ବିଜେପୁରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ, ଡାକ୍ତର ଓ କର୍ମଚାରୀ ଅଭାବ
1 min read

ବିଜେପୁରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ, ଡାକ୍ତର ଓ କର୍ମଚାରୀ ଅଭାବ

ବିଜେପୁର: ବିଜେପୁର ନିର୍ବାଚନମଣ୍ଡଳୀରେ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇପାରିନାହିଁ। ନିର୍ବାଚନ ସମୟରେ ଅଞ୍ଚଳର ବିକାଶ ଓ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ବାସ୍ତବ ସ୍ଥିତି ଭିନ୍ନ। ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଅଭାବ ସହ ଭିତ୍ତିଭୂମି ସମସ୍ୟା ଯୋଗୁଁ ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଇବାରେ ଅସୁବିଧା ଭୋଗୁଛନ୍ତି। ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଡାକ୍ତର ପଦ ଖାଲି ପଡ଼ିଥିବା ବେଳେ ଅନେକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଡାକ୍ତର ନାହାନ୍ତି।

ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ତ୍ତମାନ ଜଣେ ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ, ଜଣେ ଶିଶୁରୋଗ ବିଶେଷଜ୍ଞ ଏବଂ ଦୁଇଜଣ ଏମ୍‌ବିବିଏସ୍‌ ଡାକ୍ତର କାର୍ଯ୍ୟରତ ଅଛନ୍ତି। ଭେଷଜ ଓ ଶଲ୍ୟ ବିଶେଷଜ୍ଞଙ୍କ ସମେତ ଅନେକ ଡାକ୍ତର ପଦ ଖାଲି ପଡ଼ିଛି। ଏହାବ୍ୟତୀତ ନର୍ସ, ପିଅନ ଓ ସୁରକ୍ଷାକର୍ମୀଙ୍କ ଅଭାବ ମଧ୍ୟ ରହିଛି। ରୋଗୀଙ୍କ ପାଇଁ ଆବଶ୍ୟକ ବେଡ୍‌ସିଟ୍‌ର ଅଭାବ ସହ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ନେଇ ମଧ୍ୟ ଅଭିଯୋଗ ଉଠୁଛି। ଅନ୍ୟପକ୍ଷରେ, ତାଳପଦର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନୂତନ କୋଠା ନିର୍ମାଣ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହୋଇପାରିନାହିଁ। ଲାଉମୁଣ୍ଡା ଓ ସାଇପାଲି ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଅଭାବ ରହିଛି।

ସୂଚନା ଅନୁଯାୟୀ, ବିଜେପୁର ବ୍ଲକ୍‌ର ୨୩ଟି ପଞ୍ଚାୟତର ୧୧୦ଟି ରାଜସ୍ୱ ଗ୍ରାମ ସହ ବିଜେପୁର ସହର ଏବଂ ପଡ଼ୋଶୀ ଗାଇସିଲେଟ୍‌, ସୋହେଲା ଓ ବରପାଲି ବ୍ଲକ୍‌ର କେତେକ ଗ୍ରାମର ଲୋକେ ଏହି ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକ ଉପରେ ନିର୍ଭର କରନ୍ତି। ଏଭଳି ସ୍ଥିତିରେ ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଅଞ୍ଚଳର ସ୍ୱାସ୍ଥ୍ୟସେବାକୁ ପ୍ରଭାବିତ କରୁଛି। ସରକାର ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ବିଭିନ୍ନ ଯୋଜନାରେ ବିପୁଳ ଅର୍ଥ ବ୍ୟୟ କରୁଥିବା ବେଳେ ବିଜେପୁରରେ ମୌଳିକ ଚିକିତ୍ସା ସୁବିଧାର ଅଭାବକୁ ନେଇ ପ୍ରଶ୍ନ ଉଠିଛି। ତେଣୁ ଖାଲି ପଡ଼ିଥିବା ଡାକ୍ତର ଓ କର୍ମଚାରୀ ପଦ ପୂରଣ କରିବା ସହ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଏବଂ ଅଞ୍ଚଳବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *