ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ବିରୋଧୀ ନେତାଙ୍କୁ ନବୀନଙ୍କ ଜବାବ
1 min read

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ବିରୋଧୀ ନେତାଙ୍କୁ ନବୀନଙ୍କ ଜବାବ

ଭୁବନେଶ୍ୱର: ଖଣି ଓ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ଆଇନ, ୨୦୨୬କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡ଼ିଶାର ସାଂସଦମାନଙ୍କୁ ଦେଇଥିବା ଚିଠିର ପ୍ରତ୍ୟୁତ୍ତର ରଖିଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତଥ୍ୟକୁ ଗୋପନ ରଖି ମିଛ ଭୟ ସୃଷ୍ଟି କରି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ଗ୍ରହଣୀୟ ନୁହେଁ ବୋଲି ସେ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି, ଗଣତନ୍ତ୍ରରେ ରାଜନୈତିକ ଆଲୋଚନା ଏକ ସ୍ୱାଭାବିକ ପ୍ରକ୍ରିୟା। ତେବେ ସଂସଦରେ ଓଡ଼ିଶାର ସ୍ୱର ଭାବେ ଜାତୀୟ ବିକାଶ ସହ ରାଜ୍ୟର ଅର୍ଥନୀତିର ବ୍ୟାପକତା ଏବଂ ସଂରଚନାଗତ ସ୍ୱାର୍ଥର ସୁରକ୍ଷା କରିବା ସାଂସଦମାନଙ୍କ ପ୍ରାଥମିକ ଦାୟିତ୍ୱ।

ଧର୍ମେନ୍ଦ୍ର ପ୍ରଧାନଙ୍କ ମତରେ, ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ, ୨୦୨୬ ଏକ ଐତିହାସିକ ପଦକ୍ଷେପ। ଏହା ଆର୍ଥିକ ଅଭିବୃଦ୍ଧି, ଭିତ୍ତିଭୂମି ବିକାଶ, ରାଜ୍ୟ ରାଜସ୍ୱର ସୁରକ୍ଷା ଏବଂ ନାଗରିକଙ୍କୁ ମୁଦ୍ରାସ୍ଫୀତିରୁ ସୁରକ୍ଷା ଦେବାରେ ସହାୟକ ହେବ।

ସେ ଦାବି କରିଛନ୍ତି ଯେ, ନୂଆ ଆଇନ ଅନୁଯାୟୀ ଖଣି କ୍ଷେତ୍ରରୁ ମିଳୁଥିବା ମୋଟ ରାଜସ୍ୱର ପ୍ରାୟ ୯୦ ପ୍ରତିଶତ ସିଧାସଳଖ ରାଜ୍ୟ ରାଜକୋଷକୁ ଯିବ। ଏଥିସହ ଓଡ଼ିଶା ନିଜର ନିଲାମ ପ୍ରିମିୟମର ୧୧୦ ପ୍ରତିଶତ, ରୟାଲଟିର ୧୫ ପ୍ରତିଶତ ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିର ସମସ୍ତ ଅଂଶ ପୂର୍ବଭଳି ପାଇବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ପ୍ରଧାନ କହିଛନ୍ତି, ୨୦୧୪ ପୂର୍ବରୁ ମନମୁଖୀ ଓ ଅସ୍ୱଚ୍ଛ ପ୍ରକ୍ରିୟାରେ ନିଜ ପସନ୍ଦର ପରିବାର ଓ ସଂସ୍ଥାଙ୍କୁ ଖଣି ବଣ୍ଟନ କରାଯାଉଥିଲା। ଏହାର ପ୍ରଭାବରେ ଓଡ଼ିଶାର ବାର୍ଷିକ ଖଣି ରାଜସ୍ୱ ପ୍ରାୟ ୫ ହଜାର କୋଟି ଟଙ୍କାରେ ସୀମିତ ଥିଲା।

୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ମାଧ୍ୟମରେ ସ୍ୱଚ୍ଛ ଇ-ନିଲାମ ଆଣିବା ସହ ରୟାଲଟି ୧୦ ପ୍ରତିଶତରୁ ୧୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା ବୋଲି ସେ ଦର୍ଶାଇଛନ୍ତି। ଏହାପରେ ଓଡ଼ିଶାର ବାର୍ଷିକ ଖଣି ରାଜସ୍ୱ ପ୍ରାୟ ୧୦ ଗୁଣ ବଢ଼ି ୫୦ ହଜାର କୋଟି ଟଙ୍କା ନିକଟରେ ପହଞ୍ଚିଥିବା ସେ କହିଛନ୍ତି।

ଖଣିଜ ଜମି ଉପରେ ଅନିୟମିତ ଓ ମନମୁଖୀ ଶୁଳ୍କ ଲାଗୁ କରିବା ଦ୍ୱାରା କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୋଳ ଓ ଯାଜପୁର ଭଳି ଶିଳ୍ପାଞ୍ଚଳରେ ଖଣି ଓ ଶିଳ୍ପ ବନ୍ଦ ହେବାର ଆଶଙ୍କା ଥିଲା ବୋଲି ପ୍ରଧାନ ଉଲ୍ଲେଖ କରିଛନ୍ତି। ଏହା ହଜାର ହଜାର ଯୁବକ-ଯୁବତୀଙ୍କ ଜୀବିକା ଉପରେ ପ୍ରଭାବ ପକାଇଥାନ୍ତା। ଏଥିସହ ଇସ୍ପାତ, ସିମେଣ୍ଟ, ବିଦ୍ୟୁତ ଓ କୋଇଲା ଭଳି କ୍ଷେତ୍ରର କଞ୍ଚାମାଲ ଖର୍ଚ୍ଚ ବଢ଼ି ରାଜ୍ୟର ସାଧାରଣ ମଧ୍ୟବିତ୍ତ ପରିବାର ଉପରେ ଅତିରିକ୍ତ ବୋଝ ପଡ଼ିଥାନ୍ତା ବୋଲି ସେ ଦାବି କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଧାରା ୯ଡି ମାଧ୍ୟମରେ ଏଭଳି ଅନିୟମିତ କରକୁ ରୋକିବା ପାଇଁ ନିର୍ଦ୍ଦିଷ୍ଟ ସୀମା ଧାର୍ଯ୍ୟ କରାଯାଇଛି ଏବଂ ଏହାଦ୍ୱାରା ଓଡ଼ିଶାର ଶିଳ୍ପ ଓ ଅର୍ଥନୀତି ଉପରେ ଥିବା ଆଶଙ୍କା ଦୂର ହୋଇଛି ବୋଲି ପ୍ରଧାନ କହିଛନ୍ତି।

ଚିଠିରେ ଆହୁରି ଦର୍ଶାଯାଇଛି ଯେ, ୨୦୧୫ରୁ ଏଯାଏଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ DMF ମାଧ୍ୟମରେ ଓଡ଼ିଶାର ଖଣି ଅଞ୍ଚଳଗୁଡ଼ିକର ବିକାଶ ପାଇଁ ୩୭ ହଜାର କୋଟିରୁ ଅଧିକ ଟଙ୍କା ମିଳିଛି। ଅନ୍ୟପକ୍ଷରେ CAG ରିପୋର୍ଟକୁ ଉଦ୍ଧୃତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ପୂର୍ବ ବିଜେଡି ସରକାର ସମୟରେ ଖଣି କ୍ଷେତ୍ର ଦ୍ୱାରା ପ୍ରଭାବିତ ୯୭୬ଟି ଗାଁରେ ୯୮୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ୫୮୪ଟି ଗାଁକୁ କୌଣସି ପାଣ୍ଠି ଦିଆଯାଇନଥିଲା ବୋଲି ସେ ଦାବି କରିଛନ୍ତି।

ସେହିପରି ଗ୍ରାମସଭାର ମଞ୍ଜୁରି ନନେଇ ୧,୭୩୦ଟି ପ୍ରକଳ୍ପ କାର୍ଯ୍ୟ କରାଯାଇଥିବା CAG ଅଡିଟ୍‌ ରିପୋର୍ଟରୁ ସ୍ପଷ୍ଟ ହୋଇଥିବା ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି।

ବିଜେଡି ସରକାର ଆଇନଗତ ତ୍ରୁଟି ସୁଧାରିବା ପାଇଁ ବିଧାନସଭାରେ କୌଣସି ସଂଶୋଧନ ନଆଣି ୧୮ ବର୍ଷ ଧରି ସୁପ୍ରିମକୋର୍ଟରେ ମାମଲା ଚାଲାଇ ସମୟ ନଷ୍ଟ କରିଥିଲା ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି।

ଓଡ଼ିଶାର ବୃହତ୍ତର ସ୍ୱାର୍ଥ, ଶିଳ୍ପ ସମୃଦ୍ଧି ଏବଂ ଯୁବପିଢ଼ିଙ୍କ ନିଯୁକ୍ତି ସୁରକ୍ଷା ପାଇଁ ସଂସଦରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌, ୨୦୨୬କୁ ସମର୍ଥନ କରିଥିବା ସାଂସଦମାନଙ୍କ ନିଷ୍ପତ୍ତିକୁ ସେ ଯୁକ୍ତିଯୁକ୍ତ ବୋଲି କହିଛନ୍ତି। ବିରୋଧୀ ଦଳୀୟ ମନୋଭାବରୁ ଊର୍ଦ୍ଧ୍ୱକୁ ଯାଇ ରାଜ୍ୟର ଅର୍ଥନୈତିକ ବିକାଶକୁ ସୁନିଶ୍ଚିତ କରୁଥିବା ଏହି ଆଇନକୁ ସମର୍ଥନ କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି।

Leave a Reply

Your email address will not be published. Required fields are marked *