ମଝିରୁ ହଟିଲେ ହ୍ବାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟାରୀ କେଟି ଜକାରିଆ
1 min read

ମଝିରୁ ହଟିଲେ ହ୍ବାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟାରୀ କେଟି ଜକାରିଆ

ୱାଶିଂଟନ୍: ହ୍ବାଇଟ୍ ହାଉସର ପ୍ରେସ୍ ସେକ୍ରେଟାରୀ କେଟି ଜକାରିଆଙ୍କୁ ନିଯୁକ୍ତିର ମାତ୍ର ୫ ଦିନ ପରେ ପଦରୁ ହଟାଇ ଦିଆଯାଇଛି , ଯାହାକି ଏହି ପଦବୀରେ କୌଣସି ବ୍ୟକ୍ତିଙ୍କ ସବୁଠୁ କମ୍ ଦିନର କାର୍ଯ୍ୟକାଳ । କୁହାଯାଉଛି ଯେ, କେଟିଙ୍କୁ ପଦରୁ ହଟାଯିବାର ଘଟଣା ଗୋଟିଏ ଆମେରିକୀୟ ମିଡିଆ ହାଉସ୍ ସହ ଇଣ୍ଟରଭ୍ୟୁ ଚାଲିଥିବା ସମୟରେ ହିଁ ଘଟି ଥିଲା । କେଟି ଜକାରିଆ ଶୁକ୍ରବାର ଅପରାହ୍ନ ୧ ଟା ସମୟରେ ‘ଦି ୱାଲ୍ ଷ୍ଟ୍ରିଟ୍ ଜର୍ନାଲ’ ସହ ନିଜ ଭୂମିକା ବାବଦରେ ଆଲୋଚନା କରୁଥିଲେ । ଏହି ସମୟରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବରିଷ୍ଠ ପରାମର୍ଶଦାତା ଜେସନ୍ ମିଲର କଥାବାର୍ତ୍ତା ମଝିରେ ହସ୍ତକ୍ଷେପ କରି ଥିଲେ । ମିଲର, ଜକାରିଆଙ୍କୁ କହିଥିଲେ ଯେ ଉପରାଷ୍ଟ୍ରପତି ଜେଡି (JD) ଭେନ୍ସ ତାଙ୍କ ସହ କଥା ହେବାକୁ ଚାହୁଁଛନ୍ତି । ‘ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ’ ଅନୁସାରେ, ଜାକାରିଆ ଇଣ୍ଟରଭ୍ୟୁ ମଝିରୁ ଛାଡ଼ି ଚାଲି ଯାଇ ଥିଲେ । ଏହା ପରେ ସେ ଆଉ ଇଣ୍ଟରଭ୍ୟୁକୁ ଫେରି ନଥିଲେ କି ଚାକିରିକୁ ମଧ୍ୟ ଫେରି ନଥିଲେ । WSJ ର ସାମ୍ବାଦିକ ଫିଲିପ୍ ମେଲାନଚଥନ୍ ୱେଗମ୍ୟାନ୍ ଏକ୍ସରେ ଏହି ଘଟଣାର ଉଲ୍ଲେଖ କରିଛନ୍ତି । ଜକାରିଆଙ୍କୁ ହ୍ବାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟାରୀ ପଦ ସମ୍ଭାଳିବାର ମାତ୍ର ୫ ଦିନ ପରେ ଶୁକ୍ରବାର ଦିନ ହଟାଇ ଦିଆଯାଇ ଥିଲା । ଏହି ସମୟ ମଧ୍ୟରେ ସେ କେବଳ ଗୋଟିଏ ପ୍ରେସ୍ ବ୍ରିଫିଂକୁ ସମ୍ବୋଧିତ କରିଥିଲେ, ଯାହା ମାତ୍ର ୧୪ ମିନିଟର ଥିଲା । ଏହା ତାଙ୍କର ପ୍ରଥମ ଏବଂ ଶେଷ ବ୍ରିଫିଂ ଥିଲା, ଯାହାକୁ ନେଇ ତାଙ୍କୁ ଖୁବ୍ ସମାଲୋଚନାର ଶିକାର ହେବାକୁ ପଡ଼ି ଥିଲା । ପରବର୍ତ୍ତୀ ସମୟରେ ‘ୱାଲ୍ ଷ୍ଟ୍ରିଟ୍ ଜର୍ନାଲ’ ସହ କଥାବାର୍ତ୍ତାରେ ଜକାରିଆ କହିଥିଲେ ଯେ ପ୍ରସ୍ତୁତି ପାଇଁ ଖୁବ୍ କମ୍ ସମୟ ମିଳିଥିଲେ ବି ସେ ବ୍ରିଫିଂ କରିବାକୁ ପୂରା ଚେଷ୍ଟା କରିଥିଲେ । ସେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଅସୁବିଧାରେ ପକାଇଛନ୍ତି ବୋଲି ଏହି ଅଭିଯୋଗଗୁଡ଼ିକୁ ଖଣ୍ଡନ କରିଛନ୍ତି ଜକାରିଆ ।

Leave a Reply

Your email address will not be published. Required fields are marked *