1 min read

ଇମ୍ରାନ ଖାନଙ୍କୁ ଦେଶ ଛାଡିବାକୁ ନୋଟିସ୍

ନୂଆଦିଲ୍ଲୀ : ବଲିଉଡ୍ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ମୁମ୍ବାଇରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହୋଇଥିବା ବିରୋଧ ପ୍ରଦର୍ଶନରେ ସେ ସାମିଲ ହୋଇଥିବା ନେଇ ଖବର ପ୍ରକାଶ ପାଇଛି । ଏହା ପରେ ତାଙ୍କ ନାଗରିକତାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଓ ବିବାଦ ଦେଖାଦେଇଛି । ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନ୍‌ଙ୍କ ଜନ୍ମଗତ ଆମେରିକୀୟ ନାଗରିକତା ରହିଛି । ବିରୋଧ ପ୍ରଦର୍ଶନରେ ତାଙ୍କ ଯୋଗଦାନକୁ ନେଇ କେତେକ ମହଲରେ ଆପତ୍ତି ଉଠିବା ସହ ତାଙ୍କୁ ଭାରତରୁ ବହିଷ୍କାର କରିବାକୁ ଦାବି ହୋଇଛି । ଏହି ଘଟଣା ସମ୍ପର୍କରେ ଅଭିନେତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।ସମ୍ପୃକ୍ତ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଇମ୍ରାନ ଖାନ୍‌ଙ୍କ ବିରୋଧରେ ଇମିଗ୍ରେସନ୍‌ ଆଣ୍ଡ୍‌ ଫରେନର୍ସ ଆଇନର ଧାରା ୭ ଓ ୨୯ ଅନୁଯାୟୀ ନୋଟିସ୍‌ ଜାରି ହୋଇଥିବା ଦାବି କରାଯାଇଛି । ଗୃହ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ମୁମ୍ବାଇର ଫରେନର୍ସ ରିଜିଓନାଲ୍‌ ରେଜିଷ୍ଟ୍ରେସନ୍‌ ଅଫିସ୍‌ ଏହି ନୋଟିସ୍‌ ପଠାଇଥିବା ଖବରରେ କୁହାଯାଇଛି । ଏଥିରେ ଅକ୍ଟୋବର ୨୮ ପୂର୍ବରୁ ଦେଶ ଛାଡ଼ିବାକୁ କୁହାଯାଇଥିବା ଦାବି ହୋଇଛି। ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ହୋଇଥିବା ପ୍ରତିବାଦରେ ଇମ୍ରାନ ଖାନ୍‌ ସାମିଲ ହୋଇଥିବା ନେଇ ବିଭିନ୍ନ ଭିଡିଓ ଓ ଦୃଶ୍ୟ ସୋସିଆଲ ମିଡିଆରେ ପ୍ରସାରିତ ହୋଇଛି । ଏହାକୁ ନେଇ ତାଙ୍କୁ ଟ୍ରୋଲ୍‌ କରାଯିବା ସହ ତାଙ୍କ ନାଗରିକତା ଓ ଦେଶରେ ରହିବାର ଅଧିକାରକୁ ନେଇ ପ୍ରଶ୍ନ ଉଠାଯାଇଛି । ପ୍ରତିବାଦ ସମୟରେ ତାଙ୍କୁ ମୁମ୍ବାଇ ପୋଲିସ ଅଟକ ରଖିଥିବା ନେଇ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *