ପଥଚାରୀଙ୍କ ପାଇଁ ସୁରକ୍ଷିତ ଫୁଟପାଥ ହେଉଛି ଗୋଟିଏ ମୌଳିକ ଅଧିକାର: ସୁପ୍ରିମକୋର୍ଟ
1 min read

ପଥଚାରୀଙ୍କ ପାଇଁ ସୁରକ୍ଷିତ ଫୁଟପାଥ ହେଉଛି ଗୋଟିଏ ମୌଳିକ ଅଧିକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଗୋଟିଏ ଅପ୍ରତ୍ୟାଶିତ ଚେତାବନୀ। ଦରକାର ପଡ଼ିଲେ ପ୍ରଶାସନ
ବିରୋଧରେ ବିଚାରପତିମାନେ ମଧ୍ୟ ଧାରଣାରେ ବସିବାକୁ ପଛାଇବେ ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ। ଦିଲ୍ଲୀ
ହାଇକୋର୍ଟ ନିକଟରେ ପଥଚାରୀଙ୍କ ପାଇଁ କୌଣସି ଉପଯୁକ୍ତ ବ୍ୟବସ୍ଥା ପ୍ରଶାସନ କରୁ ନଥିବାରୁ ସୁପ୍ରିମକୋର୍ଟ ଏପରି
ଧାରଣା ଚେତାବନୀ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଆଗାମୀ ଶୁଣାଣି ପୂର୍ବରୁ ଯଦି ସମସ୍ୟାର ସମାଧାନ ହୋଇ
ନଥିବ, ତା’ହେଲେ ବିଚାରପତିମାନେ କୋର୍ଟଙ୍କ ମୁଖ୍ୟ ଗେଟ୍‌ ନିକଟରେ ଧାରଣାରେ ବସିବେ। ସୁପ୍ରିମକୋର୍ଟ
ବିଚାରପତି ଜଷ୍ଟିସ ଜେବି ପାର୍ଡିୱାଲା ଓ କେବି ବିନୋଦ ଚନ୍ଦ୍ରନ ପଥଚାରୀଙ୍କ ପାଇଁ ମୌଳିକ ଭିତ୍ତିଭୂମି ନିଶ୍ଚିତ
କରିବାରେ ପ୍ରଶାସନ ବିଫଳ ହୋଇଥିବାରୁ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। କେବଳ କମିଟି ଗଠନ କରିବା
ଯଥେଷ୍ଟ ନୁହେଁ ଓ ତୃଣମୂଳ ସ୍ତରରେ ଗଠନମୂଳକ ପଦକ୍ଷେପ ଜରୁରୀ ବୋଲି ଖଣ୍ଡପୀଠ କହିଛନ୍ତି।
ଏହି ସମୟରେ ଖଣ୍ଡପୀଠ ସେମାନଙ୍କ ଆଭିମୁଖ୍ୟ ମଧ୍ୟ ସ୍ପଷ୍ଟ କରିଛନ୍ତି। ଅତିରିକ୍ତ ସଲିସିଟର ଜେନେରାଲ ବିକ୍ରମଜିତ
ବାନାର୍ଜୀଙ୍କୁ ଖଣ୍ଡପୀଠ କହିଛନ୍ତି ଯେ କାମ ସଂପୂର୍ଣ୍ଣ ଭାବେ ଶେଷ ନ ହେବା ଯାଏ ସେମାନେ ଧାରଣା ସ୍ଥଳ ଛାଡ଼ିବେ
ନାହିଁ। ଦୁଇ ବିଚାରପତିଙ୍କ ଖଣ୍ଡପୀଠ କହିଛନ୍ତି ଯେ “ଯଦି ପରବର୍ତ୍ତୀ ଶୁଣାଣି ପୂର୍ବରୁ ଆପଣ କାମ କରିବେ ନାହିଁ,
ତା’ହେଲେ ଆମେ ଦୁଇ ଜଣ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ଗେଟ୍‌ ନିକଟରେ ଧାରଣା ଦେବୁ। ଆପଣମାନେ କାମ ଶେଷ ନ
କରିବା ଯାଏ ଆମେ ଘରକୁ ଯିବୁ ନାହିଁ। ଏହାକୁ ଭଲ ଭାବେ ମନେ ରଖନ୍ତୁ। ସେଠାରେ ଆମେ ଧାରଣାରେ ବସିବୁ।
ଆମେ ବାନାର୍ଜୀଙ୍କୁ ମଧ୍ୟ ଘରକୁ ଯିବାକୁ ଦେବୁ ନାହିଁ।” ଶୁଣାଣି ବେଳେ ଫୁଟପାଥ ନିର୍ମାଣରେ ଆଉ ବିଳମ୍ବ ସହ୍ୟ
କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଯଦି ଉପଯୁକ୍ତ ପଦକ୍ଷେପ ନିଆ ନ ଯିବ, ତା’ହେଲେ ଦିଲ୍ଲୀ
ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ କୋର୍ଟ ସମନ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।  ସୁପ୍ରିମକୋର୍ଟଙ୍କ
କହିବା କଥା ଯେ ପଥଚାରୀଙ୍କ ପାଇଁ ସୁରକ୍ଷିତ ଫୁଟପାଥ ହେଉଛି ଗୋଟିଏ ମୌଳିକ ଅଧିକାର। ଏହା ଧାରା ୨୧
ମଧ୍ୟରେ ସୁରକ୍ଷିତ ରହିଛି। ଧାରା ୨୧ ଜୀବନର ଅଧିକାରକୁ ନିଶ୍ଚିତ କରିଛି ଓ ଧାରା ୧୯(୧)(ଡି)ରେ ମୁକ୍ତ ଚଳପ୍ରଚଳର
ପ୍ରାବଧାନ ରହିଛି। କୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ମଧ୍ୟ ରାସ୍ତା କଡ଼ରେ ଥିବା ଫୁଟପାଥକୁ ଚିହ୍ନଟ
କରନ୍ତୁ ଓ ଏହାକୁ ଜବରଦଖଲରୁ ମୁକ୍ତ ରଖନ୍ତୁ।

Leave a Reply

Your email address will not be published. Required fields are marked *