ୱାଶିଂଟନ ଡିସିରେ ‘ସେଣ୍ଟର ଫର୍‌ ୟୁଏସ-ବାଂଲାଦେଶ ରିଲେସନ୍ସ’ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅନଲାଇନରେ ଯୋଗଦେଇ ହାସିନା କହିଛନ୍ତି, ମୁଁ ଡିସେମ୍ବରରେ ବାଂଲାଦେଶ ଫେରିବି। ବର୍ତ୍ତମାନର ତାରିକ ରହମାନଙ୍କ ସରକାର ତାଙ୍କୁ ଗିରଫ କରୁ କିମ୍ବା ନିର୍ଯାତନା ଦିଏ, ସେ ଫେରିବାକୁ ପଛଘୁଞ୍ଚା ଦେବେ ନାହିଁ ବୋଲି କହିଛନ୍ତି। ଶେଖ ହାସିନା କହିଛନ୍ତି, ମୁଁ ଡିସେମ୍ବରରେ ବାଂଲାଦେଶ ଫେରିବି। ମୋର ଭୟ ନାହିଁ। ମୁଁ ଜାଣିଛି, ସେମାନେ ମୋତେ ହତ୍ୟା କରିପାରନ୍ତି, ଗିରଫ କରିପାରନ୍ତି କିମ୍ବା ନିର୍ଯାତନା ଦେଇପାରନ୍ତି। କିନ୍ତୁ ଫେରିବା ମୋର ଦାୟିତ୍ୱ। ବାଂଲାଦେଶକୁ ଫେରିଲେ ତାଙ୍କୁ ଜେଲ ଯିବାକୁ ପଡ଼ିପାରେ କିମ୍ବା ହିଂସାର ସାମ୍ନା କରିବାକୁ ପଡ଼ିପାରେ ବୋଲି ସେ ଆଶଙ୍କା କରିଛନ୍ତି। ତଥାପି ଜଣେ ରାଜନୈତିକ ନେତ୍ରୀ ଭାବେ ନିଜ ସମର୍ଥକଙ୍କ ପାଖରେ ଛିଡ଼ା ହେବା ତାଙ୍କର ଦାୟିତ୍ୱ ବୋଲି ସେ କହିଛନ୍ତି। ଏଥିରେ କେତେ ବିପଦ ରହିଛି, ତାହାକୁ ମୁଁ ଖାତିର କରୁନାହିଁ। ମୋତେ ଫେରିବାକୁ ହିଁ ପଡ଼ିବ, ବୋଲି ସେ ଦୃଢ଼ତାର ସହ କହିଛନ୍ତି।

Leave a Reply

Your email address will not be published. Required fields are marked *