କୋରାପୁଟ/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : କୋରାପୁଟ ଜିଲ୍ଲା ଲମତାପୁଟରେ ଥିବା ମାଛକୁଣ୍ଡ ପାୱାର ହାଉସରେ ପଶିଯାଇଛି ବନ୍ୟା ଜଳ। ଫଳରେ ପ୍ରକଳ୍ପରେ ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇଛି । ବିଦ୍ୟୁତ ଉତ୍ପାଦନ ବନ୍ଦ ନେଇ ବିଦ୍ୟୁତ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମାଛକୁଣ୍ଡ ପାୱାର ହାଉସରୁ ଦୈନିକ ୮୦ ମେଗାୱଟ ବିଦ୍ୟୁତ ଉତ୍ପାଦନ ହୁଏ । ଏହା ଆଜି ବନ୍ଦ ହେବା ପରେ ବିଦ୍ୟୁତ୍ ସେବା ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି ।
ମାଛକୁଣ୍ଡ ପାୱାର ହାଉସରେ ୨ନମ୍ବର ୟୁନିଟ୍ ଭିତରେ ବନ୍ୟା ଜଳ ପ୍ରବେଶ କରିଛି । ବନ୍ୟା ଜଳ ବାହାର କରିବାକୁ କର୍ମଚାରୀମାନେ ଉଦ୍ୟମ ଚଳାଇଛନ୍ତି । ପାଇପ୍ ଲଗାଇ ପାଣି ବାହାର କରିବାକୁ ଚେଷ୍ଟା କରାଯାଉଛି ।
ଲଗାଣ ବର୍ଷା ଯୋଗୁଁ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପର ମୁଖ୍ୟ ଜଳଭଣ୍ଡାରରେ ବିପଦ ସଂକେତ ଉପରେ ବନ୍ୟା ଜଳ ରହିଛି । ଜଳଭଣ୍ଡାର ଭିତରେ ବନ୍ୟା ଜଳ ପ୍ରବେଶ କରୁଥିବାରୁ ୫ଟି ଗେଟ୍ ଖୋଲି ଦିଆଯାଇଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୨୩ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି। ସେହିପରି ମାଛକୁଣ୍ଡ ଡ଼ି ଡ୍ୟାମରୁ ୪ଟି ଗେଟରେ ୨୦ ହଜାର କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ନିଷ୍କାସନ କରାଯାଇ ମାଛକୁଣ୍ଡ ନଦୀରେ ଛଡା ଯାଉଛି ।
ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକରେ ୧୩୨ ମିୱଲିମିଟର ବର୍ଷା ରେକର୍ଡ କରାଯାଇଛି । ମୂଷଳଧାରାରେ ବର୍ଷା ପରେ ଫୁଲିଛି କୋଲାବ ଡ୍ୟାମର ଜଳସ୍ତର । ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ପଶିଛି । ଏକର ଏକର ଜମି ଜଳବନ୍ଦୀ ହୋଇଛି । ଦୀଗାପୁରଠାରେ ଥିବା ବ୍ରିଜ୍ ଉପରେ ଚାଲୁଛି ପାଣି । ଫଳରେ କୁନ୍ଦୁରା ଦୀଗାପୁରଠାରୁ ଘୁମରକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ସେହିପରି ଜଲାପୁଟ ଡ୍ୟାମର ୨ଟି ଓ ସ୍ପିଲୱେ ଡ୍ୟାମରୁ ୪ଟି ଗେଟ୍ ଖୋଲାଯାଇଛି । ଆଜି ବି କୋରାପୁଟ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ନଦୀ ଅବବାହିକାରେ ଥିବା ଗାଁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଜିଲ୍ଲା ଜରୁରୀ ଅଧିକାରୀ ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି ।