ଉଜବେକିସ୍ତାନ ଓ କିର୍ଗିଜସ୍ତାନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ; ରଣନୀତିକ ସମ୍ପର୍କ ସୁଦୃଢ଼ ଉପରେ ଗୁରୁତ୍ୱ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ୪ ଦିନିଆ ଉଜବେକିସ୍ତାନ ଓ କିର୍ଗିଜସ୍ତାନ ଗସ୍ତରେ ବାହାରିଛନ୍ତି। ମଧ୍ୟ ଏସିଆ ସହ ଭାରତର ରଣନୀତିକ ଓ ଆର୍ଥିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ।
ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଉଜବେକିସ୍ତାନର ରାଜଧାନୀ ତାସକେଣ୍ଟରେ ପହଞ୍ଚିଛନ୍ତି। ତାସକେଣ୍ଟ ଭାରତୀୟ ଇତିହାସରେ ଏକ ନିଆରା ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଭାବେ ପରିଚିତ। ଏଠାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ସ୍ମାରକୀ ରହିଛି। ୧୯୬୬ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ପରେ ତାସକେଣ୍ଟ ଚୁକ୍ତି ସ୍ୱାକ୍ଷର ସମୟରେ ଶାସ୍ତ୍ରୀଜୀ ଏଠାକୁ ଯାଇଥିଲେ ଏବଂ ସେଠାରେ ହିଁ ତାଙ୍କର ଦେହାନ୍ତ ହୋଇଥିଲା।
ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଶାସ୍ତ୍ରୀ ସ୍ମାରକୀ ସହ ତାସକେଣ୍ଟ ଷ୍ଟେଟ୍ ୟୁନିଭର୍ସିଟିରେ ଥିବା ମହାତ୍ମା ଗାନ୍ଧୀ ସେଣ୍ଟର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।
ଏହାପରେ ପ୍ରଧାନମନ୍ତ୍ରୀ ଉଜବେକିସ୍ତାନର ରାଷ୍ଟ୍ରପତି ଶବକାତ ମିର୍ଜିୟୋୟେଭଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଭାଗ ନେବେ। ବାଣିଜ୍ୟ, ନିବେଶ, ପ୍ରତିରକ୍ଷା, ଜରୁରୀ ଖଣିଜ ସମ୍ପଦ, ସ୍ୱାସ୍ଥ୍ୟ, ଶକ୍ତି ଓ ଡିଜିଟାଲ ସଂଯୋଗୀକରଣ ଭଳି ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବ। ଏଥିସହ ଜନସମ୍ପର୍କ କ୍ଷେତ୍ରରେ ଦୁଇ ଦେଶର ସହଯୋଗର ସମୀକ୍ଷା କରାଯାଇ ଭବିଷ୍ୟତ ପାଇଁ କାର୍ଯ୍ୟପନ୍ଥା ପ୍ରସ୍ତୁତ ହେବ।
ରିପୋର୍ଟ ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଉଜବେକିସ୍ତାନରେ ପହଞ୍ଚିବା ପରେ ତାସକେଣ୍ଟ ବିମାନବନ୍ଦରରେ ରାଷ୍ଟ୍ରପତି ଶବକାତ ମିର୍ଜିୟୋୟେଭ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜୋରଦାର ସ୍ୱାଗତ କରିଥିଲେ। ଉଭୟ ନେତା ଏକାଠି ଗୋଟିଏ ଗାଡ଼ିରେ ବିମାନବନ୍ଦରରୁ ବାହାରିଥିଲେ।
ଉଜବେକିସ୍ତାନ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ମୋଦୀ କିର୍ଗିଜସ୍ତାନର ରାଜଧାନୀ ବିଶକେକ୍ ଅଭିମୁଖେ ଗସ୍ତ କରିବେ। ସେଠାରେ ଆୟୋଜିତ ୨୬ତମ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ସେ ଯୋଗଦେବେ।
ଏହି ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମେତ ଅନ୍ୟ ପ୍ରମୁଖ ବିଶ୍ୱନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ମାଧ୍ୟମରେ ମଧ୍ୟ ଏସିଆ ସହ ଭାରତର ସମ୍ପର୍କକୁ ନୂଆ ଦିଗ ଦେବା ସହ ବାଣିଜ୍ୟ, ନିବେଶ, ସୁରକ୍ଷା ଓ ରଣନୀତିକ ସହଯୋଗକୁ ଆହୁରି ମଜବୁତ କରିବା ଉପରେ ନଜର ରହିଛି।
