ଚିଚିଆ ଶିଵମନ୍ଦିର ଖେଳପଡିଆ ନିର୍ମାଣ ପ୍ରସଙ୍ଗ; ଗଣମାଧ୍ୟମ ରେ ଖବର ପ୍ରସାରଣ ପରେ ଆରମ୍ଭ ହେଲା ଷ୍ଟେଜ ନିର୍ମାଣ
oplus_2097152
ଗଣମାଧ୍ୟମ ରେ ଖବର ପ୍ରସାରଣ ପରେ ଆରମ୍ଭ ହେଲା ଷ୍ଟେଜ ନିର୍ମାଣ ,ବିନା ସୂଚନା ଫଳକରେ ଚାଲିଛି କାମ
ଧର୍ମଗଡ଼ (ପିପିଏସ୍): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚିଚିଆ ଗ୍ରାମ ପଞ୍ଚାୟତର ଶିବମନ୍ଦିର ଖେଳ ପଡ଼ିଆରେ ବିନା ସୂଚନା ଫଳକରେ ଏକ ଷ୍ଟେଜ ନିର୍ମାଣ କାମ ଚାଲିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଅନିଶ୍ଚିତତା ପ୍ରକାଶ ପାଇଛି । କାମଟି କେଉଁ ଯୋଜନାରେ, କେତେ ଅର୍ଥ ବ୍ୟୟରେ ଏବଂ କେଉଁ ବିଭାଗ ଦ୍ୱାରା କରାଯାଉଛି, ସେ ସମ୍ପର୍କରେ କୌଣସି ସୂଚନା ସାର୍ବଜନୀନ ହୋଇନାହିଁ । ଯାହା ଦ୍ୱାରା କି ଅଞ୍ଚଳବାସୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ୨୦୨୨–୨୩ ଆର୍ଥିକ ବର୍ଷରେ ମନରେଗା ଯୋଜନା ଅଧୀନରେ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟରେ ଶିବମନ୍ଦିର ଖେଳ ପଡ଼ିଆର ଉନ୍ନତିକରଣ ସହ ଏକ ଷ୍ଟେଜ ନିର୍ମାଣ ପାଇଁ ଅନୁମୋଦନ ମିଳିଥିଲା। ତେବେ ସେହି କାମ ସମ୍ପୂର୍ଣ୍ଣ ହୋଇଥିଲା କି ନାହିଁ ଏବଂ ଅନୁମୋଦିତ ଅର୍ଥର ସଠିକ୍ ବିନିଯୋଗ ହୋଇଥିଲା କି ନାହିଁ, ତାହା ଲୋକେ ଏପର୍ଯ୍ୟନ୍ତ ଜାଣି ନାହାଁନ୍ତି । ଖେଳ ପଡିଆ ରେ ଦୁର୍ନୀତି ହୋଇଥିବା ନେଇ ଅନେକ ଗଣମାଧ୍ୟମ ରେ ଖବର ପ୍ରସରଣ ହୋଇଥିଲା । ଏଥିରେ ପଞ୍ଚାୟତ ବଦନାମ ହେବା ସହ ଖୋଦ ସରପଞ୍ଚ ମଧ୍ୟ ନିନ୍ଦିତ ହୋଇଥିଲେ । ବର୍ତ୍ତମାନ ପୁଣି ଥରେ ତରବରିଆ ଭାବେ ବିନା ସୂଚନା ଫଳକ ରେ ଷ୍ଟେଜ ନିର୍ମାଣ ହେଉଥିବାରୁ ଏହା ପୂର୍ଵ ମନରେଗା ଯୋଜନା ନା ବର୍ତ୍ତମାନ ବିଭିଜୀ-ରାମଜୀ ଯୋଜନା ଯୋଜନା ପ୍ରକଳ୍ପର ଅର୍ଥ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି ।
ଅନ୍ୟ ପକ୍ଷରେ ସମ୍ପୃକ୍ତ ବିଭାଗ ତୁରନ୍ତ କାମର ସମସ୍ତ ତଥ୍ୟ ସାର୍ବଜନୀନ କରିବା ସହ ୨୦୨୨–୨୩ ମସିହାରେ ମନରେଗା ଅଧୀନରେ ଅନୁମୋଦିତ ଖେଳ ପଡ଼ିଆ ଓ ଷ୍ଟେଜ ନିର୍ମାଣ ପ୍ରକଳ୍ପର ଅଗ୍ରଗତି ଏବଂ ବ୍ୟୟ ସମ୍ପର୍କରେ ତଦନ୍ତ କରାଯାଉ। ଯଦି କୌଣସି ଅନିୟମିତତା ହୋଇଥାଏ, ତେବେ ତାହାର ନିରପେକ୍ଷ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଚିଚିଆ ଗ୍ରାମବାସୀ ଦାବୀ କରିଛନ୍ତି । ଏହି ଘଟଣା ସମ୍ପର୍କରେ ଗୋଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱନାଥ ରାଉତଙ୍କ ପ୍ରତିକ୍ରିୟା ମାଗିବାରୁ ସେ କହିଥିଲେ, “ମୋ ମାଇଣ୍ଡକୁ କମ୍ପ୍ୟୁଟର ଭଳି ସଜାଡୁଛି, ପରେ ପ୍ରତିକ୍ରିୟା ଦେଇପାରିବି। ସରପଞ୍ଚ ଓ ପିଓଙ୍କୁ କୁହନ୍ତୁ, ମୋତେ ଫୋନ୍ କରିବେ।” ଏହି ପ୍ରତିକ୍ରିୟାକୁ ନେଇ ଗଣମାଧ୍ୟମ ପ୍ରତିନିଧି ମହଳରେ ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷରେ, ଚିଚିଆ ସରପଞ୍ଚ ମଦନ ପଟେଲଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଯେ, ବର୍ତ୍ତମାନ ଚାଲିଥିବା ଷ୍ଟେଜ ନିର୍ମାଣ ଏକ ନୂଆ କାମ। ଏପର୍ଯ୍ୟନ୍ତ ଜିଓଟ୍ୟାଗିଂ କିମ୍ବା ପ୍ରକଳ୍ପ ଫାଇଲ୍ ଖୋଲାଯାଇନାହିଁ। ଫାଇଲ୍ ଖୋଲାଯିବା ପରେ ସୂଚନା ଫଳକରେ କାମର ସମସ୍ତ ବିବରଣୀ ଉଲ୍ଲେଖ କରାଯିବ। ତେବେ ଗ ପ୍ରକଳ୍ପର ଫାଇଲ୍ ଓ ଜିଓଟ୍ୟାଗିଂ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପୂର୍ବରୁ କିପରି ନିର୍ମାଣ କାମ ଆରମ୍ଭ କରାଗଲା ଏବଂ ସୂଚନା ଫଳକ ବିନା କାମ କରାଯିବା ସରକାରୀ ନିୟମାବଳୀ ସହ ସଙ୍ଗତିପୂର୍ଣ୍ଣ କି ନୁହେଁ କି ? ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କଲେ ଅନେକ ରହସ୍ୟ ଉନ୍ମୋଚିତ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୋଇଛି ।
