ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡକୁ ନେଇ ତେଜ ହେଲା ରାଜନୀତି
ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ପୁଣି ଥରେ ସରଗରମ ହୋଇଛି। ବିରୋଧୀ ଓ ଶାସକ ଦଳ ମଧ୍ୟରେ ଏହି ଘଟଣାକୁ ନେଇ ବାକ୍ଯୁଦ୍ଧ ତୀବ୍ର ହୋଇଥିବା ବେଳେ କମିଶନ ରିପୋର୍ଟକୁ ନେଇ ମଧ୍ୟ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି।
ସ୍ୱାମୀଜୀଙ୍କ ୧୮ତମ ବଳିଦାନ ଦିବସ ଅବସରରେ ତାଙ୍କ ଏକମାତ୍ର ସୁପୁତ୍ର ଲୋକନାଥ ନାଥ ଜଲେଶପଟ୍ଟା ଆଶ୍ରମରେ ପହଞ୍ଚି ସ୍ୱାମୀଜୀଙ୍କ ବଳିଦାନ ପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାଙ୍କ ସହ ତାଙ୍କ ବୋହୂ ବାସନ୍ତୀ ନାଥ ମଧ୍ୟ ଉପସ୍ଥିତ ଥିଲେ।
ଏହି ଅବସରରେ ଲୋକନାଥ ନାଥ ତାଙ୍କ ବାପାଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ସେ କହିଛନ୍ତି ଯେ ଘଟଣାକୁ ଇତିମଧ୍ୟରେ ୧୮ ବର୍ଷ ବିତିଗଲାଣି। ହେଲେ ଏପର୍ଯ୍ୟନ୍ତ ହତ୍ୟାକାରୀମାନେ ଧରାପଡ଼ିନାହାନ୍ତି। ଏହା ମଧ୍ୟରେ କମିଶନଙ୍କ ତଦନ୍ତ ରିପୋର୍ଟ ମଧ୍ୟ ହଜିଯାଉଥିବା ନେଇ ସେ ଉଦ୍ବେଗ ପ୍ରକାଶ କରିଛନ୍ତି।
ସେ କହିଛନ୍ତି, ସିବିଆଇ ତଦନ୍ତ କରି ପ୍ରକୃତ ଦୋଷୀଙ୍କୁ ଗିରଫ କରି ଦଣ୍ଡ ଦେଲେ ସେ ଖୁସି ହେବେ। ସ୍ୱାମୀଜୀଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ଏବଂ ଯେଉଁ ଉଦ୍ଦେଶ୍ୟରେ ତାଙ୍କ ବଳିଦାନ ହୋଇଥିଲା, ତାହା ପୂରଣ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ, ସ୍ୱାମୀଜୀଙ୍କ ବୋହୂ ବାସନ୍ତୀ ନାଥ ମଧ୍ୟ ସ୍ୱାମୀଜୀଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ପବିତ୍ର ଜନ୍ମାଷ୍ଟମୀ ଅବସରରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଶ୍ରାଦ୍ଧ ବାର୍ଷିକୀ ସହ ବିଶ୍ୱହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ମଧ୍ୟ ପାଳିତ ହୋଇଛି। ତୁମୁଡ଼ିବନ୍ଧ ଜଲେଶପଟ୍ଟା ଗୁରୁକୁଳ ସଂସ୍କୃତ କନ୍ୟାଶ୍ରମରେ ନିରାଡ଼ମ୍ବର ଭାବେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସକାଳୁ ସୂର୍ଯ୍ୟପୂଜା, ଗୋପୂଜା ସହ ନିକଟସ୍ଥ ରାହୁଲ ନଦୀରୁ ଅନ୍ତେବାସୀଙ୍କ କଳସଯାତ୍ରା ଆୟୋଜିତ ହୋଇଥିଲା।
ଏହି ଅବସରରେ ଆଇନଜୀବୀ ପୃଥ୍ୱୀରାଜ ହରିଚନ୍ଦନ ସ୍ୱାମୀଜୀଙ୍କ ହତ୍ୟାକାଣ୍ଡରେ ଷଡ଼ଯନ୍ତ୍ର ଥିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି। କମିଶନ ରିପୋର୍ଟକୁ ପୂର୍ବ ସରକାର ଜାଣିଶୁଣି ହଜାଇ ଦେଇଥିବା ଅଭିଯୋଗ ମଧ୍ୟ ସେ ଆଣିଛନ୍ତି।
ସେ କହିଛନ୍ତି ଯେ ଘଟଣାଟି ଅତ୍ୟନ୍ତ ଜଘନ୍ୟ ଥିଲା ଏବଂ ଏହାକୁ ନେଇ ଯେତେ ନିନ୍ଦା କଲେ ମଧ୍ୟ କମ୍। କମିଶନ ରିପୋର୍ଟ କିଭଳି ହଜିଲା, ଏହା ପଛରେ କିଏ ଥିଲେ ଏବଂ ରିପୋର୍ଟ ପ୍ରକାଶ ପରେ କେଉଁମାନେ ଦୋଷୀ ଧରାପଡ଼ିବେ—ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।
ଏହି ପ୍ରସଙ୍ଗକୁ ନେଇ ଶାସକ ଦଳ ପକ୍ଷରୁ ପୁଣି ତଦନ୍ତ ଓ କମିଶନ ରିପୋର୍ଟ ପ୍ରକାଶ କରିବା ନେଇ ଜୋର ଦିଆଯାଉଥିବା ବେଳେ ବିରୋଧୀ ଦଳ ଏହାକୁ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି ପାଲଟା ଅଭିଯୋଗ କରୁଛି। ଫଳରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ପୁଣି ତାତିଛି।
