ବିଜେପିରେ ସାମିଲ ହେଲେ ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ: ‘ପୋକା ବାଇଗଣ’ କହି କଟାକ୍ଷ କଲା ବିଜେଡି
ଭୁବନେଶ୍ୱର: ରାଜ୍ୟ ରାଜନୀତି, ବିଶେଷକରି କଟକ ଜିଲ୍ଲାର ରାଜନୈତିକ ସମୀକରଣରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ରବିବାର ଦିନ ଆନୁଷ୍ଠାନିକ ଭାବେ ପଦ୍ମ ଧରିଛନ୍ତି ବିଜେଡିରୁ ବହିଷ୍କୃତ ହୋଇଥିବା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ। ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି।
ଶୋଭାଯାତ୍ରାରେ ଆସି ପଦ୍ମ ଧରିଲେ ପ୍ରଭାତ ଚୌଦ୍ୱାର-କଟକ ଆସନର ଏହି ପୂର୍ବତନ ବିଧାୟକ ନିଜର ଶତାଧିକ ସମର୍ଥକଙ୍କ ସହ ଏକ ବିଶାଳ ଶୋଭାଯାତ୍ରାରେ ଆସି ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କେବଳ ପ୍ରଭାତ ନୁହଁନ୍ତି, ତାଙ୍କ ସମର୍ଥନରେ ଅନେକ ସ୍ଥାନୀୟ କର୍ପୋରେଟର ତଥା କାଉନସିଲର ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡି ତାଙ୍କୁ କିଛି ମାସ ତଳେ ବହିଷ୍କାର କରିଥିଲା। ଏହାପରେ ସେ ସ୍ୱାଧୀନ ଭାବେ ନିଜର ରାଜନୈତିକ ସଙ୍ଗଠନ ଚଳାଉଥିଲେ।
ପୁଅଙ୍କ ବିଧାୟକ ପଦ ରଦ୍ଦ ଭୟରେ ବାପାଙ୍କ ଏଣ୍ଟ୍ରି! ଅନ୍ୟପକ୍ଷରେ ପ୍ରଭାତଙ୍କ ପୁଅ ତଥା ଚୌଦ୍ୱାର-କଟକର ବର୍ତ୍ତମାନର ବିଧାୟକ ସୌଭିକ ବିଶ୍ୱାଳଙ୍କୁ ନେଇ ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଗତ ରାଜ୍ୟସଭା ନିର୍ବାଚନରେ କ୍ରସ୍-ଭୋଟିଂ କରି ନିଲମ୍ବିତ ହୋଇଥିବା ସୌଭିକଙ୍କୁ ଶନିବାର ବିଜେପି କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା। ତେବେ ସେ ଯଦି ସିଧାସଳଖ ଦଳ ବଦଳାନ୍ତି, ତେବେ ଦଳବଦଳ ଆଇନ ଅନୁଯାୟୀ ତାଙ୍କର ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା ରହିଛି। ତେଣୁ ନିଜେ ସୁରକ୍ଷିତ ରହି ସେ ନିଜ ପିତାଙ୍କୁ ଶାସକ ଦଳରେ ସାମିଲ କରାଇଥିବା ରାଜନୈତିକ ବିଶେଷଜ୍ଞମାନେ ମତ ରଖୁଛନ୍ତି।ବିଜେଡି କହିଲା ‘ପୋକା ବାଇଗଣ’ ପ୍ରଭାତଙ୍କ ବିଜେପିରେ ଯୋଗଦାନକୁ ନେଇ ଉଭୟ ଦଳ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଯାଇଛି। ଏହି ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ ପ୍ରଭାତ ବିଶ୍ୱାଳଙ୍କୁ ଏକ ‘ପୋକା ବାଇଗଣ’ ସହ ତୁଳନା କରିବା ସହ ତାଙ୍କ ଛାଡିବା ଦ୍ୱାରା ଦଳ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, “ପ୍ରଭାତ ନଥିବା ବେଳେ ବି ଦଳ ସୁଦୃଢ଼ ଥିଲା। ଜଣେ ନେତା ଗଲେ ତାଙ୍କ ଭଳି ୧୦ ଜଣ ନୂଆ ନେତା ବାହାରିବେ। ଦଳ ଛାଡୁଥିବା ନେତାମାନେ ମାସେ ଦୁଇ ମାସ ଚର୍ଚ୍ଚାରେ ରହିବା ପରେ କୁଆଡେ ହଜିଯାଆନ୍ତି, ତାହା ଦେଖିବାକୁ ମିଳେନାହିଁ।”
ସେପଟେ ପ୍ରଭାତଙ୍କ ଆଗମନକୁ ସ୍ୱାଗତ କରି ବିଜେପି ବିଧାୟକ ବାବୁ ସିଂ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ହେଉଛି ଏକ ବିଶାଳ ସଙ୍ଗଠନ। ଏଠାରେ ଯିଏ ଚାହିଁବେ ସାମିଲ ହୋଇପାରିବେ ଏବଂ ଏହି ମିଶ୍ରଣ ଦଳର ଉଚ୍ଚ ନେତୃତ୍ୱଙ୍କ ସବୁଜ ସଙ୍କେତ ପରେ ହିଁ ସମ୍ଭବ ହୋଇଛି।


