ଓଡ଼ିଶାରେ ବର୍ଷାର ପ୍ରକୋପ ଜାରି; ୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଜାରି ରହିବ ବର୍ଷା
1 min read

ଓଡ଼ିଶାରେ ବର୍ଷାର ପ୍ରକୋପ ଜାରି; ୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଜାରି ରହିବ ବର୍ଷା

ଭୁବନେଶ୍ୱର: ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରକୋପ ଜାରି ରହିବ। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ରେଡ୍‌, ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି କରାଯାଇଛି।

ବିଶେଷକରି ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ଓ ଝଡ଼ ପବନର ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜରେ ଅତି ପ୍ରବଳରୁ ଅତ୍ୟଧିକ ବର୍ଷା ହୋଇପାରେ। ଏହି ଜିଲ୍ଲାଗୁଡ଼ିକ ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି।

ସେହିପରି ଯାଜପୁର, ଜଗତସିଂହପୁର, କଟକ, ଅନୁଗୋଳ, ଢେଙ୍କାନାଳ ଓ କେନ୍ଦୁଝର ପାଇଁ ଅରେଞ୍ଜ ଆଲର୍ଟ ରହିଛି। ଏହି ଅଞ୍ଚଳଗୁଡ଼ିକରେ ପ୍ରବଳ ବର୍ଷା ସହ ପବନ ଓ ବଜ୍ରପାତ ହେବାର ଆଶଙ୍କା ରହିଛି।

ରାଜ୍ୟର ୧୫ଟି ଜିଲ୍ଲାରେ ୟେଲୋ ଆଲର୍ଟ ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ଝଡ଼ ପବନ ଓ ବଜ୍ରପାତର ସମ୍ଭାବନା ରହିଛି। ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ପାଇଁ ରେଡ୍‌ ଆଲର୍ଟ ବଳବତ୍ତର ରହିବ। ଭଦ୍ରକ, ଯାଜପୁର, କଟକ, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳରେ ଅରେଞ୍ଜ ସତର୍କତା ଜାରି ହୋଇଛି।

ସେପ୍ଟେମ୍ବର ୧ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ ନୂଆପଡ଼ା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ସେପ୍ଟେମ୍ବର ୨ ଓ ୩ ତାରିଖରେ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ସମେତ ଆଖପାଖ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି।

ସେହିପରି ସେପ୍ଟେମ୍ବର ୪ ଓ ୫ ତାରିଖରେ ବରଗଡ଼ ସମେତ କେତେକ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି ରହିବ। ଲଗାତାର ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ ଓ ଯାତାୟାତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଥିବାରୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *