ଜାତିସଂଘର ନୂଆ ବିଶ୍ୱ ମାନଚିତ୍ରକୁ ମଞ୍ଜୁରି; ଆଫ୍ରିକାର ଆକାର ଦେଖାଯିବ ଅଧିକ ସଠିକ୍
1 min read

ଜାତିସଂଘର ନୂଆ ବିଶ୍ୱ ମାନଚିତ୍ରକୁ ମଞ୍ଜୁରି; ଆଫ୍ରିକାର ଆକାର ଦେଖାଯିବ ଅଧିକ ସଠିକ୍

ଜାତିସଂଘରେ ୧୬୪ ଦେଶର ସମର୍ଥନ, ଏକାକୀ ବିରୋଧ କଲା ଆମେରିକା

ନ୍ୟୁୟର୍କ: ବିଶ୍ୱର ମାନଚିତ୍ରକୁ ନେଇ ଜାତିସଂଘରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ବିଶ୍ୱର ମହାଦେଶଗୁଡ଼ିକର ପ୍ରକୃତ ଆକାରକୁ ଅଧିକ ସଠିକ୍ ଭାବେ ଦର୍ଶାଇବା ପାଇଁ ‘କରେକ୍ଟ ଦ ମ୍ୟାପ୍’ ପ୍ରସ୍ତାବକୁ ଜାତିସଂଘ ସାଧାରଣ ପରିଷଦ ସମର୍ଥନ କରିଛି। ପ୍ରସ୍ତାବ ସପକ୍ଷରେ ୧୬୪ଟି ଦେଶ ଭୋଟ ଦେଇଥିବା ବେଳେ ଆମେରିକା ଏକମାତ୍ର ଦେଶ ଭାବେ ବିରୋଧ କରିଛି। ୬ଟି ଦେଶ ଭୋଟଦାନରୁ ବିରତ ରହିଥିଲେ।

ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ପୃଥିବୀର ବିଭିନ୍ନ ମହାଦେଶର ଆକାର ଓ ପରସ୍ପର ଅନୁପାତକୁ ଅଧିକ ବାସ୍ତବ ଭାବେ ଦର୍ଶାଇବା। ଏଥିପାଇଁ ‘ଇକ୍ୱାଲ୍ ଆର୍ଥ’ ପ୍ରୋଜେକ୍ସନ୍‌ ଭଳି ମାନଚିତ୍ର ବ୍ୟବହାରକୁ ଉତ୍ସାହିତ କରାଯାଇଛି।

ପାରମ୍ପରିକ ଭାବେ ବ୍ୟବହୃତ ମର୍କେଟର୍ ପ୍ରୋଜେକ୍ସନ୍‌ ୧୫୬୯ ମସିହାରେ ଜେରାର୍ଡସ୍ ମର୍କେଟର୍ ପ୍ରସ୍ତୁତ କରିଥିଲେ। ସାମୁଦ୍ରିକ ନାଭିଗେସନ୍‌ ପାଇଁ ଏହି ମାନଚିତ୍ର ବେଶ୍ ଉପଯୋଗୀ ହୋଇଥିଲେ ମଧ୍ୟ ଏଥିରେ ଭୂମଧ୍ୟରେଖାଠାରୁ ଦୂରରେ ଥିବା ଅଞ୍ଚଳଗୁଡ଼ିକ ତୁଳନାତ୍ମକ ଭାବେ ବଡ଼ ଦେଖାଯାଏ। ଫଳରେ ୟୁରୋପ ଓ ଉତ୍ତର ଆମେରିକା ଭଳି ଅଞ୍ଚଳ ତାହାର ପ୍ରକୃତ ଆକାରଠାରୁ ବଡ଼ ଦେଖାଯାଏ।

ଅନ୍ୟପକ୍ଷରେ, ଆଫ୍ରିକାର ପ୍ରକୃତ ଆୟତନ ମର୍କେଟର୍ ମାନଚିତ୍ରରେ ତୁଳନାମୂଳକ ଭାବେ କମ୍ ବଡ଼ ଦେଖାଯାଏ। ନୂଆ ପ୍ରୋଜେକ୍ସନ୍‌ ବ୍ୟବହାର କଲେ ଆଫ୍ରିକା ସମେତ ବିଭିନ୍ନ ମହାଦେଶର ଆୟତନ ଅନୁପାତ ଅଧିକ ସ୍ପଷ୍ଟ ହେବ।

ଭାରତ ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଛି। ତେବେ ମାନଚିତ୍ର ତିଆରି କରିବା ସମୟରେ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରୋଜେକ୍ସନ୍‌କୁ ସବୁ କ୍ଷେତ୍ରରେ ଅନିବାର୍ଯ୍ୟ କରିବା ପରିବର୍ତ୍ତେ ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ପ୍ରୋଜେକ୍ସନ୍‌ ବାଛିବାର ସୁଯୋଗ ରହିବା ଉଚିତ ବୋଲି ଭାରତ ପକ୍ଷରୁ ମତ ରଖାଯାଇଛି।

ତେବେ ଜାତିସଂଘର ଏହି ପ୍ରସ୍ତାବ ବାଧ୍ୟତାମୂଳକ ନୁହେଁ। ମର୍କେଟର୍ ମାନଚିତ୍ର ଉପରେ କୌଣସି ନିଷେଧ ମଧ୍ୟ ଲଗାଯାଇନାହିଁ। ବରଂ ଶିକ୍ଷାନୁଷ୍ଠାନ, ଗଣମାଧ୍ୟମ, ଅନ୍ତର୍ଜାତୀୟ ସଂଗଠନ ଓ ଡିଜିଟାଲ୍ ମ୍ୟାପିଂ ପ୍ଲାଟଫର୍ମରେ ଭୂଖଣ୍ଡଗୁଡ଼ିକର ଆକାରକୁ ଅଧିକ ସଠିକ୍ ଭାବେ ଦର୍ଶାଉଥିବା ମାନଚିତ୍ର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଏହାର ଲକ୍ଷ୍ୟ।

Leave a Reply

Your email address will not be published. Required fields are marked *