ଏସ୍ଆଇଆର୍ ମାମଲା: ସଞ୍ଜୟ ରାଉତଙ୍କ ଆଚରଣର ସ୍ପଷ୍ଟୀକରଣ ମାଗିଲେ ସୁପ୍ରିମ୍କୋର୍ଟ

ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)ରେ କଥିତ ଅନିୟମିତତାକୁ ନେଇ ଦାଏର ଆବେଦନର ଶୁଣାଣି କରିବା ସମୟରେ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ସଞ୍ଜୟ ରାଉତଙ୍କ ଆଚରଣ ଉପରେ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି ସୁପ୍ରିମ୍କୋର୍ଟ। ରାଉତ ନିଜ ଆଚରଣ ସମ୍ପର୍କରେ ଜବାବ ଦେବା ପରେ ହିଁ ତାଙ୍କ ପକ୍ଷରୁ ଦାଏର ଆବେଦନର ବିଚାର ଆଗକୁ ବଢ଼ିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଏଥିସହ କୋର୍ଟ ଏସ୍ଆଇଆର୍ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗର ତଦନ୍ତ ଦାବି କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅନ୍ୟ ବିରୋଧୀ ନେତାମାନେ ଦାଏର କରିଥିବା ଆବେଦନ ଉପରେ ନିର୍ବାଚନ କମିସନଙ୍କୁ ନୋଟିସ୍ ଜାରି କରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ ଗୁରୁବାର ଏହି ଆଦେଶ ଦେଇଛନ୍ତି। ଆବେଦନ ନମ୍ବର ଡବ୍ଲ୍ୟୁପି (ସି) ୧୩୫୧/୨୦୨୬ରେ ରାଉତ ଷଷ୍ଠ ଆବେଦନକାରୀ ଅଛନ୍ତି। ଖଣ୍ଡପୀଠ କହିଛନ୍ତି, ତାଙ୍କ ଆଚରଣ ସମ୍ପର୍କରେ ସ୍ପଷ୍ଟୀକରଣ ଦେବା ସର୍ତ୍ତରେ ହିଁ ତାଙ୍କ ପକ୍ଷରୁ ଦାଏର ଆବେଦନକୁ ଅସ୍ଥାୟୀ ଭାବେ ବିଚାର ପାଇଁ ଗ୍ରହଣ କରାଯାଉଛି। ଏହା ପୂର୍ବରୁ ଅକ୍ଟୋବର ୧୨ରେ ରାହୁଲ ଗାନ୍ଧୀ ଓ ଅନ୍ୟ ବିରୋଧୀ ନେତାମାନେ ନିର୍ବାଚନ କମିସନଙ୍କ ବିରୋଧରେ ଅଭିଯୋଗ ନେଇ ସୁପ୍ରିମ୍କୋର୍ଟ ଅଭିମୁଖେ ପଦଯାତ୍ରା କରିଥିଲେ। ଏହାକୁ ନେଇ ଗତ ଶୁଣାଣିରେ ଖଣ୍ଡପୀଠ କହିଥିଲେ ଯେ ନ୍ୟାୟପାଳିକା ଉପରେ କେହି ଚାପ ପକାଇପାରିବେ ନାହିଁ। ତେବେ ଜଣେ ଆବେଦନକାରୀଙ୍କ ଆଚରଣ ସମ୍ପର୍କରେ ପରବର୍ତ୍ତୀ ଶୁଣାଣିରେ ପ୍ରଶ୍ନ କରାଯିବ ବୋଲି ପ୍ରଧାନ ବିଚାରପତି କହିଥିଲେ। ସେତେବେଳେ ଖଣ୍ଡପୀଠ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ପ୍ରକାଶ କରିନଥିଲେ।
