ଅସ୍ତରଙ୍ଗରେ ଭିନ୍ନକ୍ଷମଙ୍କୁ ନେଇ ଛଳନା! 
1 min read

ଅସ୍ତରଙ୍ଗରେ ଭିନ୍ନକ୍ଷମଙ୍କୁ ନେଇ ଛଳନା! 

ଅସ୍ତରଙ୍ଗ: ସରକାର କହୁଛନ୍ତି ସମସ୍ତଙ୍କ ସାଥ, ସମସ୍ତଙ୍କ ବିକାଶ। ହେଲେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ବାସ୍ତବ ଚିତ୍ର ଓଲଟା। ସୋମବାର ଅସ୍ତରଙ୍ଗ ବ୍ଲକ ପରିସରରେ ଅନୁଷ୍ଠିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ସାମୟିକ ଭାବେ ୧୧୧ ଜଣଙ୍କ ମୁହଁରେ ହସ ଫୁଟାଇଲା ସତ, ହେଲେ ଏହି ଶିବିର ବ୍ଲକ ପ୍ରଶାସନର ମୁଖା ଖୋଲି ଦେଇଛି। ଅସ୍ତରଙ୍ଗ ବ୍ଲକ ଅଧୀନ ୧୫ ଗୋଟି ପଞ୍ଚାୟତ ପାଇଁ ଆୟୋଜିତ ଏହି ଶିବିରରେ ମୋଟ ୧୧୧ ଜଣ ଭିନ୍ନକ୍ଷମ ଯୋଗ ଦେଇଥିଲେ। ତଥ୍ୟ ଅନୁଯାୟୀ ଅସ୍ଥି ଶଲ୍ୟ  ୪୩ ଜଣ (୨୫ ନୂଆ + ୧୮ ନବୀକରଣ), ନାକ -କାନ -ଗଳା – ୨୮ ଜଣ, ମାନସିକ ଅନଗ୍ରସର – ୧୩ ଜଣ, ଶିଶୁ ରୋଗ – ୦୩ ଜଣ, ଚକ୍ଷୁ – ୧୨ ଜଣ, ମେଡିସିନ – ୧୨ ଜଣ। ମୋଟ ୧୧୧ ଜଣ। ଶିବିର ସକାଳ ୧୦ଟାରେ ଆରମ୍ଭ ହେବା କଥା, ହେଲେ ବିଡିଓ ବିଳମ୍ବରେ ଆସିବାରୁ ପ୍ରାୟ ୧୧.୩୦ରେ ଆରମ୍ଭ ହେଲା। ଅସହାୟ ଭିନ୍ନକ୍ଷମ ମାନେ ବର୍ଷା ପାଗରେ ଠିଆ ହୋଇ ଅପେକ୍ଷା କରିଥିଲେ, କେହି ପଚାରିଲା ନାହିଁ।

ଏହା ତ ଗଲା ଗୋଟିଏ ଦିନର କଥା। ଅସଲ ପ୍ରଶ୍ନ ହେଲା – ଶିବିର ପରେ କଣ? ଅସ୍ତରଙ୍ଗ ବ୍ଲକର ଶହ ଶହ ପ୍ରକୃତ ଭିନ୍ନକ୍ଷମ ଆଜି ଯାଏଁ ଭତ୍ତା ପାଉନାହାଁନ୍ତି। ଲୋକେ କହୁଛନ୍ତି, ଫାଇଲ ଦେଲେ ବ୍ଲକରେ ବର୍ଷ ବର୍ଷ ପଡି ରହୁଛି। ଦଲାଲ ଧରିଲେ କାମ ହେଉଛି। ଅନ୍ୟ ପଟେ ଅଭିଯୋଗ ଆହୁରି ସଙ୍ଗୀନ। କିଛି ସୁସ୍ଥ ବ୍ୟକ୍ତି ଡାକ୍ତର ଓ କିଛି କର୍ମଚାରୀଙ୍କୁ ମ୍ୟାନେଜ କରି ମିଥ୍ୟା ଦିବ୍ୟାଙ୍ଗ ସାର୍ଟିଫିକେଟ କାଢି ଭତ୍ତା ଓ ଅନ୍ୟ ସୁବିଧା ନେଉଛନ୍ତି। ପ୍ରକୃତ ଭିନ୍ନକ୍ଷମ ବଞ୍ଚିତ ହେଉଛି, ନକଲି ମାଲାମାଲ ହେଉଛି।

ଦ୍ୱିତୀୟ ବଡ ବିଫଳତା – ପ୍ରଚାର। ୧୫ଟି ପଞ୍ଚାୟତର ଅନେକ ଗାଁରେ ମାଇକ ବାଜି ନଥିଲା। ୱାଟସଆପ ଗ୍ରୁପରେ ଗୋଟିଏ ମେସେଜ ପକାଇ ଦାୟିତ୍ୱ ସାରି ଦିଆଗଲା। ଫଳରେ ଅନେକ ଗାଁର ଲୋକ ଜାଣି ପାରିଲେ ନାହିଁ। ଯଦି ଠିକରେ ପ୍ରଚାର ହୋଇଥାନ୍ତା ତେବେ ୧୧୧ ନୁହେଁ, ୩୦୦ ଲୋକ ଆସିଥାନ୍ତେ। ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ। ବିଡିଓଙ୍କ ଏଭଳି ଦାୟିତ୍ୱହୀନତାକୁ ଲୋକେ ନିନ୍ଦା କରିଛନ୍ତି। ଏହି ଅନ୍ଧାରୀ ଭିତରେ ଆଲୋକର ରେଖା ଥିଲେ କେବଳ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ରୋଜାଲିନ ବେହେରା। ସକାଳୁ ଶେଷ ଯାଏଁ ସେ ନିଜେ ପ୍ରତି ଭିନ୍ନକ୍ଷମଙ୍କ ପାଖକୁ ଯାଇ, ହାତ ଧରି ଡାକ୍ତରଙ୍କ ପାଖକୁ ନେଇ ସାର୍ଟିଫିକେଟ କରାଇଥିଲେ। ତାଙ୍କ ବିନା ଏ ଶିବିର ଫେଲ ମାରିଥାନ୍ତା ବୋଲି ଲୋକେ କହୁଛନ୍ତି। ପ୍ରଶ୍ନ ଉଠୁଛି – ଜଣେ ଅଧିକାରିଣୀ ପାରୁଛନ୍ତି, ପୁରା ବ୍ଲକ ପ୍ରଶାସନ କାହିଁକି ପାରୁନି?

ଆଗାମୀ ଦିନରେ ସମସ୍ତଙ୍କୁ ହୁଇଲ ଚେୟାର, ଟ୍ରାଇ ସାଇକେଲ, ଶ୍ରବଣ ଯନ୍ତ୍ର, ଚଷମା, କୃତ୍ରିମ ଅଙ୍ଗ ମିଳିବ ବୋଲି ବ୍ଲକ ପକ୍ଷରୁ କୁହାଯାଇଛି, କିନ୍ତୁ ପ୍ରକୃତ ପରୀକ୍ଷା ହେବ ଏହା କେତେ ଶୀଘ୍ର ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି।

Leave a Reply

Your email address will not be published. Required fields are marked *