ଫ୍ରାନ୍ସରେ ରାସ୍ତାକୁ ଓହ୍ଲାଇଲେ ଲୋକେ: ୧୮୦୦ ଗିରଫ
ଫ୍ରାନ୍ସରେ ଦର ଦାମ ଏବଂ ସେବାଗୁଡିକରେ ବୃଦ୍ଧିକୁ ନେଇ ଚାଲିଥିବା ପ୍ରତିବାଦରେ ରବିବାର ଉଗ୍ରରୂପ
ଧାରଣ କରିଛି । ଜଣେ ପ୍ରତିବାଦକାରୀଙ୍କ ମୃତ୍ୟୁକୁ ପରେ ଆନ୍ଦୋଳନକାରୀମାନେ ହିଂସାତ୍ମକ
ହୋଇଉଠିଛନ୍ତି । ଏଥିରେ ୫ ଶହରୁ ଊର୍ଦ୍ଧ୍ୱ ପୁଲିସ କର୍ମୀ ଆହତ ହୋଇଥିବା ବେଳେ ୧୮୦୦
ଆନ୍ଦୋଳନକାରୀଙ୍ୁ ପୁଲିସ ଗିରଫ କରିଛି । ଦେଶର ବିଭିନ୍ନ ସମସ୍ୟାକୁ ନେଇ ଆନ୍ଦୋଳନ ଚାଲିଆସୁଥିବା
ବେଳେ ଶନିବାର ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଆନ୍ଦୋଳନକାରୀମାନେ ସରକାରୀ
କାର୍ଯ୍ୟାଳୟଠାରୁ ଆରମ୍ଭ କରି ଦୋକାନ ବଜାର ଭଙ୍ଗାରୁଜା କରିଥିଲେ । ଫଳରେ ବିଭିନ୍ନ ସ୍ଥାନରେ
ଆନ୍ଦୋନକାରୀ ଓ ପୁଲିସ ମଧ୍ୟରେ ମୁହଁମୁହିଁ ପରିସ୍ଥିତି ଉପୁଜିଥିଲା । ରବିବାର ପ୍ରତିବାଦ କରୁଥିବା ଜଣେ
ବ୍ୟକ୍ତିଙ୍କର ହୃଦଘାତରେ ମୃତ୍ୟୁ ଘଟିବା ପରେ ଲୋକେ ତାତି ଉଠିଥିଲେ । ଆନ୍ଦୋଳନକାରୀମାନଙ୍କ
ଆକ୍ରମଣରେ ୫୦୦ରୁ ଊର୍ଦ୍ଧ୍ୱ ପୁଲିସ ଅଫିସର ଆହତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି ।
ଫ୍ରାନ୍ସରେ ମାସାଧିକାଳ ହେଲା ଛତ୍ର ଆନ୍ଦୋଳନ ଚାଲିଥିବା ବେଳେ ଏବେ ଏଥିରେ ସବୁବର୍ଗର ଲୋକେ
ସାମିଲ ହେବାରେ ଲାଗିଛନ୍ତି । ଯାହାଫଳରେ ଆନ୍ଦୋଳନ ଉଗ୍ରରୂପ ଧାରଣ କରିଛି । ପ୍ୟାରିସ ସହରରେ
ମୁଖାପିନ୍ଧା ଆନ୍ଦୋଳନକାରୀମାନେ ସରକାରୀ କାର୍ଯ୍ୟାଳୟ ଓ ଦୋକାନବଜାରରେ ବ୍ୟାପକ ଭଙ୍ଗାରୁଜା
କରିବା ପରେ ପୁଲିସ ମଧ୍ୟ ବଳପ୍ରୟୋଗ କରିଛି । ଦେଶରେ ଏପରି ପରିସ୍ଥିତି ଲାଗି ରହିବା ଫଳରେ
ରାଷ୍ଟ୍ରପତି ମାକ୍ରନଙ୍କ ଉପରେ ଚାପ ବଢିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ସେବାଷ୍ଟିଆନ୍ ଲିକର୍ଣ୍ଣୁ
ଏହି ଘଟଣା ପାଇଁ ଦେଶର ଅପରାଧୀ ଓ ବାମପନ୍ଥୀ ଉଗ୍ରବାଦକୁ ଦାୟୀ କରିଛନ୍ତି । ଆସନ୍ତା ବର୍ଷ
ଦେଶରେ ନିର୍ବାଚନ ହେବାକୁ ଥିବାରୁ ଏହି ଅସାମାଜିକ ତତ୍ତ୍ୱ ଦେଶରେ ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ
କରୁଛନ୍ତି । ଦୃଢ ହସ୍ତରେ ସେମାନଙ୍କୁ ଦମନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଛନ୍ତି ।
