କାମରେ ଆସୁନି ବସ୍ଷ୍ଟାଣ୍ଡର ମାର୍କେଟ୍ କମ୍ପେ୍ଲକ୍ସ
ଖଣ୍ଡପଡ଼ା: ବହୁ ଆଡ଼ମ୍ବର ସହକାରେ ‘ଆମ ବସ୍ଷ୍ଟାଣ୍ଡ’ ଉଦ୍ଘାଟିତ
ହୋଇଥିଲା। ସମ୍ପ୍ରତି ଏହାର ସ୍ଥିତି ବଦଳି ଯାଇଛି। ବସ୍ଷ୍ଟାଣ୍ଡର ଅନେକ ସ୍ଥାନରୁ
ରଙ୍ଗ ଛାଡ଼ିଯାଇଥିବା ବେଳେ କାନ୍ଥରେ ଫାଟ ସୃଷ୍ଟି ହେଉଛି। କେବଳ
ଏହାନୁହେଁ ବସ୍ଷ୍ଟାଣ୍ଡ୍ ପରିସରରେ ଥିବା ମାର୍କେଟ୍ କମ୍ପେ୍ଲକ୍ସ ଏଯାଏଁ ବ୍ୟବହାର
ହୋଇପାରିନାହିଁ। ରାଜ୍ୟ ପୁଲିସ ହାଉସିଂ ବୋର୍ଡ୍ ଦ୍ୱାରା ପ୍ରାୟ ୬ କୋଟିରୁ
ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ବସ୍ଷ୍ଟାଣ୍ଡ୍ଟି ୨୦୨୪ ଫେବ୍ରୁଆରି ୧୫ରେ
ଉଦ୍ଘାଟିତ ହୋଇଥିଲା। ପରିସର ମଧ୍ୟରେ ଅତ୍ୟାଧୁନିକ ଆଲୋକ ବ୍ୟବସ୍ଥା
ସାଙ୍ଗକୁ ଯାତ୍ରୀ ବିଶ୍ରାମଗାର, ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ଚାଳକ ବିଶ୍ରାମ
ଗୃହ, ବସ୍ ମରାମତି ସ୍ଥାନ, ବସ୍ ଟର୍ମିନାଲ ଓ କାଫେ ଆଦିର ବ୍ୟବସ୍ଥା
ରହିଥିଲା। ପ୍ରାୟ ୨୦ ମାସ ପରେ ଏବେ ବସ୍ଷ୍ଟାଣ୍ଡଟି ଦୟନୀୟ
ହୋଇପଡ଼ିଛି। ଏକାଧିକ ସ୍ଥାନରୁ ରଙ୍ଗ ଛାଡ଼ିଯାଇଥିବା ବେଳେ ଅନେକ
ସ୍ଥାନରେ କାନ୍ଥ ଓ ଛାତରେ ଫାଟ ଦେଖାଗଲାଣି। ବସ୍ଷ୍ଟାଣ୍ଡ ପ୍ରବେଶପଥରେ
ଓ ପରିସର ମଧ୍ୟରେ ଥିବା ଦୋକାନ ଗୃହ ତଥା କାଫେଗୁଡ଼ିକ ଉଦ୍ଘାଟନ
ପରଠାରୁ ବ୍ୟବହାର ହୋଇନାହିଁ। ସହର ଠାରୁ ଦୂରରେ ଉମାଦେବୀ ସାହି
ନିକଟରେ ଏହାକୁ ସ୍ଥାପନ କରାଯାଇଛି, ଏଣୁ ଯାତାୟତର ସୁଗମତା ଦୃଷ୍ଟିରୁ
ଏଠାକୁ ଆସିବାକୁ ଯାତ୍ରୀମାନେ ଇଚ୍ଛାପ୍ରକାଶ କରୁନାହାନ୍ତି। ଲକ୍ଷ୍ମୀ ବସ୍ ବ୍ୟତୀତ
ଅନ୍ୟ ଘରୋଇ ବସ୍ ଏଠାକୁ ଆସୁନାହିଁ। ଅପରପକ୍ଷରେ, ଉଦ୍ଘାଟନ ସମୟରେ
ଘରୋଇ ମୋଟର ମାଲିକ ସଂଘକୁ ଡକାଯାଇନଥିବାରୁ ସେସମୟରେ ମଧ୍ୟ
ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବସଷ୍ଟାଣ୍ଡରୁ କିଛି ନିର୍ଦ୍ଦିଷ୍ଟ ରୁଟ୍ରେ ଲକ୍ଷ୍ମୀ
ବସ ଚଳାଚଳ ପାଇଁ ଦାବି ହେଉଥିଲେ ମଧ୍ୟ ଏନେଇ ପଦକ୍ଷେପ ନିଆଯାଇନାହିଁ।
ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ତଥା ନିମ୍ନମାନର କାମ ଯୋଗୁଁ କିଛି ମାସ
ମଧ୍ୟରେ ଏହା ଭୂତକୋଠି ପାଲଟିବ ବୋଲି ସ୍ଥାନୀୟ ବାସିନ୍ଦା ମତ ଦେଇଛନ୍ତି।

